ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ସୁଯୋଗ ଓ ସମ୍ଭାବନା

ନୂଆଦିଲ୍ଲୀ : ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଘରୋଇ ଦଳକୁ କି ଫାଇଦା ମିଳିବ ଏବେଠାରୁ ଅବଗଣନା ଆରମ୍ଭ ହୋଇଛି। ବିଶେଷ କରି ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ଭାରତୀୟ ଦଳ ନିଜ ସମନ୍ବୟକୁ ପରଖିବା ଓ ସଜାଡ଼ିବା ଲାଗି ଏହି ଶୃଙ୍ଖଳା ନିଶ୍ଚିତ ସହାୟକ ହେବ ବୋଲି ବିଶ୍ବାସ କରାଯାଉଛି। ଘରୋଇ ଦଳ ପାଇଁ ଏହି ଶୃଙ୍ଖଳା କି କି ସ‌ୁଯୋଗ ସବୁ ଆଣିଛି ଆସନ୍ତୁ ନଜର ପକାଇନେବା।

ନବାଗତ ଦ୍ରୁତ ବୋଲିଂ ଆକ୍ରମଣ
ଏହି ଶୃଙ୍ଖଳାରେ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମି ଖେଳୁନଥିବାରୁ ଦୁଇ ନବାଗତ ଦ୍ରୁତ ବୋଲର ଡାହାଣହାତୀ ଉମ୍ରାନ ମଲ୍ଲିକ ଓ ବାମହାତୀ ଅର୍ଶଦୀପ ସିଂହଙ୍କ ଉପରେ ଭରସା କରିବ। ୨୦୨୨ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ଏହି ଦୁଇ ଜଣ ଭାରତୀୟ ଦଳକୁ ପ୍ରଥମ ଥର ଡାକରା ପାଇଛନ୍ତି। ୨୨ ବର୍ଷୀୟ ଉମ୍ରାନ୍‌ ତାଙ୍କ ଗତି ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଗତ ଆଇପିଏଲ୍‌ରେ ୧୯ ୱିକେଟ୍ ନେଇଥିଲେ। ୨୩ ବର୍ଷୀୟ ଅର୍ଶଦୀପ ଉମ୍ରାନଙ୍କ ଭଳି ଦ୍ରୁତତମ ନ ଥିଲେ ମଧ୍ୟ ଚମତ୍କାର ଡେଥ୍ ବୋଲିଂ କରି ପ୍ରଭାବ ଛାଡ଼ିଥିଲେ। ଆଇପିଏଲ୍‌ରେ ଅର୍ଶଦୀପଙ୍କ ଇକୋନୋମି (୭.୫୮) ଯଶପ୍ରୀତ୍‌ ବୁମରାଙ୍କ (୭.୩୮) ପରେ ଦ୍ବିତୀୟ ଶ୍ରେଷ୍ଠ ଥିଲା। ସିଂହ ଏବଂ ବୁମରା ମଧ୍ୟ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ସର୍ବାଧିକ ୟର୍କର (୩୮) ପକାଇଥିଲେ। ଉମ୍ରାନ ଓ ଅର୍ଶଦୀପଙ୍କ ବ୍ୟତୀତ ଦଳରେ ଥିବା ଭୁବନେଶ୍ବର କୁମାର, ଅଭେସ୍‌ ଖାନ୍‌ ଓ ହର୍ଷଲ୍ ପଟେଲ୍‌ଙ୍କ ଉପରେ ନିଶ୍ଚିତ ନଜର ରହିବ।

ଦୀନେଶ ଦ ଫିନିସର୍‌
ଏକାଧିକ ଥର ଭାରତୀୟ ଦଳକୁ ପ୍ରତ୍ୟାବର୍ତନ କରିଥିଲେ ମଧ୍ୟ ଏଥରକୁ ‘ସ୍ବତନ୍ତ୍ର’ ଅଭିହିତ କରିଛନ୍ତି ୱିକେଟରକ୍ଷକ ବ୍ୟାଟର୍‌ ଦୀନେଶ କାର୍ତିକ। ଆଇପିଏଲ୍‌ରେ କାର୍ତ୍ତିକ ଆର୍‌ସିବି ପାଇଁ ଡେଥ୍‌ ଓଭରରେ ୨୨୦ ଷ୍ଟ୍ରାଇକ୍ ରେଟ୍‌ରେ ୨୪୨ ରନ୍ କରି ଜାତୀୟ ଚୟନକର୍ତାଙ୍କୁ ପୁନଃ ବିଚାର କରିବାକୁ ବାଧ୍ୟ କରିଥିଲେ। ଗତବର୍ଷ ୟୁଏଇରେ ଅନୁଷ୍ଠିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଭେଙ୍କଟେଶ ଆୟର(୬ ଥର), ରବୀନ୍ଦ୍ର ଜାଦେଜା ଓ ଋଷଭ ପନ୍ତ୍ (ଉଭୟ ୪ ଥର ଲେଖାଏଁ) ଫିନିସିଂ ଭୂମିକା ତୁଲାଇଥିଲେ ମଧ୍ୟ ନିଜକୁ ପ୍ରମାଣିତ କରିପାରିନଥିଲେ। ଏବେ ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତନ ଏହି ଭୂମିକାକୁ ସଠିକ୍ ଭାବେ ତୁଲାଇବ ବୋଲି ବିଶ୍ବାସ କରାଯାଉଛି। ବ୍ୟକ୍ତିଗତ ପ୍ରଦର୍ଶନ ସହିତ ନେତୃତ୍ବ ଦକ୍ଷତା ଜରିଆରେ ଗୁଜରାଟ ଟାଇଟନ୍ସକୁ ବିଜେତା କରିଥିବା ହାର୍ଦିକ ନିଶ୍ଚିତ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଫିନିସର୍ ଭୂମିକାରେ ରହିବେ।

ବାମହାତୀଙ୍କ ସମୟ
ଗତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ଡାହାଣହାତୀଙ୍କୁ ପାକିସ୍ତାନର ବାମହାତୀ ଦ୍ରୁତ ବୋଲର ସାହିନ୍ ସାହା ଆଫ୍ରିଦି ସହଜରେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମୁକାବିଲା ବେଳକୁ ରାହୁଲଙ୍କ ସହ ଈଶାନ କିଶନଙ୍କୁ ପଠାଇବା ମଧ୍ୟ ବିଶେଷ ଫାଇଦା ହୋଇନଥିଲା। କିଶନ ମଧ୍ୟ ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ବିପକ୍ଷରେ ପାଇଥିବା ସୁଯୋଗକୁ ସେତେଟା ଉପଯୋଗ କରିପାରିନଥିଲେ। ଏହି ବାମହାତୀ ବ୍ୟାଟର୍‌ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ୩୨.୧୫ ହାରରେ ୪୨୮ ରନ୍‌ କରିଥିଲେ। ଅନ୍ୟ ଦୁଇ ବାମହାତୀ ଭେଙ୍କଟେଶ ଆୟର ଏବଂ ଋଷଭ ପନ୍ତ୍‌ ମଧ୍ୟ ଯଥାକ୍ରମେ ୧୬.୫୫ ଓ ୩୦.୯୦ ହାରାହାରିରେ ଖେଳିଥିବାରୁ ଆତ୍ମବିଶ୍ବାସ ପାଇନାହାନ୍ତି। ଆଇପିଏଲ୍‌ରେ କେଏଲ୍ ରାହୁଲ, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର ଓ ଦୀପକ ହୁଦା ପ୍ରମୁଖ ଡାହାଣହାତୀ ଭଲ କରିଥିବାରୁ ଉପରୋକ୍ତ ୩ ବାମହାତୀଙ୍କୁ ଏବେ ଭଲ ପ୍ରଦର୍ଶନ କରିବାର ଆଶା ରହିବ।

ସମ୍ବନ୍ଧିତ ଖବର