ଅଲିମ୍ପିକ୍ ଆଶାୟୀଙ୍କ ପାଇଁ ସୁଯୋଗ

୧୫ରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି, ୨୫ରୁ ଅନ୍ତଃରାଜ୍ୟ ମିଟ୍‌

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିବା ଖେଳାଳିମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଭାରତୀୟ ଦୌଡ଼କୁଦ ସଂଘ (ଏଏଫଆଇ) ପାତିଆଲାରେ ଜୁନ୍ ୧୫ ତାରିଖରେ ଇଣ୍ଡିଆନ୍ ଗ୍ରାଁ ପ୍ରି ଏବଂ ଜୁନ୍ ୨୫ରୁ ୨୯ ଯାଏ ଅନ୍ତଃରାଜ୍ୟ ମିଟ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ପ୍ରତିଯୋଗିତାରେ ଅଲିମ୍ପିକ୍ ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିବା ଶୀର୍ଷସ୍ତରର ଭାରତୀୟ ଖେଳାଳିଙ୍କ ପାଇଁ ସୁଯୋଗ ଆଣିଦେବ। ତେବେ ସବୁକିଛି କୋଭିଡ୍ ପରିସ୍ଥିତି ଉପରେ ନିର୍ଭର କରିବ।

ଏହି ଉଭୟ ପ୍ରତିଯୋଗିତା ପୂର୍ବରୁ ବେଙ୍ଗାଲୁରୁର ଶ୍ରୀ କାନ୍ତିରବା ଷ୍ଟାଡିୟମ୍‌ରେ ଆୟୋଜିତ ହେବାର ଥିଲା। କିନ୍ତୁ ଷ୍ଟାଡିୟମ୍‌ର ସିନ୍ଥେଟିକ୍ ଟ୍ରାକ୍‌ କାର୍ଯ୍ୟ ଶେଷ ହେବାରେ ବିଳମ୍ବ ହେବାରୁ ଏହାକୁ ପାତିଆଲା ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ପ୍ରତିଯାଗିତା ଅନ୍ୟୁନ ୧୦-୧୫ ଜଣ ଶୀର୍ଷସ୍ତରର ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ ଖୁସିର କାରଣ ହୋଇଛି। ଏଥି ସହିତ କୋଭିଡ୍‌ର ଦ୍ବିତୀୟ ଲହର କାରଣରୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ସାରିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନେ ମଧ୍ୟ ପର୍ଯ୍ୟାପ୍ତ ତାଲିମ ଓ ଅଭ୍ୟାସରୁ ବଞ୍ଚିତ ହେଉଛନ୍ତି। ‘‘ପାତିଆଲାର ଦୁଇ ପ୍ରସ୍ତାବିତ ପ୍ରତିଯୋଗିତା ମଧ୍ୟ କୋଭିଡ୍‌ ପରିସ୍ଥିତିରେ ଉନ୍ନତି ଘଟିଲେ ସମ୍ଭବ ହେବ। ଏପରିକି ସମାନ ତାରିଖରେ ମଧ୍ୟ ଉଭୟ ପ୍ରତିଯୋଗିତା କରିବାକୁ ଯୋଜନା ରହିଛି। ଜୁନ୍ ୩୦ ତାରିଖରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ବନ୍ଦ ହେବା ପୂର୍ବରୁ ଆଉ ଗୋଟିଏ ଦୁଇଟି ପ୍ରତିଯୋଗିତା ମଧ୍ୟ ଯୋଜନାରେ ରହିଛି’’ ବୋଲି ଏଏଫଆଇର ପ୍ରତିଯୋଗିତା ପରିଚାଳନା ପ୍ରବଂଧକ ନୀତୀନ ଆରୢା ପ୍ରକାଶ କରିଛନ୍ତି।

ଦୀର୍ଘ ଦିନ‌ ପରେ ଜୁନ୍ ୧୫ ତାରିଖରେ ପ୍ରଥମ ପ୍ରତିଯୋଗିତା ହେବାକୁ ଯାଉଛି। ବିଗତ ୨/୩ ବର୍ଷ ମଧ୍ୟରେ ଏଏଫଆଇ ଯୋଗ୍ୟତା ମାନଦଣ୍ଡ ଅର୍ଜନ କରିଥିବା ଖେଳାଳିଙ୍କ ପାଇଁ ଏହା ଉନ୍ମୁକ୍ତ ରହିବ। କେବଳ ଯେଉଁମାନଙ୍କର ଅଲିମ୍ପିକ୍ସ ଯୋଗ୍ୟତା ସମ୍ଭାବନା ଥିବ ସେମାନଙ୍କୁ ହିଁ ଏହି ଦୁଇ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ମିଳିବ ବୋଲି ନୀତୀନ ପ୍ରକାଶ କରିଥିଲେ। ଏହି ଦୁଇ ପ୍ରତିଯୋଗିତାରୁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ଲାଗି ଯେଉଁମାନେ ପ୍ରମୁଖ ରହିବେ ସେମାନଙ୍କ ମଧ୍ୟରେ ଏସୀୟ ସ୍ବର୍ଣ୍ଣ ବିଜେତା ସଟପୁଟର୍‌ ତେଜିନ୍ଦର ପାଲ୍ ସିଂହ ତୁରଙ୍କ ସହିତ ଦୂତି ଚାନ୍ଦ, ହୀମା ଦାସ, ସୀମା ପୁନିଆ ରହିବେ।

ଭାଗନେବେ ବିଦେଶୀ ରିଲେ ଦଳ!
କୋଭିଡ୍‌ ପରିସ୍ଥିତି କାରଣରୁ ବିମାନ ଯାତ୍ରାକୁ ନେଇ ଅନିଶ୍ଚିତତା ଏବଂ ଲମ୍ବା ସଙ୍ଗରୋଧ ନିୟମ ରହିଥିଲେ ମଧ୍ୟ ଭାରତରେ ଆୟାଜିତ ଇଣ୍ଡିଆନ୍ ଗ୍ରାଁ ପ୍ରିରେ କିଛି ବିଦେଶୀ ଖେଳାଳି ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ବିଶେଷ କରି ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିପାରିନଥିବା ବିଦେଶୀ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିବାର ଆଶା ରହିଛି। ବିଶେଷ କରି ବିଦେଶୀ ରିଲେ ଦଳ ଏହି ପ୍ରତିଯୋଗତା ଉପରେ ନଜର ରଖିଛନ୍ତି। ‘ପ୍ରତ୍ୟେକ ଦିନ କିଛି ନୂଆ ଘଟୁଛି, କିଛି ଦେଶରେ ବିମାନ କଟକଣା ଖୋଲିଯିବାର ସମ୍ଭାବନା ରହିଥିଲେ ମଧ୍ୟ ଅନେକ ଦେଶ ଭାରତୀୟଙ୍କ ଯାତ୍ରା ଉପରେ କଟକଣା ରଖୁଛନ୍ତି। ଯଦି କିଛି ଦେଶ ଆମ ଦେଶରେ ଥିବା ୧୪ ଦିନିଆ ସଙ୍ଗରୋଧ ନିୟମକୁ ଗ୍ରହଣ କରିବେ ତେବେ ବିଦେଶର ରିଲେ ଦଳ ମଧ୍ୟ ଭାରତରେ ଅଂଶଗ୍ରହଣ କରିପାରିବେ’ ବୋଲି କହିଛନ୍ତି ଏଏଫଆଇ ସଭାପତି ଆଦିଲ୍ ସୁମରିୱାଲା। ତେବେ ଏଥିପାଇଁ କେଉଁମାନେ ଆସିବାକୁ ପ୍ରସ୍ତୁତ, କିଭଳି ଆସିବେ, କେବେ ଆସିବେ ଆଦି ପ୍ରସଙ୍ଗରେ ଆଲୋଚନା କରିବା ପରେ ଯୋଜନା କରିବୁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ଜୁନ୍‌ ୧୫ ଓ ୧୬ ତାରିଖରେ ଚୟନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର