ଆଝାରଙ୍କୁ ବିରୋଧ ପ୍ରସଙ୍ଗ: ଗମ୍ଭୀରଙ୍କ ପାଇଁ ବୁମେରାଂ

ନୂଆଦିଲ୍ଲୀ/କୋଲକାତା: ଭାରତୀୟ କ୍ରିକେଟ୍‌ର ଅନ୍ୟତମ ସଫଳ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ବିରୋଧ କରିବା ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଗୌତମ ଗମ୍ଭୀରଙ୍କ ପାଇଁ ବୁମେରାଂ ହୋଇଛି। ନିଜ ପ୍ରଶଂସକ ତଥା କ୍ରିକେଟପ୍ରେମୀ ଏବେ ଗମ୍ଭୀରଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଆଝାରୁଦ୍ଦିନଙ୍କ ଭଳି ମହାନ ଖେଳାଳିଙ୍କୁ ବିରୋଧ କରିବା ଗମ୍ଭୀରଙ୍କ ପକ୍ଷେ ଶୋଭା ପାଏ ନାହିଁ ବୋଲି ପ୍ରଶଂସକମାନେ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମତ ଦେବାରେ ଲାଗିଛନ୍ତି। ନିଜ ପୂର୍ବ ପିଢ଼ିର କ୍ରିକେଟରଙ୍କୁ ସମ୍ମାନ ଦେବାର ପରମ୍ପରାକୁ ଗମ୍ଭୀର ଭୁଲିଯାଉଛନ୍ତି। ଏହା କେବେ ବି ଗ୍ରହଣୀୟ ନୁହେଁ ବୋଲି ଅଧିକାଂଶ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ସୂଚନା‌ଯୋଗ୍ୟ, ଚମତ୍କାର ଢଙ୍ଗରେ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଆଝାରୁଦ୍ଦିନ ୨୦୦୦ ମସିହା‌ରେ ମ୍ୟାଚ୍‌ଫିକ୍ସିଂ ଅଭିଯୁକ୍ତ ହେବାରୁ ବିସିସିଆଇ ଦ୍ବାରା ନିଲମ୍ବିତ ହୋଇଥିଲେ। ଲମ୍ବା ଆଇନଗତ ଲଢ଼େଇ ପରେ ୨୦୦୭ରେ ଏଥିରୁ ମୁକ୍ତ ହୋଇଥିଲେ ମଧ୍ୟ ବିସିସିଆଇ ଏହାର ନିଷ୍ପତ୍ତିରେ ଅଟଳ ରହିବାରୁ ଅବସରପ୍ରାପ୍ତ ଆଝାରୁଦ୍ଦିନ ଆଉ କୌଣସି କ୍ରିକେଟ୍ କାର୍ଯ୍ୟକଳାପରେ ଯୋଡ଼ି ହୋଇପାରିନାହାନ୍ତି। କିନ୍ତୁ ଖୁବ ଶୀଘ୍ର ସେ ହାଇଦ୍ରାବାଦ କ୍ରିକେଟ୍‌ ସଂଘ ନିର୍ବାଚନ ଜରିଆରେ କ୍ରିକେଟ୍‌ ପ୍ରଶାସନକୁ ଫେରିବାକୁ ଯାଉଛନ୍ତି। ରବିବାର କୋଲ୍‌କାତା‌ର ଇଡେନ୍ ଗାର୍ଡେନ୍ସରେ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ପୂର୍ବରୁ ଲର୍ଡସ ପରମ୍ପରା ଧାରାରେ ଆରମ୍ଭ ହୋଇଥିବା ମ୍ୟାଚ୍ ଆରମ୍ଭ ସୂଚକ ଘଣ୍ଟିକୁ ଆଝାରୁଦ୍ଦିନ ବଜାଇଥିଲେ। ହେଲେ ଏହାକୁ ଗୌତମ ଗମ୍ଭୀର ବିରୋଧ କରିଥିଲେ। ମ୍ୟାଚ୍ ପିକ୍ସିଂ କଳଙ୍କିତ ଆଝାରଙ୍କୁ ଏହି ସୁଯୋଗ ଦେବା ଠିକ୍ ହୋଇ ନାହିଁ ବୋଲି ଗମ୍ଭୀର ମତ ଦେଇଥିଲେ। ସେ ଟ୍ବିଟ୍ କରିଥିଲେ ଯେ ‘‘ଭାରତ ଜିତିଥାଇପାରେ, ହେଲେ ବିସିସିଆଇ ସିଓଏ ଓ ସିଏବି ହାରିଛନ୍ତି।’’
ଆଝାରୁଦ୍ଦିନ କିନ୍ତୁ ଭାରତର ଅନ୍ୟତମ ସଫଳ କ୍ରିକେଟର। ଟେଷ୍ଟ୍ ପଦାର୍ପଣରେ ଲଗାତାର ୩ ଶତକ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିବା ଆଝାରୁଦ୍ଦିନ ପରବର୍ତୀ ସମୟରେ ଦେଶର ନେତୃତ୍ବ ନେଇଥିଲେ।

ଦେଶ ପାଇଁ ୯୯ ଟେଷ୍ଟ୍‌, ୩୩୪ ଦିନିକିଆ ଖେଳି ଯଥାକ୍ରମେ ୬,୨୧୬ ଓ ୯,୩୭୮ ରନ୍ ସଂଗ୍ରହ କରିଥିଲେ। ଟେଷ୍ଟ୍‌ରେ ୨୨ ଏବଂ ଦିନିକିଆରେ ୭ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ଗୌତମ ଗମ୍ଭୀର ଦେଶ ପାଇଁ ୫୮ ଟେଷ୍ଟ୍ ଓ ୧୪୭ ଦିନିକିଆ ଖେଳି ଯଥାକ୍ରମେ ୪,୧୫୪ ଏବଂ ୫,୨୩୮ ରନ୍ କରିଥିଲେ। ‌୯ ଟେଷ୍ଟ ଶତକ ଏବଂ ୧୧ ଦିନିକିଆ ଶତକ ତାଙ୍କ ନାମରେ ରହିଛି। ଗମ୍ଭୀରଙ୍କ ବଡ଼ ଉପଲବଧି ସେ ୨୦୧୧ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ।
ସବୁଠାରୁ ବଡ଼ କଥା ହେଉଛି ୨୦୧୯ ସାଧାରଣ ନିର୍ବାଚନରେ ଗମ୍ଭୀର ଏକ ରାଜନୈତିକ ଦଳରୁ ପ୍ରାର୍ଥୀ ହେବାର ସମ୍ଭାବନା ଥିବାରୁ ଅଭିଯୋଗ ଆଣିଛନ୍ତି। ୨୦୦୯ ମସିହାରେ ଆଝାରୁଦ୍ଦିନ ମଧ୍ୟ ଉତ୍ତରପ୍ରଦେଶର ମୋ‌ରାଦାବାଦରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗମ୍ଭୀରଙ୍କ ଖାମଖିଆଲି ମନ୍ତବ୍ୟ ପରେ ମଙ୍ଗଳବାର ଆଝାରୁଦ୍ଦିନ ଟ୍ବିଟ୍ ଜରିଆରେ ଏଥିରୁ ନିବୃତ୍ତ ରହିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ପ୍ରଶଂସକମା‌ନେ କିନ୍ତୁ ଗମ୍ଭୀରଙ୍କୁ ଛାଡ଼ିନଥିଲେ। ଜଣେ ପ୍ରଶଂସକ ଲେଖିଥିଲେ ‘ଆଝାର ଜଣେ ମହାନ କ୍ରିକେଟର ଏବଂ ଆଇନ ନଜରରେ ମଧ୍ୟ ସେ ଦୋଷମୁକ୍ତ। ଜଣେ କ୍ରିକେଟରଭାବେ ମଧ୍ୟ ତୁମଠାରୁ ଉନ୍ନତ। ବୁଝି ବିଚାରି ଟ୍ବିଟ୍ କର’ ଏହାକୁ କିନ୍ତୁ ସେ ପରେ ପ୍ରତ୍ୟାହାର କରି ନେଇଥିଲେ। ଏହି ଟ୍ବିଟ୍ ମଧ୍ୟ ଜଣେ ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ କରିଥିଲେ।

ସମ୍ବନ୍ଧିତ ଖବର