କଟକ/ଭୁବନେଶ୍ବର: ବୁଧବାରଠାରୁ ବାରବାଟୀ ଷ୍ଟାଡିୟମ‌୍‌ରେ ଓସିଏର ମହା ଆୟୋଜନରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓପିଟିଏଲ୍‌) ଆରମ୍ଭ ହେବ। ଅପରାହ୍‌ଣ ୫ରୁ ୭ଟା ପର୍ଯ୍ୟନ୍ତ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଏହା ପରେ କଟକ ପାନ୍ଥର୍ସ ସହିତ ଭୁବନେଶ୍ବର ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ସମସ୍ତ ଅଂଶଗ୍ରହଣକାରୀ ଦଳର ଜର୍ସି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ଓପିଟିଏଲ୍‌ର ଆୟୋଜନ ଫଳରେ ଏହା ଓଡ଼ିଶା କ୍ରିକେଟ୍‌କୁ ଆଗକୁ ନେବ ଏବଂ ଓଡ଼ିଆ ‌ଖେଳାଳି ଆଇପିଏଲ୍‌ ମଇଦାନରେ ପହଞ୍ଚିବା ପାଇଁ ସୁଯୋଗ ସୃଷ୍ଟି ହେବ। ବିଭିନ୍ନ ଜିଲ୍ଲାରେ ଥିବା ୪୧ କ୍ରିକେଟ୍ ଏକାଡେମି ମାଧ୍ୟରେ ଖେଳାଳିଙ୍କୁ ଗଢ଼ି ତୋଳିବା ଦିଗରେ ବି ଏହା ଦିଶା ‌ଦେଖାଇବ’ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର୍ ତଥା ବିଶ୍ବକପ୍‌ ବିଜେତା ଇର୍ଫାନ୍ ପଠାନ।

Advertisment

ଇର୍ଫାନ୍‌ଙ୍କ ସହ ପୂର୍ବତନ କ୍ରିକେଟର୍ ନରେନ୍ଦ୍ର ହିରୱାନୀ, ଶ୍ରୀତମ ଦାସ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ସୁପ୍ରିୟା ନାୟକ, ‌ଶୀତଳ ଦାସ, ଅଭିନେତା ଶୈଳେନ୍ଦ୍ର ସାମନ୍ତରାୟ ପ୍ରମୁଖ ଓପିଟିଏଲ୍‌ର ବ୍ରାଣ୍ଡ୍ ଆମ୍ବାସଡର୍‌ ନିଯୁକ୍ତ ହୋଇଥିବାରୁ ବୁଧବାରର ଜର୍ସି ଉନ୍ମୋଚନ ଉତ୍ସବରେ ଏମାନେ ବି ଉପସ୍ଥିତ ଥିଲେ। ବର୍ଷିୟାନ କ୍ରୀଡ଼ା ପ୍ରଶାସକ ଆଶୀର୍ବାଦ ବେହେରା, ଓସିଏ ସମ୍ପାଦକ ସଂଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆରିଭା ସ୍ପୋର୍ଟ୍ସ ଫାଉଣ୍ଡେସନ୍‌ର ମୁଖ୍ୟ କେ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓପିଟିଏଲ୍‌ ଟ୍ରଫି ଉନ୍ମୋଚନ କରିବେ। ୧୧ ଦିନିଆ ଏହି ପ୍ରତିଯୋଗିତାରେ ୬ଟି ଦଳ ରହିଥିବା ବେଳେ ମୋଟ ୧୮ଟି ମ୍ୟାଚ୍‌ ଖେଳାଯିବ। ଷ୍ଟାର୍‌ ସ୍ପୋର୍ଟ୍ସ ଖେଲ୍‌ ଓ ଫ୍ୟାନ୍‌କୋଡ୍‌ରେ ଏହି ପ୍ରତିଯୋଗିତାର ସିଧା ପ୍ରସାରଣ କରାଯିବ।