୩ ଦିନରେ ୨ ଓଭର

ଭୁବନେଶ୍ୱର: ବର୍ଷା ବ୍ୟାଘାତ ପାଇଁ ‘ବିକାଶ କ୍ରିକେଟ୍‌ ଷ୍ଟଡିୟମ୍‌’ରେ ଚଳିତ ବର୍ଷ ରଣଜୀ ପଦାର୍ପଣ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ଏଠାରେ ଖେଳା ଯିବାକୁ ଥିବା ଓଡ଼ିଶା-ତ୍ରିପୁରା ରଣଜୀ ମୁକାବିଲା ଦୀର୍ଘ ପ୍ରତୀକ୍ଷା ପରେ ଆରମ୍ଭ ହୋଇଛି। ଲଗାଣ ବର୍ଷା ପାଇଁ ମ୍ୟାଚ୍‌ର ପ୍ରଥମ ଦୁଇ ଦିନର ଖେଳ ବାତିଲ ହେବା ପରେ ରବିବାର ତୃତୀୟ ଦିନରେ ଟସ୍‌ ଓ ବଲ୍‌ ପଡ଼ିଛି। ହେଲେ ଦୁର୍ଭାଗ୍ୟଜନକ ଭାବେ ମାତ୍ର ୨ ଓଭରର ଖେଳ ସମ୍ଭବ ହୋଇଛି। ଏଥିରେ ତ୍ରିପୁରା ବିନାକ୍ଷତିରେ ୬ ରନ୍‌ କରିଛି।

ଘରୋଇ ପଡ଼ିଆରେ ଓଡ଼ିଶା ବିଜୟରୁ ରଣଜୀ ଅଭିଯାନ ଆରମ୍ଭ କରିବାର ଆଶା ରଖିଥିଲା। ବର୍ଷା ଯୋଗୁଁ ଆଶା ପୂରଣ ହେବା ଅସମ୍ଭବ ମନେ ହେଉଛି। ଆଉ ମାତ୍ର ଗୋଟିଏ ଦିନ ଥିଲା ବେଳେ ଫଳାଫଳ କିମ୍ବା ପାଳି ଅଗ୍ରଣୀ ଆଶା କମ୍‌ ରହିଛି। ଶୁକ୍ରବାର ଏବଂ ଶନିବାର ବର୍ଷା ଯୋଗୁଁ ଖେଳ ସମ୍ପୂର୍ଣ୍ଣ ଧୋଇ ଯାଇଥିଲା ବେଳେ ରବିବାର ବର୍ଷା ହୋଇନଥିଲେ ମଧ୍ୟ ପଡ଼ିଆ ଓଦା ଯୋଗୁଁ ଖେଳ ଆରମ୍ଭ ହେବାରେ ବିଳମ୍ବ ହୋଇଥିଲା। ପଡ଼ିଆ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ପଡ଼ିଆ ଖେଳ ଉପଯୋଗୀ ବୋଲି ଅପରାହ୍ଣ ୩.୧୫ରେ ମ୍ୟାଚ୍‌ ରେଫରି ଏବଂ ଦୁଇ ଅମ୍ପାୟର ଉଲ୍ଲାସ ଭିତଲରାଓ ଗାନ୍ଧୀ ଏବଂ ତପନ ଶର୍ମା ଘୋଷଣା କରିଥିଲେ। ୩.୩୦ରେ ଟସ୍‌ ପଡ଼ିବା ପରେ ୩.୪୫ରେ ଖେଳ ଆରମ୍ଭ ହୋଇଥିଲା। ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଟସ୍‌ ଜିତି ଓଦା ପିଚ୍‌ରୁ ସୁଇଙ୍ଗ୍‌ ମିଳିବା ଆଶାରେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭର ବସନ୍ତ ମହାନ୍ତି ବୋଲିଂ କରିଥିଲେ। ତ୍ରିପୁରାର ବିଶାଲ ଘୋଷ ଏହି ଓଭରରେ ଏକ ଚୌକା ମାରି ପାଳିର ଶୁଭାରମ୍ଭ କରିଥିଲେ। ଦ୍ୱିତୀୟ ଓଭରରେ ସୂର୍ଯ୍ୟକାନ୍ତ ପ୍ରଧାନ ବୋଲିଂ ପାଇଁ ଆସିଥିଲେ। ଉଦ୍ୟାନ ବୋଷ ଏହି ଓଭରରେ ୨ ରନ୍‌ ସଂଗ୍ରହ କରି ଦଳୀୟ ସ୍କେର୍‌ ୬ରେ ପହାଞ୍ଚାଇ ଥିଲେ। ମାତ୍ର ୮ ମିନିଟ୍‌ ଓ ୨ ଓଭର ପରେ ଆକାଶରେ କଳା ବାଦଲ ଦେଖା ଯାଇଥିଲା। ଆଲୋକ ଅଭାବରୁ ସେହିଠାରେ ଖେଳ ବନ୍ଦ ହୋଇ ଯାଇଥିଲା।

ପାଳି ପରାଜୟ ଟାଳିବାକୁ ୨୦୮ ରନ୍‌
ଓଡ଼ିଶା ସାମିଲ ଥିବା ଗ୍ରୁପ୍‌ ‘ସି’ ଅନ୍ତର୍ଗତ ଇନ୍ଦୋରରେ ଖେଳାଯାଇଥିବା ମଧ୍ୟପ୍ରଦେଶ ଏବଂ ବରୋଦା ମ୍ୟାଚ୍‌ରୁ ଫଳାଫଳ ମିଳିବା ସମ୍ଭାବନା ଉପୁଜିଛି। ପାଳି ପରାଜୟ ଟାଳିବା ଲାଗି ବରୋଦାକୁ ଏବେ ୨୦୮ ରନ୍‌ ଦରକାର ପଡ଼ୁଛି। ମଧ୍ୟପ୍ରଦେଶ ପ୍ରଥମ ପାଳି ୫୫୧/୮ରେ ଘୋଷଣା କରିବା ପରେ ବରୋଦା ଦଳ ପ୍ରଥମ ପାଳିରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୦୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଲୋଅନ୍‌ ପରେ ଦ୍ୱିତୀୟ ପାଳି ଆରମ୍ଭ କରି ବରୋଦା ଗୋଟିଏ ଓ୍ଵିକେଟ୍‌ ହରାଇ ୪୧ ରନ୍‌ କରିଛି।

ପୂର୍ବ ଦିନର ସ୍କୋର୍‌ ୩୬/୨ରୁ ଆରମ୍ଭ କରିଥିବା ବରୋଦା ଦଳ ରବିବାର ତୃତୀୟ ଦିବସରେ ଏଥିରେ ମାତ୍ର ୨୬୬ ରନ୍‌ ଯୋଡ଼ି ୮ ଓ୍ଵିକେଟ୍‌ ହରାଇଥିଲା। ପଠାନ ଭ୍ରାତା ୟୁସୁଫ୍‌ (୧୧୧ ରନ୍‌, ୧୨୫ ବଲ୍‌, ୧୩ ଚୌକା, ୬ ଛକା) ଶତକ ଏବଂ ଅଧିନାୟକ ଇର୍ଫାନ୍‌ (୮୦ ରନ୍‌, ୧୩୦ ବଲ୍‌, ୧୦ ଚୌକା, ୩ ଛକା) ଅର୍ଧଶତକ ହାସଲ କରି କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ଦଳକୁ ଫଲୋଅନ୍‌ରୁ ବଞ୍ଚାଇ ପାରିନଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ଈଶ୍ୱର ଚାନ୍ଦ ପାଣ୍ଡେ, ଅଭେସ ଖାନ୍‌, ଅଙ୍କିତ ଶର୍ମା ଏବଂ ମିହିର ହିରଓ୍ଵାନୀ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ପାଳିରେ ବରୋଦା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଆଦିତ୍ୟ ଓ୍ଵାଘମୋଡ୍‌ (୩୧ ରନ୍‌)ଙ୍କୁ ହରାଇ ୪୧ ରନ୍‌ କରିଛି। କେଦାର ଦେବଧର ୭ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଏହି ଏକମାତ୍ର ଓ୍ଵିକେଟ୍‌ଟି ଅଭେସ୍‌ ଖାନ୍‌ ନେଇଥିଲେ।

ସେହିପରି ଚେନ୍ନାଇରେ ଖେଳାଯାଇଥିବା ତାମିଲନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶ ମ୍ୟାଚ୍‌ ମଧ୍ୟ ଫଳାଫଳ ଆଡ଼କୁ ଗତି କରିଛି। ତାମିଲନାଡ଼ୁର ପ୍ରଥମ ପାଳି ସ୍କୋର୍‌ ୧୭୬ ଜବାବରେ ଆନ୍ଧ୍ରପ୍ରଦେଶ ପ୍ରଥମ ପାଳିରେ ୩୦୯ ରନ୍‌ କରିଛି। ଦ୍ୱିତୀୟ ଦିନର ୨୩୧/୭ରୁ ଆରମ୍ଭ କରିଥିବା ଆନ୍ଧ୍ରପ୍ରଦେଶ ଏଥିରେ ମାତ୍ର ୬୮ ରନ୍‌ ଯୋଡ଼ି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ବୋଡ଼ାପତି ସୁମନ୍ତ ୧୦୯ ରନ୍‌ ଏବଂ ଅଶ୍ୱିନ ହେବର ୬୪ ରନ୍‌ କରିଥିଲେ। ରବିଚନ୍ଦ୍ରନ୍‌ ଅଶ୍ୱିନ ୪, କୃଷ୍ଣମୂର୍ତି ବିଘ୍ନେଶ ୩ ଏବଂ ଲକ୍ଷ୍ମୀନାରାୟଣ ବିଘ୍ନେଶ ୨ ଓ୍ଵିକେଟ୍‌ ନେଇଥିଲେ। ଦ୍ୱିତୀୟ ପାଳି ଆରମ୍ଭ କରି ତାମିଲନାଡ଼ୁ ତୃତୀୟ ଦିନ ଶେଷ ସୁଦ୍ଧା ୨ ଓ୍ଵିକେଟ୍‌ ହରାଇ ୧୧୨ ରନ୍‌ କରିଛି। ଫଳରେ ଦଳ ୮ ଓ୍ଵିକେଟ୍‌ ହାତରେ ରଖି ୨୧ ରନ୍‌ ପଛରେ ରହିଛି। ଦ୍ୱିତୀୟ ପାଳିରେ ଅଭିନବ ମୁକୁନ୍ଦ ୮୪ ରନ୍‌ ଏବଂ ବାବା ଅପରାଜିତ ୧୫ ରନ୍‌ରେ ବ୍ୟାଟିଂ ଜାରି ରଖିଛନ୍ତି। ମୂରଲୀ ବିଜୟ ୧୩ ରନ୍‌ରେ ରିଟାର୍ଡ ହର୍ଟ ହୋଇଥିଲା ବେଳେ କୌଶିକ ଗାନ୍ଧୀ (୭) ଏବଂ ବାବା ଇନ୍ଦରଜିତ (୧୬) ଆଉଟ୍‌ ହୋଇଛନ୍ତି। ଏହି ଦୁଇ ଓ୍ଵିକେଟ୍‌ ପୃଥ୍ଵୀରାଜ ଏବଂ ଭାର୍ଗବ ଭଟ୍ଟ ବାଣ୍ଟି ନେଇଥିଲେ।

ସମ୍ବନ୍ଧିତ ଖବର