ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଣ୍ଟାବାଡ଼ସ୍ଥିତ ବିକାଶ କ୍ରିକେଟ୍ ଷ୍ଟଡିୟମ୍ରେ ରଣଜୀ ପଦାର୍ପଣ ପର୍ବ ଲୁଚକାଳି ଖେଳୁଛି। ଓଡ଼ିଶା ଏବଂ ତ୍ରିପୁରା ମଧ୍ୟରେ ଖେଳାଯିବାକୁ ଥିବା ନୂଆ ଋତୁର ଏହି ପ୍ରଥମ ମ୍ୟାଚ୍ର ପ୍ରଥମ ଦୁଇ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇଯାଇଛି। ପ୍ରଥମ ଦିବସ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଟସ୍ ପଡ଼ିବା ସୁଯୋଗ ଦେଇନାହାନ୍ତି ଇନ୍ଦ୍ରଦେବତା। ଜଙ୍ଗଲିଆ ମନୋରମ ପରିବେଶରେ ଅବସ୍ଥିତ ଏହି ନୂଆ ପ୍ରଥମ ଶ୍ରେଣୀ ପଡ଼ିଆରେ ଶନିବାର ସକାଳେ ଭଲ ପାଗ ଥିଲା। ପଡ଼ିଆ ଶୁଖି ଆସୁଥିବାବେଳେ ମଧ୍ୟାହ୍ନ ପରେ ମ୍ୟାଚ୍ ଆରମ୍ଭର ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ମଧ୍ୟାହ୍ନରେ ପୁଣି ବର୍ଷା ହେବାରୁ ୪ ଥର (୯.୦୫ ମିନିଟ୍, ୧୦.୪୨ ମିନିଟ୍, ୧୨.୩୫ ମିନିଟ୍ ଏବଂ ୧.୪୫ ମିିନିଟ୍) ପିଚ୍ ପରୀକ୍ଷଣ କରି ଦୁଇ ଅମ୍ପାୟାର୍ ଉଲ୍ଲାସ ଭିତଲରାଓ ଗାନ୍ଧୀ, ତପନ ଶର୍ମାଙ୍କ ସହ ଆଲୋଚନା କରି ମ୍ୟାଚ୍ ରେଫରି ପି ରଙ୍ଗନାଥନ୍ ମଧ୍ୟାହ୍ନରେ ଦ୍ୱିତୀୟ ଦିନ ଖେଳକୁ ବାତିଲ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ରବିିବାର ପାଇଁ କିନ୍ତୁ ଭଲ ପାଗର ପୂର୍ବାନୁମାନ ରହିଛି।
ଡେରାସ ବୁଲିଲେ ଓଡ଼ିଶା ଖେଳାଳି
ବର୍ଷା ପାଇଁ ଲଗାତାର ଦ୍ୱିତୀୟ ଦିବସ ମ୍ୟାଚ୍ ବାତିଲ ହେବା ପରେ ଓଡ଼ିଶା ଦଳର ସଦସ୍ୟମାନେ ଶନିବାର ଅପରାହ୍ଣରେ ବିକାଶ ପଡ଼ିଆ ନିକଟସ୍ଥ ଡେରାସ ଡ୍ୟାମ୍ ଏବଂ ଏହାର ପାର୍ଶ୍ୱରେ ଥିବା ପର୍ଯ୍ୟଟନ ସ୍ଥଳ ବୁଲିଥିଲେ। ଚନ୍ଦକା ହାତୀ ଅଭୟାରଣ୍ୟ ଅନ୍ତର୍ଗତ ଏହି ମନୋରାମ ଶାନ୍ତ ପରିବେଶକୁ ଉପଭୋଗ କରିଥିଲେ ଓଡ଼ିଶା ଖେଳାଳିମାନେ। ଡେରାସର ବଂଧ, ହ୍ରଦ, ଘଞ୍ଚ ସବୁଜୀମା ଘେରା ଏହି ବଣଭୋଜି ପର୍ଯ୍ୟଟନ ସ୍ଥଳର ମଜା ନେଇଥିଲା ଓଡ଼ିଶା ରଣଜୀ ଦଳ।
ପ୍ରଶାନ୍ତଙ୍କ ତ୍ରିଶତକ: ହିମାଚଳ ୭୨୯
ଧର୍ମଶାଳାରେ ଅନ୍ୟ ଏକ ମ୍ୟାଚ୍ରେ ପଞ୍ଜାବ ବିପକ୍ଷରେ ହିମାଚଳପ୍ରଦେଶ ୮ ଓ୍ଵିକେଟ୍ରେ ୭୨୯ ରନ୍ରେ ପାଳି ଘୋଷଣା କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପ୍ରଶାନ୍ତ ଚୋପ୍ରା ପ୍ରଥମ ତ୍ରିଶତକ (୩୩୮, ୩୬୩ ବଲ୍, ୪୪ ଚୌକା, ୨ ଛକା) ହାସଲ କରିଥିବାବେଳେ ପାରସ ଡୋଗ୍ରା (୯୯) ଏବଂ ଅଙ୍କୁଶ ବେନ୍ସ (୮୦) ଶତକରୁ ବଞ୍ଚିତ ହୋଇଥିଲେ। ସନ୍ଦୀପ ଶର୍ମା କିନ୍ତୁ ୪ ଓ୍ଵିକେଟ୍ ନେଇଥିଲେ। ଦ୍ୱିତୀୟ ଦିବସ ସୁଦ୍ଧା ପଞ୍ଜାବ ୧ ଓ୍ଵିକେଟ୍ରେ ୧୧୦ ରନ୍ ସଂଗ୍ରହ କରିଛି।
ଇନ୍ଦୋରରେ ମଧ୍ୟପ୍ରଦେଶ ୫୫୧
ଓଡ଼ିଶା ସାମିଲ ଥିବା ଗ୍ରୁପ୍ ‘ସି’ର ଅନ୍ୟ ଦୁଇ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ବରୋଦା-ମଧ୍ୟପ୍ରଦେଶ ଏବଂ ତାମିଲନାଡୁ-ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ଦିବସ ଖେଳ ସମ୍ଭବ ହୋଇଛି। ଇନ୍ଦୋରରେ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ୫୫୧/୮ରେ ଘୋଷଣା କରିଛି। ଶୁକ୍ରବାର ୪୧ ବର୍ଷୀୟ ଅଧିନାୟକ ଦେବେନ୍ଦ୍ର ବୁନ୍ଦେଲା (୯୯) ଶତକରୁ ବଞ୍ଚିତ ହୋଇଥିଲେ। ଶନିବାର ଯୁବ ବ୍ୟାଟସମ୍ୟାନ୍ ଶୁଭମ ଶର୍ମା (୧୯୬, ୩୯୪ ବଲ୍, ୨୩ ଚୌକା) ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଅଙ୍କିତ ଶର୍ମା (୧୦୪) କିନ୍ତୁ ଶତକ ହାସଲ କରିଥିଲେ। ଜବାବରେ ବରୋଦା ଦ୍ୱିତୀୟ ଦିନ ସୁଦ୍ଧା ୨ ଓ୍ଵିକେଟ୍ରେ ୩୬ ରନ୍ ସଂଗ୍ରହ କରିଥିଲା। ଚେନ୍ନାଇରେ ତାମିଲନାଡୁର ୧୭୬ ରନ୍ ଜବାବରେ ଆନ୍ଦ୍ରପ୍ରଦେଶ ୭ ଓ୍ଵିକେଟ୍ରେ ୨୩୧ ରନ୍ ସଂଗ୍ରହ କରି ବିଶେଷ ଫାଇଦା ଉଠାଇ ପାରିନାହିଁ। ଆର୍ ଅଶ୍ୱିନ୍ଙ୍କ ସହିତ ବିଘ୍ନେଶ ଯୋଡ଼ି (କୃଷ୍ଣମୂର୍ତି ଓ ଲକ୍ଷ୍ମୀନାରାୟଣ) ପ୍ରତ୍ୟେକ ୨ ଓ୍ଵିକେଟ୍ ନେଇଛନ୍ତି।