ନୂଆ ପଡ଼ିଆରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ

ଦଶନ୍ଧି ପରେ ଓଡ଼ିଶା-ତ୍ରିପୁରା ରଣଜୀ ଭେଟ ଆଜିଠୁ

ଭୁବନେଶ୍ୱର, ୫|୧୦ (ଇମିସ): ନୂଆ ଋତୁ, ନୂଆ ପଡ଼ିଆ, ନୂଆ ପ୍ରଶିକ୍ଷକ କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ପୁରୁଣା। ଏଭଳି ପରିବେଶ ଓ ପରିସ୍ଥିତି ଭିତରେ ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା। ବିଗତ ଦଶନ୍ଧିରେ ଆଦୌ ଭେଟି ନ ଥିବା ତ୍ରିପୁରା ବିପକ୍ଷରେ ନୂଆ ପ୍ରଥମ ଶ୍ରେଣୀ ପଡ଼ିଆ ବିକାଶ କ୍ରିକେଟ୍‌ ଷ୍ଟଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବକୁ ଯାଉଛି ଏହି ମୁକାବିଲା। ଉଭୟ ଦଳ ବିକାଶ ଷ୍ଟାଡିୟମ୍‌ରେ ଗୁରୁବାର ପୂର୍ବାହ୍ନରେ ଜୋରଦାର ଅଭ୍ୟାସ କରି ପ୍ରଥମ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ମୁକାବିଲା ସହିତ ଗୋଟିଏ ଋତୁ ବ୍ୟବଧାନ ପରେ ଓଡ଼ିଶା ଦଳ ପୁଣି ଘରୋଇ ପଡ଼ିଆରେ ଖେଳିବ। ଗତବର୍ଷ ଓଡ଼ିଶା ଦଳ ସାମ୍ପ୍ରତିକ ସମୟର ଶ୍ରେଷ୍ଠ ପ୍ରଦର୍ଶନ କରି ୧୫ ବର୍ଷ ପରେ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଥିଲା। ଏହି ପ୍ରଦର୍ଶନରୁ ପାଇଥିବା ଆତ୍ମବିଶ୍ୱାସରୁ ଗୋବିନ୍ଦ ପୋଦ୍ଦାରଙ୍କ ଦଳ ଏଥର ଉପଯୋଗ କରି ଆଗକୁ ବଢ଼ିବ ବୋଲି ଯୋଜନା କରିଛି। ନୂଆ ପଡ଼ିଆ ସହିତ ନୂଆ ମୁଖ୍ୟ ପ୍ରଶିକ୍ଷକ ଟେଷ୍ଟ୍‍ ତାରକା ଶିବ ସୁନ୍ଦର ଦାସଙ୍କ ଅଧୀନରେ ମଧ୍ୟ ନୂଆ ଅଧ୍ୟାୟ ଯୋଡ଼ିବା ପ୍ରୟାସରେ ରହିଛି। ଅନ୍ୟପକ୍ଷରେ ଘରୋଇ କ୍ରିକେଟ୍‌ରେ ସେଭଳି ସୁନାମ କମାଇ ନଥିବା ତ୍ରିପୁରା ଗତ ଋତୁରେ ଭଲ ପ୍ରଦର୍ଶନ କରିଥିବାରୁ ମଣିଶଙ୍କର ମୁରାସିଂହଙ୍କ ନେତୃତ୍ୱରେ ବିନା ଚାପରେ ଖେଳି କିଛି କରିସ୍ମା କରିବା ଲକ୍ଷ୍ୟରେ ରହିଛି। ପ୍ରଥମ ରଣଜୀ ପଡ଼ିଆ ଭାବେ ବିକାଶ କ୍ରିକେଟ ଷ୍ଟାଡିୟମ୍‌ କିନ୍ତୁ ଉଭୟ ଦଳର ଖେଳାଳିଙ୍କୁ ପିଚ୍‌ର ଆଚାର ବ୍ୟବହାର ନେଇ ସଂଶୟ, ଦ୍ୱନ୍ଦ ଓ ଦ୍ୱିବିଧାରେ ରଖିଛି। ଗୁରୁବାର ମଧ୍ୟାହ୍ନରେ ଅଭ୍ୟାସ ପରେ ଅସରାଏ ବର୍ଷା ଏବଂ ପରବର୍ତୀ ଦିନ ବର୍ଷାର ଭବିଷ୍ୟବାଣୀ ମଧ୍ୟ ମ୍ୟାଚ୍‌ର ଭବିଷ୍ୟତ ଉପରେ କଳାବାଦଲ ଢ଼ାଙ୍କିଦେଇଛି।

ଅତୀତ ଓଡ଼ିଶା ସପକ୍ଷରେ ୧୬-୦

ତ୍ରିପୁରା ଓ ଓଡ଼ିଶା ଗୋଟିଏ ଜୋନ୍‌ (ପୂର୍ବାଞ୍ଚଳ)ର ହୋଇଥିଲେ ମଧ୍ୟ ବିଗତ ଏକ ଦଶନ୍ଧି ଭିତରେ ଉଭୟ ଦଳ ଭେଟାଭେଟି ହୋଇ ନ ଥିଲେ। ଓଡ଼ିଶା ଏଲିଟ୍‌ରେ ଖେଳୁଥିବାବେଳେ ତ୍ରିପୁରା ତଳ ଗ୍ରୁପ୍‌ରେ ରହିଥିଲା। ଏହା ହିଁ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ କ୍ରିକେଟ୍‌ ବ୍ୟବଧାନ ହୋଇ ରହିଛି। ଓଡ଼ିଶା ଗତବର୍ଷ ଶୀର୍ଷ ୮ ଭିତରେ ରହିଥିବାବେଳେ ତ୍ରିପୁରା ଶେଷ ୮ରେ ରହିଥିଲା। କିନ୍ତୁ ପେସାଦାର ଖେଳାଳିଙ୍କୁ ସାମିଲ କରିବା ପରେ ତ୍ରିପୁରା ଗତବର୍ଷ ଢ଼େର ଲଢ଼ିଥିଲା। କାହାରିକୁ ସହଜରେ ବାଟ ଛାଡ଼ି ନ ଥିଲା। ତେବେ ଦୁଇ ରାଜ୍ୟ ମଧ୍ୟରେ ଅତୀତ ମୁକାବିଲା ଦେଖିଲେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସପକ୍ଷରେ ରହିଛି। ମୋଟ ୧୯ ମୁକାବିଲାରୁ ଓଡ଼ିଶା ୧୬ ସିଧାସଳଖ ବିଜୟ ଏବଂ ଅବିଶିଷ୍ଟ ୩ଟିକୁ ପାଳି ଅଗ୍ରଣୀ ବିଜୟରେ ରଖିଛି। ଗୋଟିଏ ଶତାବ୍ଦୀ ପରେ ହେଉଥିବା ଏହି ବିଂଶତମ ମୁକାବିଲା କିନ୍ତୁ ନୂଆ ପିଢ଼ି ଓ ନୂଆ ଆଶା ଭିତରେ ରହିଛି।

ବାଉନ୍‌ସ ଓ ସୁଇଙ୍ଗ ମିଳିବ

ଭୁବନେଶ୍ୱର ଉପକଣ୍ଠ ଡେରାଶ ନିକଟସ୍ଥ କଣ୍ଟାବାଡ଼ର ବିକାଶ କ୍ରିକେଟ୍‌ ଷ୍ଟାଡିୟମ୍‌ ରାଜ୍ୟର ୧୮ତମ ପ୍ରଥମ ଶ୍ରେଣୀ ପଡ଼ିଆ ଭାବେ ସାମିଲ ହେବାକୁ ଯାଉଛି। ପୂର୍ବରୁ ଗୋଟିଏ ମାତ୍ର ବିସିସିଆଇ ମ୍ୟାଚ୍‌ ୧୯ ବର୍ଷରୁ କମ୍‌ ବର୍ଗର ଖେଳାଯାଇଥିଲା। ଏଥି ପାଇଁ ପ୍ରସ୍ତୁତ ପିଚ୍‌ କିନ୍ତୁ ନିଜର ପରୀକ୍ଷା ଦେବା ସହିତ ଖେଳାଳିଙ୍କ ପରୀକ୍ଷା ନେବ। କଳା ଚିଟ୍ଟା ମାଟିରେ ପ୍ରସ୍ତୁତ ଏହି ପିଚ୍‌ରେ ସ୍ୱଳ୍ପ ଘାସ ରହିଛି। ଖୋଲା ପଡ଼ିଆ ଦୃୃଷ୍ଟିରୁ ପବନ ବି ଚାଲୁଛି। ସେହି ଦୃଷ୍ଟିରୁ ଏଠାରେ ଦ୍ରୁତ ବୋଲରଙ୍କୁ ବାଉନ୍‌ସ ସହିତ ସୁଇଙ୍ଗ ମିଳିବ। ୪ ଦିନିଆ ପିଚ୍‌ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପିଚ୍‌ ନିର୍ମାତା ସୁଟୁ ଘୋଷ। ଗୁରୁବାର ଅଭ୍ୟାସ ବେଳେ ପାର୍ଶ୍ୱ ପିଚ୍‌ରେ ବଲ୍‌ ତଳୁଆ ରହୁଥିବା ନଜରକୁ ଆସିଥିଲା। ତେବେ ଦ୍ରୁତ ବୋଲରଙ୍କ ପାଇଁ ଏହା ଉତ୍ସାହଜନକ ରହିବ ବୋଲି ପୂର୍ବାନୁମାନ କରିହେବ। କିନ୍ତୁ ଏଠାରେ ପ୍ରଚୁର ରନ୍‌ ରହିଛି ବୋଲି କହିଛନ୍ତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର।

ଓଡ଼ିଶା ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଅବିନାଶ ସାହା, ରଂଜିତ ସିଂହ, ଶୁଭ୍ରାଂଶୁ ସେନାପତି, ବିପ୍ଳବ ସାମନ୍ତରାୟ, ସୌରଭ ରାଓ୍ଵତ, ଧୀରାଜ ସିଂହ, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଆଲୋକ ମଙ୍ଗରାଜ, ଦୀପକ ବେହେରା। ପ୍ରଶିକ୍ଷକ: ଶିବସୁନ୍ଦର ଦାସ, ଫିଜିଓ: ଶୁଭକାନ୍ତ ସାହୁ, ଟ୍ରେନର୍‌: ମନୋଜ ବିଶ୍ୱାଳ।
ତ୍ରିପୁରା ଦଳ: ମଣିଶଙ୍କର ମୁରାସିଂହ (ଅଧିନାୟକ), ଉଦିୟାନ ବୋଷ (ଉପ ଅଦିନାୟକ), ଜୟଦୀବ ବଣିକ, ରାଜେଶ ବଣିକ, ଦ୍ୱିପାୟନ ଭଟ୍ଟାଚାର୍ଯ୍ୟ, ଜୟଦୀପ ଭଟ୍ଟାଚାର୍ଯ୍ୟ, ଅଭିଜିତ ଦେ, ବିଶାଲ ଘୋଷ, ଗୁରିନ୍ଦର ସିଂହ, ସ୍ମିତ ପଟେଲ୍‌ (ଓ୍ଵିକେଟରକ୍ଷକ), ରାଣା ଦତ୍ତ, ଅଭିଜିତ୍‌ ସରକାର, ଅଜୟ ସରକାର, ସମ୍ରାଟ ସିଂହ, ୟଶପାଲ୍‌ ସିଂହ। ମୁଖ୍ୟ ପ୍ରଶିକ୍ଷକ: ଅନୂଜପାଲ୍‌ ଦାସ। ସହକାରୀ ପ୍ରଶିକ୍ଷକ: ରାଜୀବ ଦତ୍ତ, ସୁନ୍ଦୀପ ବାନାର୍ଜୀ।

ପ୍ରସ୍ତୁତିରେ ସାଲିସ୍‌ କରିନୁ: ଗୋବିନ୍ଦ

ପ୍ରଥମ ମ୍ୟାଚ୍‌ ଆମ ପାଇଁ ନୂଆ ପଡ଼ିଆରେ ହେଉଛି। ଜଙ୍ଗଲିଆ ପରିବେଶରେ ପବନ ବି ବହୁଛି। ଆମେ ଏଠାରେ ଆଗରୁ ଖେଳି ନଥିଲେ ବି ଗତ ୧୨ ଦିନ ହେବ ପ୍ରସ୍ତୁତି କରିଛୁ। ପ୍ରସ୍ତୁତିରେ କୌଣସି ପ୍ରକାର ସାଲିସ କରିନାହୁଁ। ବୋଲି ପ୍ରକାଶ କରିଛନ୍ତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର। ଦେଢ଼ ମାସ ହେବ କରିଥିବା ପ୍ରସ୍ତୁତି ଶେଷରେ ଖେଳାଳିମାନେ ଭଲ ସ୍ଥିତିରେ ରହିଛନ୍ତି। ଅତୀତ ପ୍ରଦର୍ଶନକୁ ଆମେ ଭୁଲିଯାଇଛି। ପ୍ରଦର୍ଶନର ବ୍ୟବଛେଦ କରିବାରେ ବିଶ୍ୱାସ କରୁନାହୁଁ। ପ୍ରଥମ ମ୍ୟାଚ୍‌ ପାଇଁ ଆମ ବ୍ୟାଟସମ୍ୟାନ୍‌ ପ୍ରସ୍ତୁତ, ବୋଲର ପ୍ରସ୍ତୁତ, କ୍ଷେତ୍ରରକ୍ଷକ ପ୍ରସ୍ତୁତ। ମାନସିକ ଭାବେ ଆମେ ବି ଢ଼େର ପ୍ରସ୍ତୁତ ହୋଇଛୁ ବୋଲି କହିଥିଲେ ଏହି ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌। ଗତ ୬ ବର୍ଷ ପ୍ରଶିକ୍ଷକ ଥିବା ଦେବାଶିଷ ମହାନ୍ତିଙ୍କ ଅନୁପସ୍ଥିତି ଅନୁଭବ ହେବ ବୋଲି ଗୋବିନ୍ଦ ସ୍ୱୀକାର କରିଥିଲେ ମଧ୍ୟ ତାଙ୍କ ସହ ଏବେ ବି ଆମେ ଯୋଗାଯୋଗରେ ରହିଛୁ ବୋଲି ପ୍ରକାଶ କରିଥିଲେ। ଦେବୁଦା ଥିଲା ବେଳେ ବି ରଶ୍ମିରଂଜନ ପରିଡ଼ା ଓ ଶିବସୁନ୍ଦର ଦାସ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ୩ ଜଣ ହିଁ ମିଳିତ ଭାବେ ଏହି ଦଳକୁ ସଂଗଠିତ କରିଛନ୍ତି ଏବଂ ଗଢ଼ିଛନ୍ତି। ସମସ୍ତଙ୍କ ପରାମର୍ଶରେ ହିଁ ଓଡ଼ିଶା ଦଳ ବଢ଼ିଛି। ଓଡ଼ିଶା ଏଭଳି ଦଳ ନ ଥିଲା ଯେ କେହି ୧୨୦୦ ରନ୍‌ କରୁଥିଲେ ବି ୬୦ ଓ୍ଵିକେଟ୍‌ ନେଉଥିଲେ। କିନ୍ତୁ ଆମେ କ୍ୱାର୍ଟରଫାଇନାଲ୍‌ ପହଞ୍ଚି ପାରିଥିଲୁ। ସାମଗ୍ରିକ ପ୍ରଦର୍ଶନ କରି ଦଳ ମ୍ୟାଚ୍‌ ଜିତିଛି। ଅତୀତରେ କିଭଳି ଭଲ କରିଛୁ ଏବଂ ଆସନ୍ତାକାଲି କିଭଳି ଭଲ କରିପାରିବୁ ଯୋଜନା ରଖିଛୁ। ନଟରାଜଙ୍କ ପ୍ରତ୍ୟାବର୍ତନ ବ୍ୟାଟିଂରେ ମୋ ଉପରୁ ଏବଂ ବିପ୍ଳବଙ୍କ ଉପରୁ ଚାପ କମାଇବ। ତ୍ରିପୁରାକୁ ଆମ ହାଲକାରେ ନେଉନାହୁଁ ବୋଲି କହିଥିଲେ ଗୋବିନ୍ଦ। ନୂଆ ପିଚ୍‌ରେ ପ୍ରଚୁର ରନ୍‌ ରହିଛି, ଓ୍ଵିକେଟ୍‌ ବି ମିଳିବ। ବ୍ୟାଟସମ୍ୟାନ୍‌ ୨ ଘଣ୍ଟା ବିତାଇଲେ ରନ୍‌ ଆପେ ଆପେ ଆସିବ। ବୋଲର ବି ମଜା ନେଇ ପାରିବେ। ପିଚ୍‌ର କଳା ଚିଟ୍ଟା ମାଟିରେ ଦ୍ରୁତ ବୋଲରଙ୍କ ପାଇଁ ସୁଯୋଗ ରହିବ। ଅଷ୍ଟ୍ରେଲିଆ ବିପକ୍ଷରେ ବୋର୍ଡ ସଭାପତି ଏକାଦଶରୁ ଖେଳିବା ମୋ ପାଇଁ କେବଳ ଅଭିଜ୍ଞତା ଥିଲା। ବିଶେଷ କିଛି କରିପାରି ନଥିଲି ବୋଲି କହିଥିଲେ ଏହି ଆତ୍ମବିଶ୍ୱାସୀ ରାଉରକେଲା ଅଲରାଉଣ୍ଡର୍‌।

 

ଓଡ଼ିଶା ଭଲ ଦଳ: ମୁରାସିଂହ

ଓଡ଼ିଶା ଏକ ଭଲ ଦଳ। ଗତବର୍ଷ ରଣଜୀ କ୍ୱାର୍ଟରଫାଇନାଲ୍‌ ଖେଳିଥିଲା। ୪ ଦିନିଆରେ ବହୁ ବର୍ଷ ପରେ ମୁକାବିଲା ହେଉଛି। ଆମେ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ରେ ଏହି ଦଳ ସହ ଖେଳିଛୁ। ଗତବର୍ଷ କେଏସ୍‌ସିଏ ପ୍ରତିଯୋଗିତାରେ ଖେଳିଥିଲୁ। ଆମେ ସେମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ସଂଗ୍ରହ କରିଛୁ। ସେହି ତୁଳନାରେ ଖେଳିବୁ ବୋଲି କହିଥିଲେ ତ୍ରିପୁରା ଅଧିନାୟକ ମଣିଶଙ୍କର ମୁରାସିଂହ। ତ୍ରିପୁରାର ପ୍ରସ୍ତୁତି ବର୍ଷାରେ ବାଧାପ୍ରାପ୍ତ ହେବାରୁ ଆମେ କର୍ଣ୍ଣାଟକରେ ଅଭ୍ୟାସ କରିଥିଲୁ। ଗୋଟିଏ ଦୁଇଟି ଆମନ୍ତ୍ରଣୀୟ ପ୍ରତିଯୋଗିତା ବି ଖେଳିଛୁ। ରାଜ୍ୟ ବାହାରେ ଆମକୁ ଶିବିର ବି ଲଗାଇବାକୁ ପଡ଼ିଛି। ଏସବୁ କାରଣରୁ ତ୍ରିପୁରା ଦଳ କ୍ରମେ ଉନ୍ନତି କରିଛି ବୋଲି କହିଥିଲେ ଏହି ୨୫ ବର୍ଷୀୟ ଅଲରାଉଣ୍ଡର୍‌। ନିଜ ଶକ୍ତି ଓ ସାମର୍ଥ୍ୟ ଅନୁସାରେ ଖେଳିବାକୁ ଆମେ ଚେଷ୍ଟା କରିବୁ। ପିଚ୍‌ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ବିଶେଷ ନଜର ନ ରଖି ଯାହା ଆମ ନିୟନ୍ତ୍ରଣରେ ରହିଛି ସେହି ଅନୁସାରେ ଖେଳିବୁ ବୋଲି କହିଥିଲେ ମୁଖ୍ୟ ପ୍ରଶିକ୍ଷକ ଅନୂଜପାଲ୍‌ ଦାସ।

ପରବର୍ତୀ ସ୍ତରକୁ ଯିବା ଲକ୍ଷ୍ୟ: ଶିବ

ନୂଆ ଋତୁର ପ୍ରଥମ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଠିକ୍‌ ରହିଛି, ଆମେ ଏବେ ପ୍ରସ୍ତୁତ ବୋଲି କହିଛନ୍ତି ନୂଆ ପ୍ରଶିକ୍ଷକ ଶିବ ସୁନ୍ଦର ଦାସ। କଳାହାଣ୍ଡି କପ୍‌ ଅନ୍ତଃଜିଲ୍ଲା ହୋଇ ନ ଥିଲା କି ଆମେ ବାହାରେ ଖେଳିବାର ସୁଯୋଗ ପାଇନଥିଲୁ। ପିଲାଙ୍କ ପାଇଁ ମ୍ୟାଚ୍‌ ଅଭ୍ୟାସର ଅଭାବ ରହିଛି। ଖାସ ଏଇଥି ପାଇଁ ଆମେ ଏକାଧିକ ମ୍ୟାଚ୍‌ ଖେଳିବା ଉପରେ ଗୁରୁତ୍ୱ ଦେଇ ପ୍ରସ୍ତୁତି କରିଛୁ। ତଥାପି ଏହି ଦଳର ଖେଳାଳିଙ୍କ ନିକଟରେ ମିଳିତ ଭାବେ ୩୦୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଛି। ଏହାକୁ ବିନିଯୋଗ କରିବା ଲକ୍ଷ୍ୟ ରହିଛି ବୋଲି କହିଥିଲେ ଏହି ପୂର୍ବତନ ଟେଷ୍ଟ୍‍ ତାରକା। ପ୍ରସ୍ତୁତିରେ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ, ଦଳ ଏଥର ନିଶ୍ଚିତ ଭଲ କରିବ। ଆମ ଖେଳାଳିଙ୍କୁ କ୍ରିକେଟ୍‌ର ପରବର୍ତୀ ସ୍ତରକୁ ନେବା ଆମ ଲକ୍ଷ୍ୟ। ଗୋବିନ୍ଦ ପୋଦ୍ଦାର ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ବୋର୍ଡ ସଭାପତି ଦଳରୁ ଖେଳିବା ଆମ ପାଇଁ ସକାରାତ୍ମକ ସଙ୍କେତ ଆଣିଛି। ଅଧିନାୟକ ଏଭଳି ସୁଯୋଗ ପାଇବା ଭଲ କଥା, ତାଙ୍କ ଉପରେ ଚୟନକର୍ତାଙ୍କ ନଜର ରହିଛି। ଯୁବ ଖେଳାଳିଙ୍କୁ ପ୍ରବର୍ତାଇବା ମୋ ଦାୟିତ୍ୱ, ଯେଉଁ ଅନୁସାରେ ଯୋଜନା ହୋଇଛି ସେହିଭଳି କାର୍ଯ୍ୟକାରୀ କରିବା ବଡ଼ କଥା ହେବ। ଖେଳାଳିଙ୍କ ଭିତରୁ ଶ୍ରେଷ୍ଠତ୍ୱ ବାହାର କରିବା ମୋ କାମ ହେବ। ଓଡ଼ିଶା ଖେଳାଳି ଭାରତର ଶୀର୍ଷ ୫ ବ୍ୟାଟିଂ ଓ ବୋଲିଂ ତାଲିକାରେ ରହିବା ଆମେ ଚାହୁଁଛୁ । ଆମେ ସାଧାରଣତଃ ବୋଲିଂ ଉପରେ ନିର୍ଭର କରିଥାଉ କିନ୍ତୁ ଏଥର ବ୍ୟାଟସମ୍ୟାନ୍‌ ଭଲ କରିବେ ବୋଲି ଆଶା ରଖିଛୁ ବୋଲି କହିଥିଲେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୦,୦୦୦ରୁ ଊର୍ଧ୍ୱ ରନ୍‌ କରିଥିବା ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଶିବସୁନ୍ଦର। ପିଚ୍‌କୁ ସକାଳେ ଦେଖିବା ପରେ ଦଳୀୟ ସମନ୍ଵୟ ଚୂଡାନ୍ତ କରିବୁ। ପ୍ରଥମ ଋତୁ ହୋଇଥିବାରୁ ପ୍ରଥମ ସକାଳକୁ ଜିତି ଆମେ ଲୟରେ ରହିବାକୁ ଚାହିଁବୁ। ଏହା ପରେ ପାଳିରୁ ପାଳି ଏବଂ ଅଧିବେସନରୁ ଅଧିବେସନ ଜିତିବାକୁ ଯୋଜନା କରିଛୁ। ଗୋବିନ୍ଦ ପୋଦ୍ଦାରଙ୍କ ପାଇଁ ଏହି ଋତୁ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ରହିବ। ନଟରାଜ ବେହେରାଙ୍କ ପ୍ରତ୍ୟାବର୍ତନ ଆମ ପାଇଁ ଅତିରିକ୍ତ ଫାଇଦା ହେବ। ଅତୀତରେ ସେ ଭଲ କରିଛନ୍ତି। ଥରେ ତାଙ୍କ ବ୍ୟାଟରୁ ରନ୍‌ ଆସିଲେ ସେ ପ୍ରତିପକ୍ଷ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି।

ସମ୍ବନ୍ଧିତ ଖବର