ୟୁକ୍ରେନ୍‌ରେ ଫସିଛନ୍ତି ଓଡ଼ିଆ ଚେସ୍‌ ତାରକା ଅନ୍ବେଷ, ଦୂତାବାସ ଅନୁମତିକୁ ଅପେକ୍ଷା

ଭୁବନେଶ୍ବର : ୟୁକ୍ରେନ୍‌ ଉପରେ ରୁଷିଆର ଆକମ୍ରଣ ଜାରି ରହିଛି। ଏହି ଯୁଦ୍ଧ ବିଭୀଷିକା ମଧ୍ୟରେ ୟୁକ୍ରେନ୍‌ରେ ବହୁ ଭାରତୀୟ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଭାରତୀୟ ଚେସ୍‌ ତାରକା ତଥା ଓଡ଼ିଆ ପୁଅ ଅନ୍ବେଷ ଉପାଧ୍ୟାୟ ରହିଛନ୍ତି। ଦେଶକୁ ଫେରିବାକୁ ଚାହିଁଲେ ବି ସେ ଫେରିପାରୁନାହାନ୍ତି। ଭୟ ଓ ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି ଅନ୍ବେଷ। ରୁଷିଆର ଘନଘନ ଆକ୍ରମଣକୁ ଦେଖି ମ୍ୟାଚ୍‌ ଉପରେ ତାଙ୍କର ମନ ଲାଗୁନି। କେବଳ କିପରି ସ୍ବଦେଶ ଫେରିବେ ସେହି ଚିନ୍ତାରେ ଘାରି ହେଉଛନ୍ତି। ‘‘ମୁଁ ଏଠାରେ ମୋ ଆପାର୍ଟମେଣ୍ଟ୍‌ରେ ଏକୁଟିଆ ରହିଛି। କ’ଣ ଘଟୁଛି ଜାଣିପାରୁନି। ରୁଷିଆର ଆକ୍ରମଣ ଅଚାନକ ଥିଲା। ତେଣୁ କିଛି ବି କରିପାରିଲିନି। ମୁଁ ଆଗୁଆ ସ୍ବଦେଶ ଫେରିଯିବାକୁ ଚାହିଁଥିଲି। କିନ୍ତୁ ବିମାନ ଟିକେଟ ନପାଇବାରୁ ଅଟକି ରହିଛି। ଏବେ କେବଳ ମୋର ମାଲିକ ଏବଂ ୟୁକ୍ରେନ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସର ଅନୁମତିକୁ ଅପେକ୍ଷା କରିଛି’’ ବୋଲି କହିଛନ୍ତି ଅନ୍ବେଷ। ଆପାର୍ଟମେଣ୍ଟ୍‌ରେ ଏକୁଟିଆ ରହି ପ୍ରତି ମୂହୁର୍ତ୍ତରେ ଆତଙ୍କିତ ରହିଛି ବୋଲି କହିଛନ୍ତି ଏହି ପୂର୍ବତନ ଭାରତୀୟ ଜାତୀୟ ରାପିଡ୍‌ ଚେସ୍ ବିଜେତା।

ଅନ୍ବେଷଙ୍କ କହିବା‌ କଥା, ୨୦୧୨ରୁ ମୁଁ ୟୁକ୍ରେନ୍‌ରେ ରହିଛି। କିବ୍‌ସ୍ଥିତ ଏକ ହସ୍ପିଟାଲରେ ଗାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ଆପ୍ରେଣ୍ଟିସିପ୍‌ କରୁଥିଲି। ମାର୍ଚ୍ଚ ମାସରେ ଭାରତ ଫେରିଯିବାର ଯୋଜନା ରଖିଥିଲି। ହେଲେ ଗୁରୁବାର ରୁଷିଆ ସାମରିକ ଆକ୍ରମଣ ଆରମ୍ଭ କରିଦେବାରୁ ୟୁକ୍ରେନ୍‌ରୁ ସବୁ ବିମାନ ବାତିଲ ହୋଇଯାଇଛି। କେବେ ଓ କିପରି ସ୍ବଦେଶ ଫେରିବି ସେନେଇ ଅନିଶ୍ଚିତତା ଦେଖାଦେଇଛି ବୋଲି କ୍ବିବ୍‌ରୁ କହିଛନ୍ତି ଅନ୍ବେଷ।

ସମ୍ବନ୍ଧିତ ଖବର