ଭୁବନେଶ୍ବର: ହରିୟାଣାର କର୍ଣ୍ଣାଲ ସହରରେ ଆୟୋଜିତ ଜାତୀୟ ହ୍ବିଲଚେୟାର ଅସିଚାଳନା ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶା ଝିଅ ମାଳତୀ ପାନୈରେ, ସିଲା ମନ୍ତ୍ରୀ ଓ ପୂଜାସ୍ବିନୀ ନାୟକ କମାଲ କରିଛନ୍ତି। ମହିଳାର ‘ଏ’ ବିଭାଗରେ ମାଳତୀ ବ୍ୟକ୍ତିଗତ ଫଏଲ୍ରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଫାଇନାଲ୍ରେ ହରିୟାଣାର ରେଖାଙ୍କୁ ୧୫-୯ରେ ହରାଇ ସୁନେଲି ପଦକ ଜିତି ନେଇଥିଲେ ସେ। ସେହିଭଳି ସିଲା ମନ୍ତ୍ରୀ ତୀବ୍ର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ରେ ନିଜ ରାଜ୍ୟର ମାଳତୀ ପାନୈରେଙ୍କଠାରୁ ୩-୪ରେ ହାରି କାଂସ୍ୟ ପଦକ ଜିତିଥିଲେ। ଫଳରେ ଏହି ବର୍ଗରେ ରାଜ୍ୟ ଦଳକୁ ଦୁଇଟି ପଦକ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ବିଭାଗ ‘ବି’ରେ ପୂଜାସ୍ବିନୀ ନାୟକ ବ୍ୟକ୍ତିଗତ ଇପିରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଛତିଶଗଡ଼ର ରୋହିଣୀ ସାହୁଙ୍କୁ ଠିକ୍ ସେହି ୧୫-୯ରେ ପରାସ୍ତ କରିଥିଲେ ସେ। ଅନ୍ୟପକ୍ଷରେ ବ୍ୟକ୍ତିଗତ ଫଏଲରେ ସେହି ରୋହିଣୀଙ୍କଠାରୁ ୫-୧୫ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଏହି ଦୁଇ ଦିନିଆ ପ୍ରତିଯୋଗିତାର ପୁରୁଷ ଫଏଲ୍ରେ ଓଡ଼ିଶାର ଭି ରମେଶ ରାଓ ଓ ରାଖାଲ କୁମାର ସେଠୀ କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକ ୧୪ ଜଣିଆ ଦଳ ଅଂଶଗ୍ରହଣ କରୁଛି।