କବିତା ଲେଖୁଛନ୍ତି ରୋସନାରା ପରୱିନ

ଓଡ଼ିଶା କ୍ରିକେଟରେ ବିଭିନ୍ନ ସମୟରେ ଅନେକ ତାରକା ଆସିଛନ୍ତି, ଯାଇଛନ୍ତି। ହେଲେ ୬ ଜଣ ଖେଳାଳିଙ୍କ ସ୍ଥାନ ସ୍ବତନ୍ତ୍ର। ଓଡ଼ିଶାର ପ୍ରସିଦ୍ଧ ରଣଜୀ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଂଜୟ ରାଉଳ ବିଭିନ୍ନ ସମୟରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ବ କରିଥିବା ବେଳେ ଅନ୍ୟତମ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା ହାଇଦ୍ରାବାଦ ତରଫରୁ ଘରୋଇ କ୍ରିକେଟ ଖେଳି ଟିମ୍ ଇଣ୍ଡିଆ ତରଫରୁ ବହୁ ମ୍ୟାଚ୍ ଖେଳିଛନ୍ତି। ତେବେ ଏହି ତାଲିକାରେ ଦୁଇଜଣ ଓଡ଼ିଆ ଝିଅଙ୍କ ନାମ ମଧ୍ୟ ସାମିଲ ହୁଏ। ମାଧୁରୀ ମେହେଟ୍ଟା ଓ ରୋସନାରା ପରୱିନ୍। ଏମାନେ ମଧ୍ୟ ବିଭିନ୍ନ ସମୟରେ ଭାରତୀୟ ଦଳ ତରଫରୁ ପ୍ରତିନିଧିତ୍ବ କରି ବ୍ଲୁ-କ୍ୟାପ୍ ପିନ୍ଧିବାର ସୋୖଭାଗ୍ୟ ଅର୍ଜନ କରିଛନ୍ତି।

ଏବେ କରୋନା ମହାମାରୀର ଭୟାବହତା ଯୋଗୁଁ ଲକ୍‌ଡାଉନ୍ ଭଳି ଅଶ୍ରୁତପୂର୍ବ ପରିସ୍ଥିତିର ସାମନା କରୁଥିବା ବେଳେ ରୋସନାରା ଘରେ କେମିତି ସମୟ କାଟୁଛନ୍ତି, ଆଗକୁ ତାଙ୍କ କ୍ୟାରିଅର ନେଇ କିପରି ପ୍ରସ୍ତୁତି ରହିଛି, ସେ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା।

କରୋନା ସମଗ୍ର ବିଶ୍ବର ସାମାଜିକ-ଅର୍ଥନୈତକ ମେରୁଦଣ୍ଡକୁ ଦୋହଲାଇ ଦେବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସ୍ଥଳ ବିଶେଷରେ ବୋୖଦ୍ଧିକ ଚେତନା ଉଦ୍ଦୀପ୍ତ ହେବାର ସମ୍ଭାବନା ମଧ୍ୟ ଦେଖାଦିଏ। କ୍ରିକେଟ ପଡ଼ିଆରେ ଫ୍ଲାଇଟେଡ୍ ଡେଲିଭେରିରେ ଆଚ୍ଛାଆଚ୍ଛା ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକ୍‌ମା ଦେବାର କଳା ରଖିଥିବା ରୋସନାରାଙ୍କ ଲୁକ୍କାୟିତ କବିପ୍ରାଣ ଲକ୍‌ଡାଉନ୍ ସମୟରେ ଫୁଟିଆସିଛି। ରୋସନାରା କହନ୍ତି, ‘‘ପ୍ରାୟ ଅଢ଼େଇ ମାସ କାଳ ଓଡ଼ିଶା ଦଳ ତରଫରୁ ଖେଳିବା ପାଇଁ ରାଜ୍ୟ ବାହାରେ ସମୟ କଟାଇଥିଲୁ। ଏବେ ଘରେ ପରିବାରବର୍ଗ ସହ ପର୍ଯ୍ୟାପ୍ତ ସମୟ କଟାଇଥିବାରୁ ବହୁତ ଭଲ ଲାଗୁଛି। ଡର ମଧ୍ୟ ଲାଗୁଛି। କାରଣ, ଘରେ ନିଜକୁ ଯେତେ ଫିଟ୍ ରଖିବା ପାଇଁ ପରିଶ୍ରମ କଲେ ମଧ୍ୟ କ୍ରିକେଟ୍‌ର ସ୍କିଲ୍ ପଡ଼ିଆରେ ହିଁ ହାସଲ ହୁଏ। ସେହି ଦିଗଟି ପୂରା ଠପ୍ ହୋଇଯାଇଛି। ଅନ୍ୟ ପକ୍ଷରେ କିଛି କବିତା ଲେଖିବାକୁ ଚେଷ୍ଟା କରୁଛି।’’

ରୋସନାରାଙ୍କ ମୂଳ ନାମ ରଶନ ଆରା। ସାର୍ଟିଫିକେଟ୍‌ରେ ରହିଆସିଛି ରୋସନାରା ପରୱିନ୍। ବାପା ବଲାଙ୍ଗୀର ସହରର ହାଟପଦାପଡ଼ା ନିବାସୀ ସ୍ବର୍ଗତ କେଫାତୁଲ୍ଲା ଖାନ୍ ଓ ମାଁ ହୁସ୍‌ନାରା ବେଗମ୍। ବାପା ପ୍ରଥମେ ଥିଲେ ଜଣେ ସାଇକଲ୍ ମେକାନିକ୍। ପରେପରେ ଅଖା ଓ ଟିଣ ବ୍ୟବସାୟ କରନ୍ତି। ଭାରତୀୟ ସିନିୟର ମହିଳା କ୍ରିକେଟ୍‌ ଦଳ ତରଫରୁ ଦିନିକିଆ ବିଶ୍ବ କପ୍, ଟି-୨୦ ବିଶ୍ବ କପ୍ ଓ ଏସୀୟ କପ୍‌ରେ ପ୍ରତିନିଧିତ୍ବ କରିଥିବା ଓଡ଼ିଶାର ଏକମାତ୍ର ତାରକା। ସମ୍ଭବତଃ ଭାରତୀୟ ମହିଳା କ୍ରିକେଟ୍‌ରେ ସବୁଠୁ ଆକର୍ଷଣୀୟ କ୍ଲାସିକାଲ୍ ଅଫ୍‌ସ୍ପିନର୍।

୧୯୯୨ରେ ଜନ୍ମିତ ରୋସନାରା ୨୦୦୭ରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାଯାଏ ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ କେବଳ ଖୋଖୋ, କବାଡ଼ି, ଆଥ୍‌ଲେଟିକ୍ସ ଓ ବ୍ୟାଡମିଣ୍ଟନ ଖେଳୁଥିଲେ। ସେହିବର୍ଷ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ କୋଚ୍ ଅରୁଣ ନାଏକଙ୍କ ଉଦ୍ୟମରେ ମହିଳା କ୍ରିକେଟ ଦଳ ଗଠନ ହୁଏ। ରାଜେନ୍ଦ୍ର କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ରୀ ଥିବାବେଳୁ ହିଁ ସିନିୟର ଜିଲ୍ଲା ଦଳରେ ପ୍ରତିନିଧିତ୍ବ କରନ୍ତି। ୨୦୧୨ ବେଳକୁ ମାଧୁରୀ ମେହେଟ୍ଟାଙ୍କ ପରେ ରୋସାନାରା ଓଡ଼ିଶାର ଦ୍ବିତୀୟ ସିନିୟର୍ ଅନ୍ତର୍ଜାତୀୟ ମହିଳା କ୍ରିକେଟ୍‌ ତାରକାରେ ପରିଣତ ହୋଇସାରିଥାନ୍ତି। ଅନ୍ୟ ମାପକାଠିରେ ଅନଗ୍ରସର ବଲାଙ୍ଗୀର ଜିଲ୍ଲାକୁ ମାଧୁରୀ-ରୋସନ-ସରିତା ଓ ଅନ୍ୟମାନେ ୨୦୧୬ରେ ଅନ୍ତଃଜିଲ୍ଲା ମହିଳା କ୍ରିକେଟ୍‌ରେ ଚାମ୍ପିଅନ୍ କରାନ୍ତି, ଯାହାକି ଏକ ସ୍ମରଣୀୟ ଉପଲବ୍‌ଧି ଅଟେ।

ରୋସନଙ୍କ ବିଷୟରେ ତାଙ୍କ ସିନିୟର ଖେଳସାଥୀ ତଥା ଇଷ୍ଟଜୋନ୍ ଖେଳାଳି ସରିତା ମେହେର କହନ୍ତି, ପ୍ରତିପକ୍ଷ ବ୍ୟାଟସମ୍ୟାନ୍‌ଙ୍କ ଦୁର୍ବଳତା ଓ ଖେଳର ସ୍ଥିତିକୁ ସୁନ୍ଦର ବୁଝି ବୋଲିଂ କରିପାରୁଥିବା ରୋସନ କ୍ଷେତ୍ରରକ୍ଷଣରେ ମଧ୍ୟ ଜଣେ ସେଫ୍‌ହ୍ୟାଣ୍ଡ୍। ଦଳ ବା କୋୖଣସି ନିର୍ଦ୍ଦିଷ୍ଟ ଖେଳାଳି ଡାଉନ୍ ଥିଲେ ମନୋବଳ ଉଠାଇବାକୁ ସେ ଚେଷ୍ଟା କରନ୍ତି। ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଷ୍ଟ୍ରେଙ୍ଗ୍‌ଥ ସ୍ମରଣ କରାଇଦିଅନ୍ତି। ସେ ମଧ୍ୟ ଏତେ ଭଲ ଝିଅ, ତାଙ୍କ ରୁମ୍‌ମେଟ୍‌ ହେବାକୁ ଯେ କେହି ସାଥୀ ଖେଳାଳି ପସନ୍ଦ କରନ୍ତି। ଘରେ ମଧ୍ୟ ସେ ସମସ୍ତଙ୍କର ଯତ୍ନ ନିଅନ୍ତି।

ବଲାଙ୍ଗୀରରେ ମହିଳା କ୍ରିକେଟ୍‌ର ମୂଳଦୁଆ ପକାଇଥିବା କୋଚ୍ ଅରୁଣ ନାଏକ କହନ୍ତି, ରୋସନ୍ ଜଣେ ବହୁତ ବଡ଼ ଲର୍ନର୍। କଥାକୁ ସାଙ୍ଗେସାଙ୍ଗେ ପିକ୍‌-ଅପ୍ କରନ୍ତି। ଅତ୍ୟନ୍ତ ଶୃଙ୍ଖଳିତ, ପରିଶ୍ରମୀ ଓ ଡାଉନ୍-ଟୁ-ଅର୍ଥ। କାନ୍ଧରେ ଅସ୍ତ୍ରୋପଚାର ତାଙ୍କୁ ଟିକେ ପଛକୁ ନେଇଯାଇଛି। ତେବେ ଏହା କ୍ଷଣସ୍ଥାୟୀ। ଆଗକୁ ସେ ପୁଣି ବହୁତ ଭଲ କରିବେ।

ରୋସନଙ୍କୁ କ୍ରିକେଟର କିଛି ସୂକ୍ଷ୍ମ ଦିଗ ଉପରେ ଟିପ୍ସ ଦେଇଆସିଥିବା ବିଗତ ଦିନର ଅଫ୍-ସ୍ପିନର୍ ଅଲ୍‌ରାଉଣ୍ଡର କୃଷ୍ଣଚନ୍ଦ୍ର ଦାନୀ କହନ୍ତି, ଭାରତର ଆଗଧାଡ଼ିର ନ୍ୟାଚୁରାଲ୍ ଅଫ୍‌ସ୍ପିନର୍ ମାନଙ୍କ ମଧ୍ୟରେ ରୋସନ ଗଣାହୁଅନ୍ତି। ଆଦୈା ଗର୍ବ, ଅହଂକାର ନଥିବା ଏହି ଆଜ୍ଞାଧୀନା ଖେଳାଳି ନିଶ୍ଚୟ ଫର୍ମକୁ ଫେରିବେ।
ଫଟୋ ସୌଜନ୍ୟ: ଅଦ୍ବିତୀ ସିଂହଦେଓ

ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଆମକୁ ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ଘରେ ଘରେ ଗଢ଼ା ଆଜି
ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାର
ଏଇମିତି ଖେଳ ରଚିଲେ ଈଶ୍ୱର
ସବୁଠୁ ବାହାରେ ଗୋଟିଏ ପ୍ରାର୍ଥନାର ସ୍ୱର
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ମାଗୁନାହିଁ କେହି ଧନ ସଂପତ୍ତି
ଭୋଗ କି ବିଳାସ ଚାହୁଁନି କେହି
ସଭିଙ୍କ କାମନା ଅଟଇ ସେହି
ବଂଚିଯାଉ ସବୁ ଜୀବନ ଆଜି
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ଏ ସମୟ ଆଜି ଶିଖାଇ ଦେଉଛି
କରିବା କାମ କେବଳ ଯାହା ଜରୁରୀ
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ବୁଝୁଛି ଏବେ ମଣିଷ
ଘରଠାରୁ ନାହିଁ ଆଉ କାହିଁ ସୁରକ୍ଷିତ ଠାବ
ମିଠା ଲାଗୁଛି ସେଇ ପୁରୁଣା ଦିନ
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ବେଦ ବାଇବେଲ ପୁରାଣ କୋରାନ
ସବୁଠି ହୋଇଛି ଲେଖା
କର୍ମଠାରୁ ବଡ଼ ଧରମ ନାହିଁ
ପ୍ରକୃତି ବୁଝାଉଛି ସେହି କଥା
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ପରିବାର ସାଥେ ନିଜର ସ୍ୱାସ୍ଥ୍ୟ
ଅନ୍ୟକୁ କରିବା ସାହାଯ୍ୟ
ଏତିକି ଜଗିବା ଆମରି କାର୍ଯ୍ୟ
ସମୟ କହୁଛି-
ଜୀବନ ଜିଇଁବା ଅତି ସରଳ, କର ନାହିଁ ତାକୁ ଆଉ ଜଟିଳ
ମଣିଷ ଆଜି, ପୁଣି ଥରେ ଜିଇଁବା ଶିଖୁଛି
ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ଆଧୁନିକତାରେ ଭୁଲିଯାଇଅଛୁ ଜୀବନ ଜିଇବା
ଜୀବନ ଶିଖାଇବା ଦାୟିତ୍ୱ ପୁଣି ନେଇଛି ପ୍ରକୃତି ।
ଜୀବନ ମରଣ ଲାଗିରିହିଥିବ
ଡର କାହିଁକି
ମୂଳ ହିନ୍ଦୀ ରଚନା- ରୋସନାରା
ଅନୁବାଦ – କ୍ଷେତ୍ରବାସୀ ନାୟକ

ସମ୍ବନ୍ଧିତ ଖବର