୫ ବର୍ଷରେ ଅନାଥ, ଏବେ ଅଲିମ୍ପିକ୍ସ ଦ୍ବାରରେ ରେବତୀ

ନୂଆଦିଲ୍ଲୀ: ମାତ୍ର ୫ ବ‌ର୍ଷରେ ସେ ଅନାଥ ପାଲଟିଯାଇଥି‌ଲେ। ଦିନ ମଜୁରିଆ ଆଈ’ ପାଳି ପୋଷି ବଢ଼ାଇଥିଲେ। ଜୋତା କିଣିବାକୁ ସକ୍ଷମ ନଥିବାରୁ ଖାଲି ପାଦରେ ଦୌଡୁଥିଲେ। ଅନେକ କଷଟି ପଥରେ ଗତି କରିଥିବା ଧାବିକା ରେବତୀ ବୀରାମଣୀ କିନ୍ତୁ ଏବେ ଅଲିମ୍ପିକ୍ସ ପଦାର୍ପଣର ଦ୍ବାରଦେଶରେ ପହଞ୍ଚିଯାଇଛନ୍ତି। ତାଙ୍କ ସ୍ବପ୍ନ ଆଶାଠାରୁ ସଅଳ ସାକାର ହେବାକୁ ଯାଉଛି। ଜୁଲାଇ ୨୩ ତାରିଖରୁ ଟୋକିଓରେ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସର ୪ ଗୁଣା ୪୦୦ ମିଟର୍‌ ରିଲେ ଦୌଡ଼ରେ ସେ ଭାରତର ପ୍ରତିନିଧିତ୍ବ କରିବେ। ତାମିଲନାଡୁର ମଦୁରାଇ ଜିଲ୍ଲା ସଖିମଙ୍ଗଳମ ଗାଁର ଏହି ଝିଅଟିର କାହାଣୀ କିଛି କମ୍‌ ରୋମାଞ୍ଚ ରଖିନାହିଁ।

‘ମୋ‌ତେ କୁହାଯାଇଥିଲା କୌଣସି ପେଟ ସମସ୍ୟା କାରଣରୁ ପିତାଙ୍କ ଦେହାନ୍ତ ଘଟିଥିଲା, ଏହାର ୬ ମାସ ପରେ ମାଆ ବି ମସ୍ତିସ୍କ ଜ୍ବରରେ ଚାଲିଯାଇଥିଲେ।‌ ମୋତେ ସେତେବେଳେ ୬ ବର୍ଷ ପୂର୍ଣ୍ଣ ହୋଇନଥିଲା।’ ବୋଲି ୨୩ ବ‌ର୍ଷୀୟା ରେବତୀ ନିଜ ଅନାଥ ହେବାର ସମୟକୁ ମନେ ପକାଇ କହିଥିଲେ। ମୋ‌ତେ ଓ ସାନ ଭଉଣୀକୁ ମୋ ଆଈମା’ ପାଳି ପୋଷି ବଢ଼ାଇଥିଲେ। ଇଟା ଭାଟି ଓ ଅନ୍ୟର ଫାର୍ମରେ କାମ କରି ସେ ଗୁଜୁରାଣ ମେଣ୍ଟାଉଥିଲେ। ନିଜ କାମ ଉପରେ ଏକାଗ୍ରତା ରଖି ୭୬ ବର୍ଷ ବୟସରେ ସେ ମଧ୍ୟ ଆମ ପାଠ ବଢ଼ାକୁ ନିଶ୍ଚିତ କରିଥିଲେ। ‌ଦୁଇ ଭଉଣୀଙ୍କ ଦୌଡ଼ିବା ଦକ୍ଷତା କାରଣରୁ ଆମେ ଖେଳକୁଦରେ ବି ଭାଗ ନେଉଥିଲୁ। ଏବେ ମୁଁ ରେଳବାଇ ମଦୁରାଇ ଡିଭିଜନରେ ଟିଟିଇ ଏବଂ ସାନ ଭଉଣୀ ଚେନ୍ନାଇ ପୁଲିସରେ କାର୍ଯ୍ୟରତ ବୋଲି ରେବତୀ ପ୍ରକାଶ କରିଛନ୍ତି।

ତାମିଲନାଡୁ କ୍ରୀଡ଼ା ପ୍ରାଧିକରଣର ପ୍ରଶିକ୍ଷକ କେ କାନନ୍‌ ହିଁ ତାଙ୍କ ପ୍ରତିଭାକୁ ପ୍ରଥମେ ଚିହ୍ନଟ କରିଥିଲେ। ଆଈମା’ କେ ଆରାମାଲ୍‌ ପ୍ରଥମେ ଖେଳକୁଦକୁ ଛାଡ଼ିବାକୁ ରାଜି ନଥିଲେ ମଧ୍ୟ ସେ ବୁଝାଇ ଶୁଝାଇ ନେଇଥିଲେ। ଆଈ ମା’ ପାଇଁ ଆମେ ବଞ୍ଚିଥିଲୁ କିନ୍ତୁ କାନନ ସାରଙ୍କ ପାଇଁ କ୍ରୀଡ଼ାରେ ସଫଳ ହୋଇଛୁ ବୋଲି ରେବତୀ ପ୍ରକାଶ କରିଥିଲେ। କଲେଜରେ ବି ମୁଁ ଖାଲି ପାଦରେ ଦୌଡ଼ିଥିଲି, ଏପରିକି ୨୦୧୬ କୋଇମ୍ବାଟୁର ଜାତୀୟ କନିଷ୍ଠ ପ୍ରତିଯୋଗିତା ବେଳେ ବିନା ଜୋତା‌ରେ ଭାଗ ନେଇଥିଲି। ଏହା ପରେ କାନନ୍‌ ସାର ମୋ ପାଇଁ କ୍ରୀଡ଼ା ସାମଗ୍ରୀ, ଉପଯୁକ୍ତ ଖାଦ୍ୟ ଓ ଅନ୍ୟ ଆବଶ୍ୟକତାର ବ୍ୟବସ୍ଥା କରିଥିଲେ। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କାନନଙ୍କ ଅଧିନରେ ତାଲିମ ନେବା ପରେ ରେବତୀ ପାତିଆଲା ସ୍ଥିତ ଜାତୀୟ ଶିବିରରେ ରହିଥିଲେ। କାନନଙ୍କ ଅଧିନରେ ସେ ୧୦୦ ଓ ୨୦୦ ମିଟର୍‌ ଦୌଡୁଥିଲେ ମଧ୍ୟ ଜାତୀୟ ଶିବିରରେ ଯୋଗଦେବା ପରେ ୪୦୦ ମିଟରକୁ ପରିବର୍ତିତ ହୋଇଥ‌ିଲେ। ‘କାନନ ସାର ଦିନେ କହିଥ‌ିଲେ ମୁଁ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିବି, ଏବେ‌ ସେ ସ୍ବପ୍ନ ସାକାର ହେବାକୁ ଯାଉଛି’ ବୋଲି ରେବତୀ ପ୍ରକାଶ କରିଛନ୍ତି।

ମୁଁ ମୋ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଶ୍ରୁତି ଦେଉଛି ବୋଲି ମଧ୍ୟ କହିଥିଲେ ରେବତୀ। ତାମିଲ ଭାଷାରେ ସ୍ନାତକ କରିଥିବା ରେବତୀ ମଧ୍ୟ ଭଲ ହିନ୍ଦୀ କହିପାରୁଥିବା ଏହି ସାକ୍ଷାତକାର ବେଳେ ଜଣାପଡିଥିଲା। ୨୦୧୯ ଫେଡେରେସନ୍‌ କପ୍‌ରେ ୨୦୦ ମିଟର୍ ରୌପ୍ୟ ପଦକ ଜିତିଥିବା ରେବତୀ ଇଣ୍ଡିଆନ୍ ଗ୍ରାଁ ପ୍ରିର ୫ ଓ ୬ର ୪୦୦ ମିଟର‌ ଦୌଡ଼ରେ ଯଥାକ୍ରମେ ୫୪.୪୪ ଓ ୫୩.୬୩ ସେକେଣ୍ଡ୍‌ ସମୟ ନେଇଥିଲେ। ଆହତ କାରଣରୁ ୨୦୨୧ ଋତୁ ପ୍ରାରମ୍ଭରେ ସେ ଫେଡେରେସନ୍‌ କପ୍‌ରେ ଭାଗ ନେଇପାରିନଥିଲେ। ତେବେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ୪୦୦ ମିଟର୍‌ ଜିତି ଚମତ୍କୃତ କରି ଦେଇଥିଲେ। ଏହା ପରେ ଜାତୀୟ ଅନ୍ତଃରାଜ୍ୟ ମିଟ୍‌ର ୪୦୦ ମିଟରରେ ୫୩.୭୧ ସେକେଣ୍ଡ ସମୟ ସହ ପ୍ରିୟା ମୋହନ ଓ ଏମଆର୍‌ ପୁଭାମାଙ୍କ ପଛକୁ ତୃତୀୟରେ ରହିଥିଲେ। ଭାରତୀୟ ଦୌଡ଼କୁଦ ସଂଘ ପକ୍ଷରୁ ୪ ଗଜୁଣା ୪୦୦ ମିଟର୍ ଅଲିମ୍ପିକ ରିଲେ ପାଇଁ ଆବଶ୍ୟକ ୩ ଜଣଙ୍କ ଲାଗି ହୋଇଥିବା ସ୍ବତନ୍ତ୍ର ଟ୍ରାଏଲ୍‌ରେ ‌ରେବତୀ ‌ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (୫୩.୫୫ ସେକେଣ୍ଡ୍) ସହ ଶୀର୍ଷରେ ରହି ଟୋକିଓ ଟିକେଟ୍‌ ପାଇଥିଲେ। ତାଲିମ ପାଇଁ ସବୁବେଳେ କଲେଜ୍ ଯାଇପାରୁନଥିବା ସତ୍ତ୍ବେ ମଦୁରାଇ ମହାବିଦ୍ୟାଳୟ ମୋତେ ବିଏ ପରୀକ୍ଷା ଦେବାକୁ ଅନୁମତି ଦେବା ଏବଂ ପାସ୍‌ କରିଥିବାରୁ ଧନ୍ୟବାଦ ଜଣାଉଛି ବୋଲି ରେବତୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର