ଦୁର୍ଦିନରେ ପଦକ ବିଜେତା ଅନାଥ ପାରା ଆଥ୍‌‌ଲେଟ୍‌: ଖେଳ ସଂରଜାମ ପାଇଁ ମାଗୁଛନ୍ତି ଆର୍ଥିକ ସହାୟତା

ଜାତି ପ୍ରମାଣପତ୍ର ନଥିବାରୁ ପାଉନାହାନ୍ତି ଷ୍ଟାଇପେଣ୍ଡ୍‌

କାଳିଆପାଣି: ଦୁର୍ଦ୍ଦିନରେ ନାବାଳକ ପାରା ପଦକ ବିଜେତା ଶ୍ୟାମ ମାରାଣ୍ଡି। ଭାରତର ପାରା ଅଲିମ୍ପିକ କମିଟି ପକ୍ଷରୁ ଗୁଜରାଟ ପାରା ସ୍ପୋର୍ଟ୍ସ ଆନୁକୂଲ୍ୟରେ ଖେଡ଼ା ଜିଲ୍ଲା ନଦିଆଡ଼ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ଜାତୀୟ ଜୁନିଅର ଡିସକସ୍‌ ଥ୍ରୋ ବିଭାଗରେ ସେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ଅନାଥ ଆଦିବାସୀ ସ୍କୁଲ ଛାତ୍ର ନିଜ ଭବିଷ୍ୟତ ଖେଳ ଜୀବନ ପାଇଁ ଏବେ ସରକାରଙ୍କୁ ସହାୟତା ମାଗୁଛନ୍ତି। ଗତ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସରେ ଭୁବନେଶ୍ବର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କ୍ରୀଡ଼ାମନ୍ତ୍ରୀ ଇଂ ତୁଷାରକାନ୍ତି ‌ବେହେରାଙ୍କ ଦ୍ବାରା ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିବା ଏହି ନାବାଳକ ଏବେ ସଂପୂର୍ଣ୍ଣ ଅସହାୟ।

ଯାଜପୁର-କେନ୍ଦୁଝର ସୀମାର ବ୍ରାହ୍ମଣୀପାଳ ବଜାରରେ ଦର୍ଜୀ କାମ କରୁଥିବା ତ୍ରିଲୋଚନ ସାହୁଙ୍କ ପାଖରେ ଶୈଶବରୁ ବଢ଼ି ଆସିଥିବା ଶ୍ୟାମ ଏବେ ଜୀବନର ଦୋଛକିରେ। ଜନ୍ମ ପୂର୍ବରୁ ବାପାଙ୍କୁ ହରାଇଥିବା ଶ୍ୟାମ ମାତ୍ର ଦେଢ଼ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ଡାହାଣ ଗୋଡ଼ ହରାଇଥିଲେ। ଅସହାୟ ମାଆ ପାର ମାରାଣ୍ଡି ଦିବ୍ୟାଙ୍ଗ ପୁଅକୁ ଧରି ଭିକମାଗି ଚଳୁଥିଲେ। ଶନିମନ୍ଦିର ପାଖ ଏକ ଭଙ୍ଗାଦଦରା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଥିଲେ। ଚିକିତ୍ସା ଅଭାବରୁ ଦିନେ ବଜାରରେ ତାଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ସେଦିନ ୫ ବର୍ଷର ଅନାଥ ଶିଶୁ ଶ୍ୟାମ ଅସହାୟ ହୋଇପଡ଼ିଥିଲେ। ଉଦାରମନା ସାହୁ ଦମ୍ପତି ତାଙ୍କୁ କୋଳେଇ ନେବା ପରେ ଚିକିତ୍ସା କରାଇଥିଲେ। ରୀନାରାଣୀ ଶ୍ୟାମଙ୍କୁ ସାନପୁଅ ଭଳି ସ୍ନେହ କରୁଥିଲେ। ତ୍ରିଲୋଚନଙ୍କ ୨ ପୁଅ ସୁମିତ ଓ ଅସିତ ବି ଶ୍ୟାମଙ୍କୁ ସାନଭାଇର ସ୍ନେହ ଦେବାରେ କାର୍ପଣ୍ୟ କରିନାହାନ୍ତି।

ରାସୋଳ ତପୋବନ ଶିଶୁମନ୍ଦିରରୁ ତୃତୀୟ ଶ୍ରେଣୀ ଓ ବ୍ରାହ୍ମଣୀପାଳ କୁଶଭଦ୍ରା ୟୁଜିଏମ୍‌ଇ ସ୍କୁଲରୁ ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଶ୍ୟାମ ଏବେ କୁଶଭଦ୍ରା ହାଇସ୍କୁଲର ଦଶମଶ୍ରେଣୀ ଛାତ୍ର। ଗତବର୍ଷ ସେ ଉକ୍ତ ସ୍କୁଲର ଦିବ୍ୟାଙ୍ଗ କ୍ରୀଡ଼ା ଶିକ୍ଷକ ଦେବାମୃତ ସାହୁଙ୍କ ମାର୍ଗଦର୍ଶନରେ ଜାଭେଲିନ୍‌, ଡିସ୍‌କସ୍‌ ଓ ସଟ୍‌-ପୁଟ୍‌ ଥ୍ରୋ ଅଭ୍ୟାସ ଜାରି ରଖିଥିଲେ। କ୍ରୀଡ଼ା ଶିକ୍ଷକ ଏବେ ଅନ୍ୟତ୍ର ଚାକିରି କରୁଥିବାରୁ ଶ୍ୟାମଙ୍କ ପ୍ରଶିକ୍ଷଣ ବାଧାପ୍ରାପ୍ତ ହୋଇଛି। ଅନାଥ ଶ୍ୟାମ ଆଦିବାସୀ ହୋଇଥିଲେ ମଧ୍ୟ ଜାତି ପ୍ରମାଣପତ୍ର ଅଭାବରୁ ସେ ୬ ବର୍ଷ ଧରି ସରକାରୀ ଷ୍ଟାଇପେଣ୍ଡ୍‌ରୁ ବଞ୍ଚିତ। ବାପାଙ୍କ ହାତ ତିଆରି ଆଶାବାଡ଼ି ଧରି ସେ ଚଳପ୍ରଚଳ କରୁଛନ୍ତି। ନିୟମିତ ଅଭ୍ୟାସ ଦିଗରେ ଜାଭେଲିନ୍‌, ଡିସ୍‌କସ୍‌ ଓ ସଟ୍‌-ପୁଟ୍‌ ବିଭାଗର କ୍ରୀଡ଼ା ସରଞ୍ଜାମ କିଣିବା ପାଇଁ ଅନ୍ୟୂନ ୫୦ ହଜାର ଟଙ୍କା ଆବଶ୍ୟକ। ତାଙ୍କ ପାଖେ ଏତେ ସମ୍ବଳ ନଥିବା କହନ୍ତି ତ୍ରିଲୋଚନ। ଅର୍ଥ ଓ ପ୍ରଶିକ୍ଷଣ ଅଭାବରୁ ଜଣେ କ୍ରୀଡ଼ା ପ୍ରତିଭା ଫୁଟିବା ଆଗରୁ ଝଡ଼ି ପଡ଼ିବା ଆଶଂକା ପ୍ରକାଶ ପାଇଛି। ସୁଯୋଗ ମିଳିଲେ ସେ ଦେଶ ପାଇଁ ପାରା ଅଲିମ୍ପିକ ପଦକ ଜିତିପା‌ରିବେ ବୋଲି ଶ୍ୟାମ ଦୃଢ଼ୋକ୍ତି କରନ୍ତି। ତାଙ୍କ ଭବିଷ୍ୟତ କ୍ରୀଡ଼ା ଜୀବନ ପାଇଁ ଏହି ଉଦୀୟମାନ ନାବାଳକ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟକୁ ନେହୁରା ହୋଇଛନ୍ତି।

ସମ୍ବନ୍ଧିତ ଖବର