ପ୍ୟାରିସ୍: ୪ ଥରର ଗ୍ରାଣ୍ଡ୍ ସ୍ଲାମ୍ ବିଜୟିନୀ ନାଓମ ଓସାକା ଏବଂ ୟୁଏସ୍ ଓପନ୍ ଉପବିଜେତା ଟେଲର୍ ଫ୍ରିଜ୍ଙ୍କ ଫ୍ରେଞ୍ଚ ଓପନ୍ ଅଭିଯାନ ପ୍ରଥମ ରାଉଣ୍ଡରୁ ଶେଷ ହୋଇଛି। ମହିଳା ଏକକରେ ଜାପାନର ଓସାକା ୭-୬, ୧-୬, ୪-୬ ସେଟ୍ରେ ସ୍ପେନ୍ର ପୌଲ ବୋଦାସାଙ୍କଠୁ ଏବଂ ପୁରୁଷ ଏକକରେ ଅମେରିକାର ଫ୍ରିଜ୍ ୫-୭, ୬-୩, ୩-୬, ୧-୬ ସେଟ୍ରେ ଜର୍ମାନୀର ଡାନିଏଲ ଅଲ୍ମେୟରଙ୍କଠୁ ହାରିଯାଇଥିଲେ। ଅନ୍ୟ ତାରକା ପୁରୁଷ ଖେଳାଳି ବିଶ୍ବର ୨ ନମ୍ବର କାର୍ଲୋସ ଅଲ୍କାରାଜ, ନରୱେର କାସପର ରୁଡ, ଆମେରିକାର ବେନ୍ ସେଲ୍ଟନ, ଗ୍ରିସ୍ର ଷ୍ଟିଫାନସ ସିସିପାସ୍ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଗତ ସଂସ୍କରଣ ବିଜେତା ସ୍ପେନ୍ର ଅଲ୍କାରାଜ ୬-୩, ୬-୪, ୬-୪ ସେଟ୍ରେ ଇଟାଲିର ଗିଉଲିଓ ଜେପିରିଙ୍କୁ ହରାଇ ପଞ୍ଚମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଦିଗରେ ପାଦ ବଢ଼ାଇଛନ୍ତି। ରୁଡ୍ ୬-୩, ୬-୪, ୬-୨ ସେଟ୍ରେ ସ୍ପେନ୍ର ଅଲ୍ବର୍ଟ ରାମୋସ ଭିନୋଲାସଙ୍କୁ, ସେଲ୍ଟନ ୬-୪, ୪-୬, ୩-୬, ୬-୨, ୬-୩ ସେଟ୍ରେ ଇଟାଲିର ଲୋରେଞ୍ଜୋ ସୋନେଗୋଙ୍କୁ ଏବଂ ସିସିପାସ ୭-୫, ୬-୩, ୬-୪ ସେଟ୍ରେ ଆର୍ଜେଣ୍ଟିନାର ତୋମାସ ମାର୍ଟିନଙ୍କୁ ପରାସ୍ତ କରିଥିଲେ।
ମହିଳାରେ ହ୍ୟାଟ୍ରିକ୍ ସହ ୪ ଥର ରୋଲାଁ ଗାରୋସରେ ବିଜୟିନୀ ହୋଇଥିବା ଈଗା ସ୍ବିତେକଙ୍କ ସହ ଆମେରିକାର ଡାନିଏଲି କଲିନ୍ସ, ୨୦୦୧ ୟୁଏସ୍ ଓପନ୍ ବିଜୟିନୀ ଇମା ରାଡ଼ୁକାନୁ, କାଜାଖସ୍ତାନର ଏଲିନା ରିବାକାନା ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ୫ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ପୋଲାଣ୍ଡର ସ୍ବିତେକ ୬-୩, ୬-୩ ସେଟ୍ରେ ସ୍ଲୋଭକିଆର ରେବିକା ସ୍ରାମକୋଭାଙ୍କୁ, କଲିନ୍ସ ୭-୬, ୬-୪ ସେଟ୍ରେ ବ୍ରିଟିସ୍ ଖେଳାଳି ଜୋଡି ଆନ୍ନା ବୁରାଗେଙ୍କୁ ଏବଂ ବ୍ରିଟେନ୍ର ରାଡ଼ୁକାନୁ ୭-୬, ୪-୬, ୬-୩ ସେଟ୍ରେ ୱାଙ୍ଗ ଜିନ୍ୟୁଙ୍କୁ ଏବଂ ରିବାକିନା ୬-୧, ୪-୬, ୬-୪ ସେଟ୍ରେ ଆର୍ଜେଣ୍ଟିନାର ଜୁଲିଆ ରିରାଙ୍କୁ ମାତ୍ ଦେଇଥିଲେ।
୨୦ ବର୍ଷ ତଳେ ଯେଉଁ ଟେନିସ୍ କୋର୍ଟରେ ରାଫାଲ୍ ନିଜ ଫ୍ରେଞ୍ଚ୍ ଓପନ୍ର ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍ ଖେଳିଥିଲେ ରବିବାର ସେଠାରେ (କୋର୍ଟ ଫିଲିପ୍ କାଟ୍ରିଏର୍) ତାଙ୍କୁ ମହାନାୟକର ସମ୍ମାନ ପ୍ରଦାନ କରାଯାଇଛି। ଅବସରପ୍ରାପ୍ତ ରାଫେଲ୍ ନାଦାଲଙ୍କୁ ଶ୍ରଦ୍ଧାପୂର୍ଣ୍ଣ ବିଦାୟ ଜଣାଇବାକୁ ରୋଲାଁ ଗ୍ୟାରୋସ୍ରେ ଭରପୂର ପ୍ରଶଂସକ ବି ରାଫା ରାଫା ସହ ‘ହୃଦୟ’ର ଇମୋଜି ଓ ‘୧୪ ଆର୍ଜି’ ଆଦିର ପ୍ଲା କାର୍ଡ ଦେଖାଇଥିଲେ। ୧୪ ଆର୍ଜି ଏହି କଥାକୁ ସଙ୍କେତ ଦେଇଥିଲା ଯେ ରାଫାଲ୍ ଜିତିଥିବା ମୋଟ ୨୨ ଗ୍ରାଣ୍ଡ୍ ସ୍ଲାମ୍ ସିଙ୍ଗଲ୍ସ ଟାଇଟଲ୍ ମଧ୍ୟରୁ ୧୪ଟି ଏହି ରୋଲାଁ ଗ୍ୟାରୋସ୍ରେ ହାସଲ କରିଥିଲେ।
ଏଥି ପାଇଁ ତାଙ୍କୁ କ୍ଲେ କିଙ୍ଗ୍ ବିବେଚିତ କରାଯାଇଥାଏ। ପ୍ରଶଂସକମାନେ ବି ‘ମର୍ସି ରାଫା’ ଲେଖାଥିବା ଜର୍ସି ପରିଧାନ କରି ଲୋତକଭରା ଚକ୍ଷୁରେ ଚିତ୍କାର କରୁଥିଲେ। ଏଥିପାଇଁ ଏହି ସ୍ପେନୀୟ କିଂବଦନ୍ତି ଉପସ୍ଥିତ ଦର୍ଶକଙ୍କୁ ଭାବବିହ୍ବଳ ଉଦ୍ବୋଧନ ବି ଦେଇଥିଲେ। ରାଫେଲଙ୍କୁ ବିଦାୟ ଜଣାଇବାକୁ ଅନ୍ୟ ୩ ମହାନ ଖେଳାଳି ତଥା ପ୍ରତିଦ୍ବନ୍ଦ୍ବୀ ରୋଜର ଫେଡେରର୍, ନୋଭାକ ଜୋକୋଭିକ୍, ଆଣ୍ଡି ମରେ ବି ଉପସ୍ଥିତି ହେବା ଟେନିସ୍ ପ୍ରଶଂସକଙ୍କୁ ଏକ ଅପୂର୍ବ ସଂଯୋଗର ପର୍ବ ଦେଇଥିଲା। ରାଫେଲ୍ ଜୁନିୟର୍ ବି ଏହି ମହାନ ଖେଳାଳିଙ୍କ ସହ ସାନ୍ନଧ୍ୟ ଲାଭ କରିଥିଲେ। ରାଫେଲଙ୍କ ପତ୍ନୀ ମାରିଆ ଫ୍ରାନସିସ୍କା ବି ଭାବବିହ୍ବଳ ହୋଇପଡ଼ି ଆଖିରୁ ଲୁହ ପୋଛୁଥିବା ଦେଖିବାକୁ ମିଳିଥିଲା।