ଫ୍ରେଞ୍ଚ୍‌ ଓପନ୍‌ ଟେନିସ ପ୍ରତିଯୋଗିତା: ଓସାକା, କ୍ରେଜିକୋଭାଙ୍କ ବିଦାୟ

ନାଦାଲ, ନୋରି ଆଗେଇଲେ; ୱାରିଙ୍କା ବିଦା

ପ୍ୟ‌ାରିସ: ଚଳିତ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବିଜୟିନୀ ଦ୍ବିତୀୟ ମାନ୍ୟତାପ୍ରାପ୍ତ ବାର୍ବରା କ୍ରେସିକୋଭା ଏବଂ ପୂର୍ବତନ ଏକ ନମ୍ବର ନ‌ାଓମି ଓସାକାଙ୍କ ଅଭିଯାନ ଶେଷ ହୋଇଛି। ସୋମବାର ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ଚେକ୍‌ ଗଣରାଜ୍ୟର କ୍ରେଜିକୋଭା ୬-୧, ୨-୬, ୩-୬ ‌ସେଟ୍‌ରେ ୯୭ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଯୁବତୀ ଡିଆନେ ପେରିଙ୍କଠୁ ଏବଂ ୪ ଗ୍ରାଣ୍ଡ ସ୍ଲାମ ବିଜୟିନୀ ଜାପାନର ଓସାକା ୫-୭, ୪-୬ ସେଟ୍‌ରେ ଆମେରିକାର ଅମନ୍ଦା ଆନି‌ସିମୋଭାଙ୍କଠୁ ହାରି ଯାଇଥିଲେ। ତେବେ ବିଶ୍ବର ଏକ ନମ୍ବର ଇଗା ସ୍ବିତେକ, ୨ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନର ପଞ୍ଚଦଶ ମାନ୍ୟତାପ୍ରାପ୍ତ ଭିକ୍ଟୋରିଆ ଆଜରେଙ୍କା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପୋଲାଣ୍ଡର ସ୍ବିତେକ ୬-୨, ୬-୨ ସେଟ୍‌ରେ ୟୁକ୍ରେନର ଲେସିଆ ସୁରେଙ୍କୋଙ୍କୁ ଏବଂ ବେଲାରୁଷର ଆଜରେଙ୍କା ୬-୭, ୭-୬, ୬-୨ ସେଟ୍‌ରେ ରୋମାନିଆର ଆନା ବୋଗଦାନଙ୍କୁ ପରାସ୍ତ କରିଥିଲେ।

ନାଦାଲ, ନୋରି ଆଗେଇଲେ; ୱାରିଙ୍କା ବିଦା

ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ ରାଫେଲ ନାଦାଲ ‌ଓ ଦଶମ ମାନ୍ୟତାପ୍ରାପ୍ତ କାମେରନ ନୋରି ନିଜ ନିଜର ମ୍ୟାଚ୍‌ ଜିତି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ସୋମବାର ପ୍ରଥମ ରାଉଣ୍ଡରେ ସ୍ପେନ୍‌ ତରାକା ନାଦାଲ ସିଧାସଳଖ ୬-୨, ୬-୨, ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ‌ଜୋର୍ଡାନ ଥମ୍ପସନଙ୍କୁ ଏବଂ ଇଂଲଣ୍ଡର ନୋରି ୭-୫, ୬-୨, ୬-୦ ସେଟ୍‌ରେ ଫ୍ରାନ୍ସର ମାନୁଏଲ ଗୁଇନାର୍ଡଙ୍କୁ ପରାସ୍ତ କରିଥିଲେ। ତେବେ ୩ ଥରର ଗ୍ରାଣ୍ଡ ସ୍ଲାମ୍‌ ବିଜେତା ଷ୍ଟାନିସଲାସ ୱାରିଙ୍କା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଏହି ସ୍ବିଜରଲାଣ୍ଡ ତାରକା ୬-୨, ୩-୬, ୬-୭, ୩-୬ ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ ମାଉଟେଟ୍‌ଙ୍କଠୁ ହାରିଯାଇଥିଲେ।

ସମ୍ବନ୍ଧିତ ଖବର