ନ୍ୟୁୟର୍କ: ଜାପାନ ଲଳନା ନାଓମି ଓସାକା କରୋନା ମହାମାରୀ ମଧ୍ୟରେ ଆୟୋଜିତ ଚଳିତ ବର୍ଷର ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍ ସ୍ଲାମ୍‌ ମହିଳା ଏକକ ଟ୍ରଫି ଜିତି ନେଇଛନ୍ତି। ଶନିବାର ଫାଇନାଲ୍‌ରେ ୨୨ ବର୍ଷ ବୟସ୍କା ଓସାକା ପ୍ରଥମ ସେଟ୍‌ ପଛୁଆ ରହିବା ପରେ ଚମତ୍କାର ପ୍ରତ୍ୟାବର୍ତନ କରି ପରବର୍ତୀ ଦୁଇ ସେଟ୍‌କୁ ଜିତି ଟ୍ରଫି ଉପରେ କବ୍‌ଜା କରିନେଇଥିଲେ। ଫ୍ଲସିଂ ମିଡୋଜ୍‌ର ଆର୍ଥର ଆସେ ଷ୍ଟାଡିୟମ୍‌ରେ ପାଖାପାଖି ୨ ଘଣ୍ଟା (୧ ଘଣ୍ଟା ୫୩ ମିନିଟ୍‌)ର ମୁକାବିଲା ପରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଓସାକା ୩୧ ବର୍ଷ ବୟସ୍କା‌ ଅଣମାନ୍ୟତାପ୍ରାପ୍ତ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ୧-୬, ୬-୩ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ।

Advertisment

ଏଥି ସହିତ ଓସାକା ମଧ୍ୟ ଦ୍ବିତୀୟ ଥର ୟୁଏସ୍‌ ଓପନ୍‌ ଏବଂ ମୋଟ ଉପରେ ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି କରାୟତ୍ତ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଏଠାରେ ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ (ୟୁଏସ୍‌ ଓପନ୍‌) ଟ୍ରଫି ଜିତିଥିଲା ବେଳେ ୨୦୧୯ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଜରିଆରେ ଦ୍ବିତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜୟ ହାସଲ କରିଥିଲେ। ଅନ୍ୟପକ୍ଷରେ ୨୬ ବର୍ଷ ପରେ ୟୁଏସ୍‌ ଓପନ୍‌ ମହିଳା ଏକକ ଫାଇନାଲ୍‌ରେ ପ୍ରଥମ ସେଟ୍‌ ହାରି ବିଜେତା ହେବାରେ ଓସାକାଙ୍କ ନାମ ଯୋଡ଼ି ହୋଇଯାଇଛି। ଏହା ପୂର୍ବରୁ ଶେଷ ଥର ପାଇଁ ଏଭଳି ଫଳାଫଳ ୧୯୯୪ ମସିହାରେ ଦେଖାଯାଇଥିଲା। ସେଥର ଜର୍ମାନିର ଷ୍ଟେଫି ଗ୍ରାଫ୍‌ଙ୍କ ବିପକ୍ଷରେ ଆରାଣ୍ଟା ସାଞ୍ଚେଜ୍‌ ଭିକାରିଓ କରିପାରିଥିଲେ। ଦ୍ବିତୀୟ ଥର ପାଇଁ ୟୁଏସ୍‌ ଓପନ୍‌ ଟ୍ରଫି ଜିତିବା ପରେ ଓସାକା ମଧ୍ୟ ଗତ ଜାନୁଆରି ୨୬ ତାରିଖରେ ଏକ ହେଲିକପ୍ଟର ଦୁର୍ଘଟଣାରେ ନିହତ ହୋଇଥିବା ବାସ୍କେଟ୍‌ବଲ୍‌ କିଂବଦନ୍ତି କୋବେ ବ୍ରିୟାଣ୍ଟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୟୁଏସ୍‌ ଓପନ୍‌ ଟ୍ରଫି ସହିତ ସେ କୋବେଙ୍କ ଲା ଲାକେର୍‌ସର ୮ ନମ୍ବର ଜର୍ସିକୁ ମଧ୍ୟ ପ୍ରଦର୍ଶିତ କରିଥିଲେ।

ଅନ୍ୟପକ୍ଷରେ ୭ ବର୍ଷ ପରେ ନିଜ କ୍ୟାରିୟର ମଧ୍ୟରେ ପ୍ରଥମ ଥର ଗ୍ରାଣ୍ଡ୍‌ସ୍ଲାମ୍‌ ଫାଇନାଲ୍‌ ପ୍ରବେଶ କରିଥିବା ଏବଂ ମୋଟ ଉପରେ ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ଲକ୍ଷ୍ୟରେ ଲଢ଼ିଥିବା ଆଜାରେଙ୍କା ବିଫଳ ହୋଇଥିଲେ। ସେମିଫାଇନାଲ୍‌ରେ ଆମେରିକାର ଶକ୍ତିଶାଳୀ ସେରେନା ୱିଲିୟମ୍‌ସଙ୍କୁ ପରାସ୍ତ କରିବା ସହ ତାଙ୍କ କୀର୍ତ୍ତିମାନଭରା ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବାର ଆଶାକୁ ଧୂଳିସାତ୍‌ କରିଦେଇଥିବା ଆଜା‌ରେଙ୍କା କିନ୍ତୁ ଓସାକାଙ୍କ ନିକଟରେ ମଳିନ ପଡ଼ିଗଲେ। ଏହା ପୂର୍ବରୁ ଆଜାରେଙ୍କା ୨୦୧୨ ଓ ୨୦୧୩ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଜିତିଥିଲା ବେଳେ ସେହି ଦୁଇ ବର୍ଷ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ସେରେନାଙ୍କଠୁ ହାରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ।

ମାସ୍କ ପିନ୍ଧି ରଙ୍ଗଭେଦର ବିରୋଧ କଲେ
ନ୍ୟୁୟର୍କ: ଶନିବାର ୟୁଏସ୍‌ ଓପନ୍‌ ମହିଳା ଏକକ ଟ୍ରଫି ଜିତି ନେଇଥିବା ଜାପାନୀ ଲଳନା ନାଓମି ଓସାକା ଫ୍ଲସିଂ ମିଡୋଜ୍‌ରେ ତାଙ୍କର ପ୍ରତ୍ୟେକ ମ୍ୟାଚ୍‌ ବେଳେ ଭିନ୍ନ ଭିନ୍ନ ମାସ୍କ ପରିଧା‌ନ କରିଥିବା ଦେଖିବାକୁ ମିଳିଥିଲା। ବିଶେଷକରି ବର୍ଣ୍ଣବୈଷମ୍ୟବାଦର ଘୋର ବିରୋଧୀ ଓସାକା କୃ‌ଷ୍ଣକାୟଙ୍କ ବିରୋଧରେ ବର୍ବୋରୋଚିତ ଆକ୍ରମଣକୁ ପ୍ରତିବାଦ ଜଣାଇ ୟୁଏସ୍‌ ଓପନ୍‌ରେ ଅଲଗା ଅଲଗା ନାମ ଉଲ୍ଲେଖିତ ମାସ୍କ ପିନ୍ଧୁଥିଲେ। ଆସନ୍ତୁ ଓସାକା ପରିଧାନ କରିଥିବା ମାସ୍କରେ ଉଲ୍ଲେଖ ଥିବା ସେହି ୭ ଜଣଙ୍କ ସଂପର୍କରେ ଜାଣିବା।
ପ୍ରଥମ ରାଉଣ୍ଡ୍‌: ବ୍ରେଓନା ଟେଲର
୨୬ ବର୍ଷ ବୟସ୍କ ମହିଳା ବ୍ରେଓନା ଟେଲର ମାର୍ଚ୍ଚ ୧୩ ତାରିଖରେ କେଣ୍ଟୁକିର ଲୁଇସ୍‌ଭିଲ୍ଲେସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ପୁଲିସ ଗୁଳିରେ ନିହତ ହୋଇଥିଲେ। ଏହି ଘଟଣାରେ ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଛଟେଇ କରିଦିଆଯାଇଥିଲା। ଅନ୍ୟ ଦୁଇ ଅଧିକାରୀ ପ୍ରାଶାସନିକ ପଦରେ ପୁନଃସ୍ଥାନିତ ହୋଇଛନ୍ତି। ହେଲେ ସେହି ତିନି ଜଣଙ୍କ ମଧ୍ୟରୁ କାହାରି ନାମରେ ବି ଫୌଜଦାରି ମାମଲା ରୁଜୁ କରାଯାଇନାହିଁ।
ଦ୍ବିତୀୟ ରାଉଣ୍ଡ୍‌: ଏଲିଜା ମ୍ୟାକ୍ଲେନ୍‌
୨୩ ବର୍ଷ ବୟସ୍କ ମ୍ୟାକ୍ଲେନ୍‌ ଗତବର୍ଷ ଅଗଷ୍ଟ ମାସରେ କୋଲୋରାଡୋର ଅରୋରାଠାରେ ପୁଲିସ ଅଧିକାରୀଙ୍କ ସହ ହିଂସାତ୍ମକ ପାଲଟା ଗୁଳିଚାଳନାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପରିବାର ସିଟି ଓ ତା'ର ପୁଲିସ ବିଭାଗ ବିରୋଧରେ ଗତମାସ‌ରେ ଆଇନଗତ ମକଦ୍ଦମା ଦାୟର କରିଥିଲେ। ହେଲେ କିଛି ବି କାର୍ଯ୍ୟନୁଷ୍ଠାନ ନିଆଯାଇନି।
ତୃତୀୟ ରାଉଣ୍ଡ୍‌: ଅହମୁଦ ଅର୍ବେରି
୨୫ ବର୍ଷ ବୟସ୍କ ଅର୍ବେରି ଗତ ଫେବ୍ରୁଆରି ମାସରେ ଜର୍ଜିଆର ଉପନଗରୀ ଅଞ୍ଚଳରେ ପ୍ରହରା ଦେଉଥିଲା ବେଳେ ସଶସ୍ତ୍ର ବନ୍ଧୁକଧାରୀ ସ୍ବେତାଙ୍ଗ ବ୍ୟକ୍ତି ତାଙ୍କ ପିଛା କରିଥିଲେ ଏବଂ ଗୁଳିମାରି ହତ୍ୟା କରିଥିଲେ। ତିନି ଜଣ ସ୍ବେତାଙ୍ଗ ବ୍ୟକ୍ତି ତାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଚତୁର୍ଥ ରାଉଣ୍ଡ୍‌: ଟ୍ରେଭର ମାର୍ଟିନ୍‌
ମାର୍ଟିନ୍‌ ଜଣେ କୃଷ୍ଣକାୟ ନାବାଳକ। ଯାହାକୁ କି ୨୦୧୨ରେ ଫ୍ଲୋରିଡାରେ ଜନୈକ ନାଗରିକ ଜର୍ଜ ଜିମେରମ୍ୟାନ୍‌ ହତ୍ୟା କରିଥିଲେ। ସେହି ଘଟଣା ଏବେ ବ୍ଲାକ୍‌ ଲାଇଭ୍ସ ମ୍ୟାଟର୍‌ ଆନ୍ଦୋଳନକୁ ଉଗ୍ର ହେବାରେ ସହାୟକ ହୋଇଛି।
କ୍ବାର୍ଟରଫାଇନାଲ୍‌: ଜର୍ଜ ଫ୍ଲଏଡ୍‌
ଫ୍ଲୟଡ୍‌ ଚଳିତ ବର୍ଷ ମେ' ୨୫ ତାରିଖରେ ପୁଲିସ ବର୍ବରତାରେ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଅନ୍ୟାୟ ଏବଂ ପୁଲିସ ବର୍ବରତା ବିରୋଧରେ ଗଣବିକ୍ଷୋଭର ରୂପ ନେଇଥିଲା। ଯାହାକି ସାରା ବିଶ୍ବକୁ ବ୍ୟାପୀ ଯାଇଥିଲା। ଘଟଣାର ଭିଡିଓ ପଦାକୁ ଆସିବାର ଗୋଟିଏ ଦିନ ପରେ ଚୌଭିନ୍‌ଙ୍କ ସହ ଅନ୍ୟ ତିନି ଜଣ ମିନିଆପଲିସ୍‌ ପୁଲିସ ଅଧିକାରୀଙ୍କୁ ବିଦା କରିଦିଆଯାଇଥିଲା।
ସେମିଫାଇନାଲ୍‌: ଫିଲାଣ୍ଡୋ କାଷ୍ଟିଲେ
କାଷ୍ଟିଲେ ଜଣେ ୩୨ ବର୍ଷ ବୟସ୍କ କୃଷ୍ଣକାୟ। ୨୦୧୬ରେ ମିନେସୋଟାର ସେଣ୍ଟ୍‌ ପଲ୍‌ ଉପନଗରରେ ଟ୍ରାଫିକ୍‌ ଅଟକ ବେଳେ ମିନେସୋତା ପୁଲିସ ଗୁଳିରେ ନିହତ ହୋଇଥିଲେ। ତାଙ୍କର ଦୋଷ ଥିଲା ସେ ବିକ୍ଷୋଭକୁ ସମର୍ଥନ କରୁଥିଲେ। ତାଙ୍କ ବାନ୍ଧବୀ ସାମାଜିକ ଗଣମାଧ୍ୟମ ଜରିଆରେ ଏଭଳି କୁତ୍ସିତ ଘଟଣା ସଂପର୍କରେ ସାରା ବିଶ୍ବର ନଜରକୁ ଆଣିଥିଲେ। ଜଣେ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଫାଇନାଲ୍‌: ତାମିର ରାଇସ୍‌
ରାଇସ୍‌ ଜଣେ ୧୨ ବର୍ଷ ବୟସ୍କ ଆଫ୍ରିକୀୟ-ଆମେରିକୀୟ ବାଳକ। ଯିଏକି ୨୦୧୪ରେ ଓହିଓର କ୍ଲେଭେଲାଣ୍ଡରେ ପୁଲିସ ଅଧିକାରୀ ଟିମୋଥି ଲୋହେମାନ୍‌ଙ୍କ ଗୁଳିରେ ନିହତ ହୋଇଥିଲେ। ସେ ଗୋଟିଏ ଖେଳନା ବନ୍ଧୁକ ଧରି ଏକ ଖେଳପଡ଼ିଆରେ ଖେଳୁଥିଲା ବେଳେ ସେହି ବନ୍ଧୁକରୁ ପ୍ଲାଷ୍ଟିକ୍‌ ଗୁଳି ମାରୁଥିଲା ବେଳେ ଏଭଳି ବର୍ବରୋଚିତ ଶିକାର ହୋଇଥିଲେ। ଏହାକୁ ନେଇ ରାଇସ୍‌ଙ୍କ ପରିବାର ମାମଲା ରୁଜୁ କରିଥିଲେ। ‌୨୦୧୬ ଏପ୍ରିଲରେ ସେହି ମାମଲାର ରଫାଦଫା କରିଦେବା‌ ପାଇଁ କ୍ଲେଭେଲାଣ୍ଡ୍‌ ଅଧିକାରୀ ରାଇସ୍‌ଙ୍କ ପରିବାରକୁ ୬ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ରାଜି ହୋଇଥିଲେ।