ଫ୍ରେଞ୍ଚ ଓପନ୍‌ରୁ ଓହରିଲେ ଓସାକା, ସାମ୍ବାଦିକ ସମ୍ମିଳନୀ ବର୍ଜନ ବିବାଦ

ସେରେନା, ବାର୍ଟି ଆଗେଇଲେ, ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡରେ ବୋପାନ୍ନା

ପ୍ୟାରିସ: ଜାପାନ୍‌ ଟେନିସ୍‌ ସୁପରଷ୍ଟାର ନାଓମି ଓସାକା ସୋମବାର ମଧ୍ୟରାତ୍ରରେ ଫ୍ରେଞ୍ଚ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ଯାହା କ୍ରୀଡ଼ା ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ଓସାକା ଓହରିବାର କାରଣକୁ ନେଇ ବିଶ୍ବ କ୍ରୀଡ଼ା ଜଗତ ବି ଏକ ପ୍ରକାର ଦୁଇ ଫାଳ ହୋଇଛି। ‌ରବିବାର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇନଥିଲେ ଓସାକା। ବାଧ୍ୟତାମୂଳକ ସାମ୍ବାଦିକ ସମ୍ମିଳନୀ ବର୍ଜନ କରିବା ପରେ ଆୟୋଜକ ତାଙ୍କୁ ୧୫,୦୦୦ ଡଲାର ଜରିମାନା କରିଥିଲେ। ଏପରିକି ଫ୍ରେଞ୍ଚ୍‌ ଓପନ୍‌ରୁ ଅଯୋଗ୍ୟ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଏହା ପରେ ବିଶ୍ବର ସବୁଠାରୁ ଦାମୀ ମହିଳା ଟେନିସ୍ ତାରକା ଓସାକା ଅଚାନକ ଚଳିତ ବର୍ଷର ଏହି ଦ୍ବିତୀୟ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ମାନସିକ ଅବସ୍ଥା ଭଲ ନଥିବାରୁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ନଥିଲେ ବୋଲି କହିଥିଲେ। ସେହିଭଳି ଜରିମାନାକୁ ନେଇ ପରୋକ୍ଷରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିନେଇ ନିଜ ପକ୍ଷ ରଖିବାକୁ ଯାଇ ସେ କହିଥିଲେ ‘‘ମୁଁ ଭାବୁଛି ପ୍ରତିଯୋଗିତା, ଅନ୍ୟ ଖେଳାଳି ଏବଂ ବ୍ୟକ୍ତିଗତ ଭା‌ବେ ମୋ ପାଇଁ ଫ୍ରେଞ୍ଚ ଓପନରୁ ଓହରିଯିବା ସବୁଠାରୁ ଭଲ କଥା ହେବ। ଫଳରେ ଏହି ପ୍ରତିଯୋଗିତା ଉପରେ ‌ହିଁ ସମସ୍ତଙ୍କ ନଜର ରହିବ’’।

ଏହା ପୂର୍ବରୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସେ ଘୋଷଣା କରିଥିଲେ ଯେ ‌‌ରୋଲାଁ ଗାରୋସରେ କୌଣସି ‌ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବିନି। ‘‘ମୁଁ କେବେ ବି ବିଭ୍ରାଟ କିମ୍ବା ବିବାଦ ସୃଷ୍ଟି ହେଉ ବୋଲି ଚାହେନି। ଏବେ ମୋର ସମୟ ବି ଠିକ୍‌ ନାହିଁ। କଡ଼ା ଭାଷାରେ ବି କିଛି କହିବାର ନାହିଁ। ମୋ ମାନସିକ ଅବସ୍ଥାକୁ ଆଉ ଖରାପ କରିବାକୁ ଚାହୁନି କିମ୍ବା କିଛି ବି କଥାକୁ ହାଲ୍‌କା ଭାବେ ନେଉନି। ୨୦୧୯ ୟୁଏସ୍‌ ଓପନ୍‌ ପରେ ଏହା ମୋର ସବୁଠୁ ଦୁଃଖଦ ସମୟ’’ ବୋଲି ୪ ଗ୍ରାଣ୍ଡ ସ୍ଲାମ୍‌ ଏବଂ ୨ ଡବ୍ଲୁଟିଏ ଟୁର୍‌ ବିଜୟିନୀ ୨୩ ବର୍ଷୀୟ ଓସାକା କହିଥିଲେ। କ୍ରୀଡ଼ାବିତ୍‌ଙ୍କ ମାନସିକ ସ୍ଥିତି ପ୍ରତି ଲୋକମାନେ କୌଣସି ସମ୍ମାନ କରନ୍ତି ନାହିଁ। ଆମେ ବସିଥାଉ ସେମାନେ ମନଇଚ୍ଛା ପ୍ରଶ୍ନ କରିଚାଲନ୍ତି। ଏମିତି ବି ଗୋଟିଏ ପ୍ରଶ୍ନକୁ ଅନେକ ଥର ପଚାରିଥାନ୍ତି। ଜଣେ ଖରାପ ପ୍ରଦର୍ଶନ କଲେ ତାକୁ ଉପହାସ କରିବାକୁ ଭୁଲନ୍ତିନି। ମୁଁ ଏହାର କାରଣ ବୁଝି ପାରେନି ବୋଲି ମଧ୍ୟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ସେ।

ନାଭ୍ରାତିଲୋଭାଙ୍କ ସମର୍ଥନ
ବିବାଦପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ବର୍ଜନ ନିଷ୍ପତ୍ତି ନେଇ ଫ୍ରେଞ୍ଚ୍‌ ଓପନ୍‌ରୁ ଓହରିବା ଓସାକାଙ୍କ ନିଷ୍ପତ୍ତିରେ ମହିଳା ଟେନିସ କିଂବଦନ୍ତି ମାର୍ଟିନା ନାଭ୍ରାତିଲୋଭା ବହୁତ ଦୁଃଖିତ ହେବା ସହ ଓସାକାଙ୍କୁ ସମର୍ଥନ ‌ଦେଇଛନ୍ତି। ‘‘ନାଓମି ଓସାକାଙ୍କ ପାଇଁ ବହୁତ ଦୁଃଖିତ। ‌ମୋ ବିଶ୍ବାସ ସେ ଠିକ୍‌ ଥିବେ। ଜଣେ କ୍ରୀଡ଼ାବିତ ଭାବେ ସ୍ବାସ୍ଥ୍ୟର ଯତ୍ନ ନେବା ଲାଗି ଅମକୁ ଶିକ୍ଷା ଦିଆଯାଇଛି। ଯାହା ଦ୍ବାରା ମାନସିକ ଏବଂ ଭାବନା ଭଲ ରହିବ। ସାମ୍ବାଦିକ ସମ୍ମିଳନୀରେ ଅଂଶଗ୍ରହଣ କରବା ନ କରିବା ଅପେକ୍ଷା ଏହ ଭଲ। ଆମେ ତୁମ ସହ ଅଛୁ। ଶୁଭେଚ୍ଛା ନାଓମି’’ ବୋଲି ନାଭ୍ରାତିଲୋଭା କହିଛନ୍ତି। ସେହିଭଳି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଏବଂ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ମଧ୍ୟ ଖେଳାଳିଙ୍କୁ ସାମ୍ବାଦିକ ସମ୍ମିଳନୀରୁ ରିହାତି ମିଳିବା ଉପରେ ଜୋର ଦେଇଛନ୍ତି। ଉଭୟ ଓସାକାଙ୍କୁ ଦୃଢ଼ ସମର୍ଥନ ଦେଇଛନ୍ତି। ସେପଟେ ଜର୍ମାନୀର କିଂବଦନ୍ତି ଖେଳାଳି ବୋରିସ ବେକର ଜାପାନୀ ତାରକା ଓସାକାଙ୍କ ଭବିଷ୍ୟତ ନେଇ ଚିନ୍ତା ଜାହିର କରିଛନ୍ତି। ଆମେରିକୀୟ ତାରକା ସେରେନା ୱିଲିୟମ୍ସ ସମବେଦନା ଜଣାଇବା ସହ ଓସାକାଙ୍କକୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସେରେନା, ବାର୍ଟି ଆଗେଇଲେ, ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡରେ ବୋପାନ୍ନା

ଭାରତୀୟ ଟେନିସ୍‌ ତାରକା ରୋହନ ବୋପାନ୍ନା ଓ ତାଙ୍କ କ୍ରୋଏସୀୟ ସାଥୀ ଫ୍ରାଙ୍କୋ କୁଗର ଚଳିତ ଫ୍ରେଞ୍ଚ ଓପନ୍‌ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୋପାନ୍ନା-କୁଗର ନିଜ ପ୍ରଥମ ରାଉଣ୍ଡ ମୁକାବିଲାରେ ଜର୍ଜିୟା-ଜର୍ମାନୀ ଯୋଡ଼ି ନିକୋଲାସ ବାସିଲାସଭିଲି-ଆନ୍ଦ୍ରେ ବେଗାମନଙ୍କୁ ୬-୪, ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ମେହିଭଳି ମହିଳା ଏକକରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆସଲେ ବାର୍ଟି ଆଘାତ ହେବା ପରେ ମଧ୍ୟ ୬-୪, ୩-୬, ୬-୨ରେ ନିଜ ଆମେରିକୀୟ ପ୍ରତିଦ୍ବନ୍ଦ୍ବୀ ବର୍ଣ୍ଣାଦା ପେରାଙ୍କୁ ପରାସ୍ତ କରି ଦ୍ବିତୀୟ ରାଉଣ୍ଡକୁ ଯାଇଥିଲେ। ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ରାତି ମ୍ୟାଚ୍‌ରେ ବିଜୟୀ ହୋଇ ପୂର୍ବ ବିଜୟିନୀ ସେରେନା ୱିଲିୟମ୍ସ ନିଜ ଅଭିଯାନ ଆରମ୍ଭ କରିଥିଲେ। ସେରେନା ‌ପ୍ରତିପକ୍ଷ ରୋମାନିଆ ଖେଳାଳି ଇରିନା ବେଗୁଙ୍କୁ ୭-୬, ୬-୨ରେ ହରାଇଥିଲେ। ଅନ୍ୟପକ୍ଷରେ ଦୁଇ ଥର ସେମିଫାଇନାଲିଷ୍ଟ ପେଟ୍ରା କ୍ବିତୋଭା ଆଣ୍ଠୁ ଯନ୍ତ୍ରଣା ପାଇଁ ନିଜ ପ୍ରଥମ ରାଉଣ୍ଡ ମୁକାବିଲା ଅଧାରୁ ଓହରି ଯାଇଥିଲେ। ପୁରୁଷ ଏକକରୁ ସପ୍ତମ ମାନ୍ୟତାପ୍ରାପ୍ତ ଆନ୍ଦେ ରୁବଲେଭ ବିଦାୟ ନେଇଛନ୍ତି। ଏହି ରୁଷିଆ ତାରକା ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ଜର୍ମାନିର ଜାନ୍‌-ରେନାଲ୍ଡ ଷ୍ଟ୍ରୁପ୍‌ଙ୍କଠୁ ହାରିଯାଇଥିଲେ। ଅନ୍ୟ ପୁରୁଷ ତାରକା ଖେଳାଳିଙ୍କ ମଧ୍ୟରେ ୧୪ ମାନ୍ୟତା ପ୍ରାପ୍ତ ଗେଲ୍‌ ମନ୍‌ଫିଲ୍ସ, ୨୧ ମାନ୍ୟତାପ୍ରାପ୍ତ ଆଲେକ୍ସ ଡି’ମିନୁର ଏବଂ ୨୪ ମାନ୍ୟତାପ୍ରାପ୍ତ ଆସ୍‌ଲାନ କାରାତ୍ସେବ ନିଜ ନିଜ ମ୍ୟାଚ୍‌ ଜିତି ଦ୍ବିତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ‌ଫ୍ରାନ୍ସର ମନ୍‌ଫିଲ୍ସ ୧-୬, ୭-୬, ୬-୪, ୬-୪ ସେଟ୍‌ରେ ସ୍ପେନ୍‌ର ଅଲବର୍ଟ ରାମୋସ ଭିନୋଲାସଙ୍କୁ, ଅଷ୍ଟ୍ରେଲିଆର ଡି’ମିନୁର ୬-୨, ୬-୪, ୭-୬ ସେଟ୍‌ରେ ଇଟାଲିର ଷ୍ଟିଫାନୋ ଷ୍ଟ୍ରାଭାଗ୍ଲିଆଙ୍କୁ ଏବଂ ରୁଷିଆର ଆସ୍‌ଲାନ ୬-୩, ୬-୪, ୬-୪ ସେଟ୍‌ରେ ଆମେରିକାର ଜେନସନ ବ୍ରୁକ୍ସବିଙ୍କୁ ହରାଇଥିଲେ।

ସମ୍ବନ୍ଧିତ ଖବର