ଓସ୍‌ଜା ଏଜିଏମ୍‌, ସନ୍ଦୀପ ସଭାପତି ଓ ସମ୍ବିତ ସମ୍ପାଦକ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟର ଏକମାତ୍ର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନୂଆ କର୍ମକର୍ତା ନିର୍ବାଚନ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି କେ ରବିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଏକ କ୍ରୀଡ଼ା କର୍ମଶାଳା ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାର୍ଷିକ କ୍ରୀଡ଼ା ପୁରସ୍କାର ଭୁବନେଶ୍ୱର ସହ ଅନ୍ୟ ସହରରେ ଆୟୋଜନ ପାଇଁ ମଧ୍ୟ ବିଚାର କରାଯାଇ ଆସନ୍ତା ବର୍ଷର ଉତ୍ସବ କଟକରେ କରାଯିବା ସକାଶେ ନୀତିଗତ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ପେସାଦାର କ୍ରୀଡ଼ା ସାମ୍ବାଦିକଙ୍କୁ ରାଜ୍ୟ ସରକାରଙ୍କ ସ୍ବୀକୃତି ପ୍ରଦାନ ବାବଦରେ ସଂଘ ନିଜ ଦାବି ଉପସ୍ଥାପନ ଜାରି ରଖିବ। ଆଗାମୀ ଦିନରେ ଏ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ ଆୟୋଜିତ ହେଉଥିବା ବଡ଼ କ୍ରୀଡ଼ା ଉତ୍ସବ ସମୟରେ ଆକ୍ରିଡିଟେସନ୍‌ ପ୍ରଦାନ ବେଳେ ଓସ୍‌ଜାର ପରାମର୍ଶ କ୍ରୀଡ଼ା ଅଧିକାରୀମାନେ ଯେପରି ଗ୍ରହଣ କରିବେ ସେ ବାବଦରେ ପ୍ରୟାସ କରାଯିବ। ଅନ୍ୟ ରାଜ୍ୟଗୁଡିକରେ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମ ବେଳେ ସେଠାକାର କ୍ରୀଡ଼ା ସାମ୍ବାଦିକ ସଂଘକୁ ଆକ୍ରିଡିଟେସନ୍‌ ପ୍ରଦାନ କାର୍ଯ୍ୟଧାରାରେ ସକ୍ରିୟ ଭାଗ ନେବାକୁ ଦିଆଯାଉଥିବା ଉପରେ ବି ଆଲୋକପାତ ହୋଇଥିଲା। ଓସ୍‌ଜାର ୱେବ୍‌ସାଇଟ୍‌ ଅଧିକ ଗତିଶୀଳ କରାଯିବା ଏବଂ ସାମାଜିକ ଗଣମାଧ୍ୟମରେ ଓସ୍‌ଜାର ଉପସ୍ଥିତି ଏବଂ ଖବର ପ୍ରଦାନର ଧାରା ଆରମ୍ଭ କରାଯିବା ଉପରେ ଆଲୋଚନା ହୋଇଥିଲା। ୫ ଜଣ ନୂଆ ଆବେଦନକାରୀଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯିବା ପାଇଁ ଏଜିଏମ୍‌ ଅନୁମତି ପ୍ରଦାନ କରିଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର। ଶେଷରେ ଆସନ୍ତା ୨ ବର୍ଷ ପାଇଁ ନୂଆ କର୍ମକର୍ତା ଚୟନ ପରମ୍ପରା ଅନୁଯାୟୀ ସର୍ବସମ୍ମତିରେ ଗୃହୀତ ହୋଇଥିଲା।

ଓସଜାର ୨୦୧୯-୨୧ କର୍ମକର୍ତା: ସଭାପତି: ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି: କେ ରବି, ଉପସଭାପତି: ସଞ୍ଜୀବ ବିଶ୍ୱାଳ, ଦେବୀ ପ୍ରସନ୍ନ ମହାନ୍ତି, ସମୀକ୍ଷା ପଟ୍ଟନାୟକ, ସାଧାରଣ ସମ୍ପାଦକ: ସମ୍ବିତ ମହାପାତ୍ର, ଯୁଗ୍ମ ସମ୍ପାଦକ: ତପନ କୁମାର ସ୍ବାଇଁ, ଦେବାଶିଷ ସୁନ୍ଦରାୟ, ଜ୍ଞାନରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ: ହିମାଂଶୁ ପତି ମିଶ୍ର, କାର୍ଯ୍ୟନିର୍ବାହୀ ସମିତି: ସୁଶାନ୍ତ ମହାନ୍ତି, ସନାତନ ପାଣି, ସୁରେଶ ସ୍ବାଇଁ, ତନ୍ମୟ ଦାସ, ଶୁଭଲକ୍ଷ୍ମୀ ବଳ, ସମୀର ରାଉତ ଏବଂ ଶକ୍ତିପ୍ରସାଦ ନନ୍ଦ।

ସମ୍ବନ୍ଧିତ ଖବର