ଭୁବନେଶ୍ବର: ଶୃଙ୍ଖଳା ଓ କଠିନ ପରିଶ୍ରମ ହିଁ ସଫଳତାର ମାପକାଠି। ଏହି ଦୁଇ ନିୟମ ସହ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶାବଳୀକୁ ମାନି ଖେଳିଲେ ଦିନେ ସଫଳତା ନିଶ୍ଚିତ ଆସିବ ବୋଲି ଏସିଆଡ଼ କ୍ରୀଡ଼ା ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି କିଶୋର ଜେନା କହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍‌ ଟେନିସ ସେଣ୍ଟରରେ ଆୟୋଜିତ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ଦ୍ବାରା ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ଗ୍ରହଣ ଅବସରରେ ଓଡ଼ିଶାର ଏହି ତାରକା ଆଥଲେଟ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Advertisment

publive-image

ଓସ୍‌ଜା ସଭାପତି ସନ୍ଦୀପ ମିଶ୍ରଙ୍କ ପୌରୋହିତ୍ବରେ ବୁଧବାର ଅନୁଷ୍ଠିତ ଏହି ପୁରସ୍କାର ଉତ୍ସବରେ ଅଲିମ୍ପିଆନ ଆଥଲେଟ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଓ ଅର୍ଜୁନ ପୁରସ୍କାର ଭାରୋତ୍ତୋଳକ କାଟୁଲୁ ରବି କୁମାର ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା ଓଡ଼ିଶା ଭାରୋତ୍ତୋଳନର ପିତାମହ ବିଜୟ ଶତପଥୀଙ୍କୁ ଜୀବନବ୍ୟାପି ସାଧନା ନିମନ୍ତେ ପୁରସ୍କୃତ କରାଯଇଛି। ସେ ଅସୁସ୍ଥ ଥିବାରୁ ରବି କୁମାର ତାଙ୍କ ଲାଗି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ବାବଦରେ ଟ୍ରଫି, ଉତ୍ତରୀୟ, ମାନପତ୍ର ଓ ୨୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

publive-image

ଏହି ଅବସରରେ କିଶୋରଙ୍କ ପ୍ରଶିକ୍ଷକ ସମରଜିତ ମଲ୍ଲୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବି ସ୍ବାଗତ ଭାଷଣ ପ୍ରଦାନ କରିଥିଲାବେଳେ ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜାର ଏଭଳି କାର୍ଯ୍ୟକ୍ରମକୁ ପୁରସ୍କାର ବିଜେତା କିଶୋର ଜେନା ଓ ରବି କୁମାର ଭୂୟସୀ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଅନେକ ପ୍ରଶିକ୍ଷକ, କ୍ରୀଡ଼ାବିତ ଏବଂ ଓସ୍‌ଜାର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଶୋରଙ୍କୁ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ଶୁଭେଛା ଜ୍ଞାପନ କରାଯାଇଥିଲା।

publive-image

ପୂର୍ବରୁ ଏହି ପୁରସ୍କାର ପୂର୍ଣ୍ଣିମା ହେମ୍ବ୍ରମ ଓ ଦେବପ୍ରସାଦ ସିଂ, ଅମିତ ରୋହିଦାସ ଓ ବ୍ରଜଭୂଷଣ ମହାନ୍ତି, ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ, ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ, ବୀରେନ୍ଦ୍ର ଲାକ୍ରା ଓ ଅରୂପାନନ୍ଦ ରାଉତରାୟ, ସ୍ୱସ୍ତି ସିଂହ-ପିଟର ତିର୍କୀଙ୍କୁ ଦିଆଯାଇଛି।