ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ପୁନଃ ପ୍ରଦାନ କରିବା ନେଇ ଦାବି ରଖିବ ଓସ୍‌ଜା

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ଏଜିଏମ୍‍: ଦେବୀ ପ୍ରସନ୍ନ ନୂଆ ସମ୍ପାଦକ, ଦେବାଶିଷ ସୁନ୍ଦରାୟ କୋଷାଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ପ୍ରସାର ଦିଗରେ କ୍ରୀଡ଼ା ସାମ୍ବାଦିକମାନଙ୍କର ରହିଆସିଛି ବିଶେଷ ଯୋଗଦାନ । ପ୍ରତିଭାଙ୍କ ବିକାଶ ହେଉ କିମ୍ବା ସରକାରୀ ଓ ବେସରକାରୀ କ୍ରୀଡ଼ା ଆୟୋଜନ ସବୁକିଛିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ବଡ଼ ଦାୟିତ୍ୱ କ୍ରୀଡ଼ା ସାମ୍ବାଦିକମାନେ ରାଜ୍ୟରେ ନିର୍ବାହ କରୁଛନ୍ତି । ତେଣୁ ଏହି ବିଶେଷ ପେସାଧାରାର ଗୁଣାତ୍ମକ ବିକାଶ ସାଙ୍ଗକୁ କିପରି କାର୍ଯ୍ୟ ସମ୍ପାଦନ ସକାଶେ ପ୍ରକୃତ ମାହୋଲ ତିଆରି ହୋଇପାରିବ ସେ ଦିଗରେ ପ୍ରୟାସ କରାଯିବା ପାଇଁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ(ଓସ୍‌ଜା)ର ବାର୍ଷିକ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ଓ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ସଂଘ ହେଉଛି ଓସଜା । ଭୁବନେଶ୍ୱର ସହିଦ ସ୍ପୋର୍ଟିଂ ସଭାଗୃହରେ ସଭାପତି ସନ୍ଦୀପ ମିଶ୍ରଙ୍କ ସଭାପତିତ୍ୱରେ ତଥା କାର୍ଯ୍ୟକାରୀ ସଭାପତି କେ. ରବି ଓ ବରିଷ୍ଠ ସଦସ୍ୟ ସୁଶାନ୍ତ ମହାନ୍ତିଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ବୁଧବାରର ବୈଠକ । କାର୍ଯ୍ୟ ସମ୍ପାଦନ ସମୟରେ କ୍ରୀଡ଼ା ସାମ୍ବାଦିକମାନେ ସମ୍ମୁଖିନ ହେଉଥିବା ଅସୁବିଧା ଉପରେ ବିଶଦ ଭାବରେ ଆଲୋଚନା ହୋଇଥିଲା । ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ପୁନଃ ପ୍ରଦାନ କରିବା ଏବଂ କ୍ରୀଡ଼ା ସାମ୍ବାଦିକମାନଙ୍କୁ ପଞ୍ଜିକୃତ ସାମ୍ବାଦିକ ଭାବେ ସ୍ୱୀକୃତି ପ୍ରଦାନ କରିବା ତଥା ଓସଜାର ରାଜ୍ୟ କାର୍ଯ୍ୟାଳୟ ସକାଶେ ସରକାରୀ ଆବାସ ପ୍ରଦାନ ପାଇଁ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଏକ ପ୍ରତିନିଧି ମଣ୍ଡଳୀ ଭେଟିବା ପାଇଁ ସ୍ଥିର କରାଯାଇଛି। ମାର୍ଚ୍ଚ ୨୧ରେ ଓସଜାର ପ୍ରତିଷ୍ଠା ଦିବସ ଓ ପୁରସ୍କାର ପ୍ରଦାନ ଉତ୍ସବ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ଉପ-ସଭାପତି ଭାବେ ନିକଟରେ ନିର୍ବାଚିତ ହୋଇଥିବା ଓସଜାର ସଂବିତ୍‍ ମହାପାତ୍ରଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କୋଭିଡ଼ ମହାମାରୀ ସକାଶେ ୨୦୨୦-୨୦୨୨ ମେମ୍ବର ଫିସ୍‍ ଛାଡ, ନୂଆ କ୍ରୀଡ଼ା ସାମ୍ବାଦିକ ମାନଙ୍କୁ ସଂଘରେ ପଞ୍ଜିକରଣର ପ୍ରସ୍ତାବ ପାରିତ ହୋଇଥିଲା । ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ଓସଜାର କର୍ମକର୍ତ୍ତା ନିର୍ବାଚନ ମଧ୍ୟ କରାଯାଇଥିଲା ।

ଦେବୀ ପ୍ରସନ୍ନ ମହାନ୍ତି ସଂଘର ନୂଆ ସାଧାରଣ ସମ୍ପାଦକ, ଦେବାଶିଷ ସୁନ୍ଦରାୟ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଅନ୍ୟ ପଦାଧିକାରୀମାନେ ହେଲେ ସଭାପତି- ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ. ରବି, ଉପସଭାପତି-ସଞ୍ଜିବ ବିଶ୍ୱାଳ, ସମୀକ୍ଷା ପଟ୍ଟନାୟକ, ହିମାଂଶୁପତି ମିଶ୍ର, ଯୁଗ୍ମ ସମ୍ପାଦକ ସୁରେଶ ସ୍ୱାଇଁ, ଜ୍ଞାନରଞ୍ଜନ ମିଶ୍ର, ତପନ କୁମାର ସ୍ୱାଇଁ, କାର୍ଯନିର୍ବାହୀ କମିଟି-ସୁଶାନ୍ତ ମହାନ୍ତି, ସନାତନ ପାଣି, ସଂବିତ୍‍ ମହାପାତ୍ର, ତନ୍ମୟ ଦାସ, ସମୀର ରାଉତ, ସୁକେଶ ବେହେରା ଓ ଦୀପ୍ତି ରଞ୍ଜନ ସାମଲ । ବୁଧବାରର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିମଲ କୁମାର, ପ୍ରତାପ ପ୍ରଧାନ, ଦେବୀ ପ୍ରସନ୍ନ ପାଣିଗ୍ରାହୀ,ଚକ୍ରଧର ମାଝୀ, ମନୋରଞ୍ଜନ ଦାସ, ରଞ୍ଜନ ରାୟ, ସୁଜିତ ଦାସ, ବେଣୁଧର ଦାସ, ମହେନ୍ଦ୍ର ସାହୁ, ଉମାକାନ୍ତ ମିଶ୍ର, ମନମୋହନ ସ୍ୱାଇଁ, ତୁଷାର ସେନାପତି ଏବଂ କୁମାରଶ୍ରୀ ସାହୁ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର