କଟକ: ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ (୨୦୧୯), ଓଡ଼ିଶାର ନୂଆ ଚେସ୍ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର (୨୦୨୦) ବିଗତ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର ପାଇଥିବାବେଳେ ଏବଂ ସଫଳ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଦୁଇ ଦୌଡ଼କୁଦ ବ୍ୟକ୍ତିତ୍ବ ପଞ୍ଚାନନ ଗନ୍ତାୟତ (୨୦୧୯) ଓ ଅରୁଣ ଦାସ (୨୦୨୦)ଙ୍କୁ ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ସମ୍ମାନ ପ୍ରଦାନ କରାଯାଇଛି। ଉଭୟ ପୁରସ୍କାର ବାବଦରେ ଉପରୋକ୍ତ ୪ ଜଣଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଅର୍ଥ ରାଶି, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାନନ ଗନ୍ତାୟତଙ୍କ ଅନୁପସ୍ଥିତିରେ ତାଙ୍କ ସମ୍ପର୍କୀୟ ଭାଇ ଏହାକୁ ଗ୍ରହଣ କରିଥିଲେ। ଓସ୍ଜା ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଉଭୟଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ଲୋକ ଏହା ଗ୍ରହଣ କରିଥିଲେ। ଏହି ଅବସରରେ ଅର୍ଜୁନ ପୁରସ୍କାର ବିଜେତା ତଥା ପ୍ରମୋଦ ଭଗତଙ୍କ ଯୁଗଳ ସାଥି ମନୋଜ ସରକାରଙ୍କୁ ଓସଜା ସମ୍ବର୍ଧିତ କରିଥିଲା। ଓସ୍ଜା ସମ୍ପାଦକ ସମ୍ବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ପୂର୍ବତନ ଅନ୍ତର୍ଜାତୀୟ ଫୁଟ୍ବଲର୍ ରାଜେନ୍ଦ୍ର ପ୍ରସାଦ ସିଂହ, ଓସ୍ଜା ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଆୟୋଜନ ସମିତି ସମ୍ପାଦକ ସୁଶାନ୍ତ ମହାନ୍ତି ଅତିଥି ଥିଲେ।
ରାଜ୍ୟରେ ଘଟିଛି କ୍ରୀଡ଼ାର ବିକାଶ
ଖେଳାଳିମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାରେ କ୍ରୀଡ଼ା ସାମ୍ବାଦିକମାନଙ୍କ ଭୂମିକାକୁ ଢ଼େର ପ୍ରଶଂସା ମିଳିଛି। ବାର୍ଷିକ ଓସ୍ଜା ପୁରସ୍କାର ଆମମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ମଧ୍ୟ ଖେଳାଳିମାନେ ସ୍ବୀକାର କରିଛନ୍ତି। ରବିବାର ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଓସ୍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବରେ କ୍ରୀଡ଼ାବିତ୍-କ୍ରୀଡ଼ା ସାମ୍ବାଦିକଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି ବୋଲି ଅତିଥିମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି। ରବିବାର ଏକ ନିରାଡମ୍ବର ତଥା ଭାବପୂର୍ଣ୍ଣ ଉତ୍ସବରେ ବିଗତ ଦୁଇ ବର୍ଷର ଓସ୍ଜା ପୁରସ୍କାରକୁ ପ୍ରଦାନ କରାଯାଇଥିଲା।
ସ୍ମୃତି ଚାରଣ କଲେ ଖେଳାଳି
‘ମୁଁ ଚେସରେ ଏତେ ବାଟ ଆସିଛି କେବଳ କ୍ରୀଡ଼ା ସାମ୍ବାଦିକଙ୍କ କାରଣରୁ ସମ୍ଭବ ହୋଇଛି। ୭ ବର୍ଷରୁ କମ୍ ବର୍ଗର ଏକ ଚେସ୍ ଶିବିର ସମ୍ପର୍କିତ ଖବର ପଢ଼ି ମୋ ମାମୁଁ ଭାଗନେବାକୁ କହିବା ପରେ ଏହି ଖେଳରେ ମୋ ପ୍ରବେଶ ହୋଇଥିଲା’ ବୋଲି ନିଜ ପିଲାଦିନ ସ୍ମୃତି ଚାରଣ କରି କହିଥିଲେ ଗ୍ରାଣ୍ଡମାଷ୍ଟର୍ ସ୍ବୟମ୍ସ ମିଶ୍ର। ଅଲିମ୍ପିକ୍ ବର୍ଷରେ ଏହି ପୁରସ୍କାର ମୋତେ ଉତ୍ସାହିତ କରିଛି ବୋଲି କହିଥିଲେ ପାରା ବ୍ୟାଡମିଣ୍ଟନର ପ୍ରମୋଦ ଭଗତ। ଦୁଇ ମହାନ ଦୌଡ଼କୁଦ ବ୍ୟକ୍ତି ପଞ୍ଚାନନ ଗନ୍ତାୟତ ଏବଂ ଅରୁଣ ଦାସ ମଧ୍ୟ ଏଭଳି ସ୍ବୀକୃତି ଲାଗି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ।
ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଆହ୍ବାନ
ମୁଖ୍ୟ ଅତିଥି ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଓସ୍ଜାର ଏକତାରେ ଅଭିଭୂତ ହୋଇ ଅଧିକ ସଂଘବଦ୍ଧ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସଂଘକୁ ଏକ ସ୍ଥାୟୀ ଗୃହ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଦାନ ଲାଗି ସେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ। ପୂର୍ବତନ ଅନ୍ତର୍ଜାତୀୟ ଫୁଟ୍ବଲ୍ର ରାଜେନ୍ଦ୍ର ପ୍ରସାଦ ସିଂହ କ୍ରୀଡ଼ା ସାମ୍ବାଦିକଙ୍କ କାରଣରୁ ଜଣେ ଖେଳାଳିଙ୍କୁ ସମସ୍ତେ କୋଣ ଅନୁକୋଣରେ ଚିହ୍ନିପାରିଥାନ୍ତି ବୋଲି ପ୍ରକାଶ କରିଥିଲେ। ଖେଳାଳି ଜୀବନରେ ପ୍ରତିଟି ପାଦରେ ଓ କୃତିତ୍ବରେ ଖେଳ ସାମ୍ବାଦିକଙ୍କ ଯୋଗଦାନକୁ ଅନ୍ୟତମ ଅତିଥି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ମଧ୍ୟ ସ୍ବୀକାର କରିଥିଲେ।
ସୂଚନାଯୋଗ୍ୟ, ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ହେପ୍ଟାଥଲନ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍, ହକି ତାରକା ଅମିତ ରୋହିଦାସ ପ୍ରଥମ ଦୁଇ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଓ ଫୁଟ୍ବଲ୍ ବ୍ୟକ୍ତିତ୍ବ ଦେବ ସିଂହ, ଦ୍ରୋଣାଚାର୍ଯ୍ୟ ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜ ଭୂଷଣ ମହାନ୍ତି ‘ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍’ ପୁରସ୍କାର ପାଇଥିଲେ।