ଭୁବନେଶ୍ୱର: ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟ୍ବଲ୍ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାର ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟ ଚଳିତ ବର୍ଷର ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ (ଓସ୍ଜା)ର ବାର୍ଷିକ ପୁରସ୍କାର ବିଜେତା ହୋଇଛନ୍ତି। ଗତବର୍ଷ ଅନେକ ସଫଳତା ଅର୍ଜନ କରିଥିବା ପ୍ରତ୍ୟାଶା ରାୟଙ୍କୁ ୨୦୨୪ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଏବଂ ଭାରତୀୟ ମହିଳା ଫୁଟ୍ବଲ୍ ଦଳର ସଫଳତାରେ ବିଶେଷ ଯୋଗଦାନ ଦେଇଥିବା ସାହିଦ ଜବାରଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ପ୍ରଦାନ କରାଯିବ। ଉଭୟ ସାହିଦ ଜବାର ଓ ପ୍ରତ୍ୟାଶା ରାୟଙ୍କୁ ଓସ୍ଜା ବାର୍ଷିକ ପୁରସ୍କାର ଆକାରରେ ନଗଦ ୨୫ହଜାର ଟଙ୍କା, ପ୍ରଶସ୍ତିପତ୍ର, ଉତ୍ତରୀୟ ଏବଂ ବିଶେଷ ଟ୍ରଫି ପ୍ରଦାନ କରାଯିବ।
ପିତା ବିଶିଷ୍ଟ ଫୁଟ୍ବଲର୍ ଅବ୍ଦୁଲ ଜବାରଙ୍କ ପ୍ରେରଣାରେ ଅନୁପ୍ରାଣିତ ସାହିଦ ଜବାର ଓଡ଼ିଶା ଫୁଟ୍ବଲ୍ ଦଳ ପକ୍ଷରୁ ଅନେକ ବର୍ଷ ପ୍ରତିନିଧିତ୍ୱ କରିଥିଲେ। ସେ ଜାତୀୟ କନିଷ୍ଠ ଓ ବରିଷ୍ଠ ସନ୍ତୋଷ ଟ୍ରଫିରେ ଓଡ଼ିଶା ପକ୍ଷରୁ ଅନେକ ବର୍ଷ ଖେଳିବା ସହ ୧୫ବର୍ଷ ଓଡ଼ିଶା ପୁଲିସ ଦଳର ସଦସ୍ୟ ଭାବରେ ସର୍ବଭାରତୀୟ ପୁଲିସ ଫୁଟ୍ବଲ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଫୁଟ୍ବଲ୍ରୁ ଖେଳାଳି ଭାବେ ଅବସର ନେବା ପରେ ପ୍ରଶିକ୍ଷଣ ପ୍ରତି ଧ୍ୟାନ ଦେଇଥିବା ସାହିଦ ଜବାର ଭାରତୀୟ ମହିଳା ଫୁଟ୍ବଲ୍ ଦଳର ବହୁବର୍ଷ ରହିଥିଲେ ମୁଖ୍ୟ ପ୍ରଶିକ୍ଷକ। ତାଙ୍କ ଅଧୀନରେ ସାଫ୍ ଚମ୍ପିଆନ୍ସିପ୍ ଏବଂ ଅନେକ ବଡ଼ ବଡ଼ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ସହ ବିଜେତା ହୋଇଥିଲା ଭାରତୀୟ ମହିଳା ଦଳ। ଏଥିସହ ସେ ଓଡ଼ିଶାର ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳା ଦଳର ପ୍ରଶିକ୍ଷକ ଭାବେ ମଧ୍ୟ ଦାୟିତ୍ୱ ସଂପାଦନ କରିଛନ୍ତି। ଏସୀୟ ଫୁଟ୍ବଲ୍ ସଂଘର ପ୍ରଶିକ୍ଷକ ତାଲିମ ମଧ୍ୟ ପୂର୍ଣ୍ଣ କରିଥିବା ସାହିଦ ଜବାର ଏବେ ବି ପ୍ରଶିକ୍ଷକ ଏବଂ ଫୁଟ୍ବଲ୍ ପ୍ରଶାସକ ଭାବେ ଅଛନ୍ତି ସକ୍ରିୟ।
ଓଡ଼ିଶା ସନ୍ତରଣର ମାର୍ଗଦର୍ଶକ ଭାବେ ପରିଚିତ ପ୍ରତ୍ୟାଶା ରାୟ ୨୦୨୪ରେ ଏକାଧିକ ବିଶେଷ ସଫଳତା ହାସଲ କରିଛନ୍ତି। ସେ ଗତବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତି ବିରଳ ସଫଳତା ପାଇଥିଲେ। ଏଥିସହ ୨୦୨୪ରେ ସେ ଆନ୍ତର୍ଜାତିକସ୍ତରରେ ମଧ୍ୟ ଜିତିଥିଲେ ପଦକ। ୨୦୨୪ରେ ଦକ୍ଷିଣର ଆଫ୍ରିକାର ପ୍ରିଟୋରିଆରେ ଅନୁଷ୍ଠିତ ପ୍ରିମିୟର ପ୍ରାଦେଶିକ ସନ୍ତରଣ ପ୍ରତିଯୋଗିତାରେ ସେ ୩ଟି ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ପାଇଥିଲେ। ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳର ପ୍ରତିନିଧିତ୍ୱ କରି ଖେଲୋ ଇଣ୍ଡିଆ ଗେମ୍ସରେ ସେ ୪ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତିଥିଲେ। ୨୦୨୪ର ଏକଲବ୍ୟ ପୁରସ୍କାର ମଧ୍ୟ ମିଳିଥିଲା ପ୍ରତ୍ୟାଶା ରାୟଙ୍କୁ।
ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସହ ଅନୁବନ୍ଧିତ ‘ଓସ୍ଜା’ ବା ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ ୨୦୧୮ମସିହାରୁ ବାର୍ଷିକ ପୁରସ୍କାର ପ୍ରଦାନ କରି ଆସୁଛି। ପ୍ରଥମ ବର୍ଷର ବିଜେତା ଥିଲେ ଆଥଲେଟ୍ ପୂର୍ଣ୍ଣିମା ହେମ୍ବ୍ରମ ଓ ଫୁଟ୍ବଲର୍ ଦେବ ସିଂହ। ୨୦୧୯ରେ ହକି ତାରକା ଅମିତ ରୋହିଦାସ ଓ ଦ୍ରୋଣାଚାର୍ଯ୍ୟ ବିଜେତା ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି। ୨୦୨୦ରେ ପାରା-ଆଥଲେଟ୍ ପ୍ରମୋଦ ଭଗତ ଓ ବିଶିଷ୍ଟ ଆଥଲେଟିକ୍ସ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ୨୦୨୧ରେ ଚେସ୍ ଗ୍ରାଣ୍ଡ ମାଷ୍ଟର ସ୍ୱୟଂସ୍ ମିଶ୍ର ଓ ଆଥଲେଟିକ୍ସ ପ୍ରଶିକ୍ଷକ ଅରୁଣ ଦାସ, ୨୦୨୨ ମସିହାରେ ବିଶିଷ୍ଟ ବାସ୍କେଟ୍ବଲ୍ ଖେଳାଳି ଅରୂପାନନ୍ଦ ରାଉତରାୟ ଓ ହକି ଅଲିମ୍ପିଆନ୍ ବୀରେନ୍ଦ୍ର ଲାକ୍ରା, ୨୦୨୩ ମସିହାରେ ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ଓ ଓଡ଼ିଶାର ପ୍ରଥମ ଆନ୍ତର୍ଜାତିକ ପୁରୁଷ ହକି ଖେଳାଳି ପିଟର ତିର୍କି ଏବଂ ୨୦୨୪ରେ ଜାଭେଲିନ୍ ତାରକା କିଶୋର କୁମାର ଜେନା ଏବଂ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା ‘ଓସ୍ଜା’ ବାର୍ଷିକ ପୁରସ୍କାର। ଜାନୁଆରି ୧୯ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଓସ୍ଜା’ର ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ‘ଓସ୍ଜା’ର ସଭାପତି ସନ୍ଦୀପ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।