ଭାରତୀୟ ହକିର ପୁରୁଣାଗଡ଼ରୁ ପୁଣି ଭଲ ପ୍ରତିଭା ବାହାର କରିବା ଦିଗରେ ବିଶେଷ ଦୃଷ୍ଟି ରହିବ: ଦିଲୀପ ତିର୍କୀ

ହକି ଇଣ୍ଡିଆ ସଭାପତିଙ୍କୁ ସମ୍ବର୍ଦ୍ଧିତ କଲା ଓସଜା

ଭୁବନେଶ୍ୱର: ଭାରତର ସର୍ବାଧିକ ୪୧୨ ଆନ୍ତର୍ଜାତିକ ହକି ମ୍ୟାଚ୍‍ ଖେଳିବାର କୀର୍ତ୍ତିମାନ କରିଥିବା ପଦ୍ମଶ୍ରୀ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ହେବା ପରେ ରବିବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କ ବାସଭବନରେ ଓସ୍‌ଜାର ସଦସ୍ୟମାନେ ପହଞ୍ଚି ଉତ୍ତରୀୟ, ପୁଷ୍ପଗୁଚ୍ଛ ଏବଂ ଉପହାର ପ୍ରଦାନ କରିଛନ୍ତି। ଏହି ଅବସରରେ ଦିଲୀପ ତିର୍କୀ ରାଜ୍ୟ ଓ ଦେଶରେ ହକି ପ୍ରସାର ବାବଦରେ ଓସ୍‌ଜାର ସଦସ୍ୟମାନଙ୍କ ସହ କଥା ହୋଇଥିଲେ।

ଆସନ୍ତା ଜାନୁଆରି ମାସରେ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‍ର ଆୟୋଜନ ତାଙ୍କ ପାଇଁ ପ୍ରଥମ ବଡ଼ ଆହ୍ବାନ। ଭାରତୀୟ ହକିର ପୁରୁଣା ଗଡ଼ ଯେପରି ଭୋପାଳ, ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ଆଦିରୁ ପୁଣି ଭଲ ପ୍ରତିଭା ବାହାରନ୍ତି ସେଦିଗରେ ତାଙ୍କ ବିଶେଷ ଦୃଷ୍ଟି ରହିବ ବୋଲି ଦିଲୀପ କହିଥିଲେ। ରବିବାର ବହୁ ରାଜନେତା ଓ ଖେଳାଳି ଦିଲୀପଙ୍କ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ଭିତରେ ସାମିଲ ଥିଲେ ଭାରତୀୟ ହକି ଦଳର ଦୁଇ ସଦସ୍ୟ ଅମିତ ରୋହିଦାସ ଓ ଦିପସାନ ତିର୍କୀ। ଅଲିମ୍ପିଆନ୍‍ ଅନୁରାଧା ବିଶ୍ୱାଳ ତାଙ୍କ ଝିଅ ଜୁନିୟର ଆଥଲେଟ୍‌ ଆଶିଂକାଙ୍କ ସହ ମଧ୍ୟ ଦିଲୀପଙ୍କ ଘରେ ପହଞ୍ଚି ଜଣାଇଥିଲେ ଅଭିନନ୍ଦନ। ଶ୍ରୀ ତିର୍କୀଙ୍କୁ ଓସ୍‌ଜାର ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବିଙ୍କ ସହ ସୁରେଶ ସ୍ୱାଇଁ, ଦେବାଶିଷ ସୁନ୍ଦରାୟ, ସମ୍ବିତ ମହାପାତ୍ର, ତପନ ସ୍ୱାଇଁ, ତନ୍ମୟ ଦାସ, ବେଣୁଧର ଦାସ, ରଞ୍ଜନ ରାୟ, ଚକ୍ରଧର ମାଝି, କୁମାର ବିମଲ ଏବଂ ମହେନ୍ଦ୍ର ସାହୁ ଭେଟିଥିଲେ ।

ସମ୍ବନ୍ଧିତ ଖବର