ଭୁବନେଶ୍ବର: ବିଗତ ୨ ଋତୁର ସଫଳ ଯାତ୍ରା ପରେ ଓଡ଼ିଶା ଟେନିସ୍ ପ୍ରିମିୟର୍ ଲିଗ୍ (ଓଟିପିଏଲ୍)ର ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀର ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଟେନିସ୍ ରେଜିଷ୍ଟ୍ରି, ୟୁଏସଏ, ଆଇଟା ଏବଂ ଓଟିଏ ମଧ୍ୟ ସହାୟତା କରୁଛନ୍ତି। ଚଳିତ ବର୍ଷ କିନ୍ତୁ ଏହି ପ୍ରତିଯୋଗିତା କିଟ୍ ବିଶ୍ବବିଦ୍ୟାଳୟ ଇନ୍ଡୋର୍ ଷ୍ଟାଡିୟମ୍ରେ ଡିସେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶନିବାର ଏହି ୮ ଦଳୀୟ ଲିଗ୍ର ଟ୍ରଫି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୋଟ ୮ ଦଳରେ ୩୨ ଖେଳାଳି ୨ଟି ପୁରୁଷ ଏକକ, ଗୋଟିଏ ପୁରୁଷ ଯୁଗଳ, ମହିଳା ଏକକ, ମିଶ୍ରିତ ଯୁଗଳ ମ୍ୟାଚ୍ ଖେଳିବେ। ୮ଟି ଦଳ ହେଲେ-ଭଦ୍ରକ ଭିକ୍ଟର୍ସ, ଭୁବନେଶ୍ବର ୱାରିୟର୍ସ, କ୍ୟାପିଟାଲ୍ କିଙ୍ଗ୍ସ, କଟକ କଙ୍କର୍ସ, କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ, କେଜିଆର୍ ଯାଜପୁର ସୁଟର୍ସ, କିଟ୍ କିଲର୍ ବିଜ୍, ପାରୁଲ ପାନାସୋନିକ୍ ପୁରୀ ୱେଭର୍ସ। ବିଜେତା ଦଳକୁ ୨ ଲକ୍ଷ ଏବଂ ଉପ ବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବ। ଓଡ଼ିଶାର ଏହି ପ୍ରମୁଖ ପେସାଦାର ପ୍ରତିଯୋଗିତାରେ ଏଥର ବହୁ ଏଟିପି, ଆଇଟିଏଫ୍, ଆଇଟା ମାନ୍ୟତାପ୍ରାପ୍ତ ଖେଳାଳି ଭାଗନେବେ। ସଦ୍ୟ ଜାତୀୟ ଟ୍ରଫି ଜିତିଥିବା ନିକି ପୁନାଚା ଏବଂ ସ୍ବଜନ୍ୟା ଭାବିସେଟ୍ଟୀ ମଧ୍ୟ ଭାଗ ନେବେ। ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତର ଶୀର୍ଷ ୨୬ ଜଣଙ୍କ ମଧ୍ୟରୁ ୭ ଜଣ ଏବଂ ମହିଳାରେ ଶୀର୍ଷ ୮୦ ଜଣଙ୍କ ମଧ୍ୟରୁ ୧୦ ଜଣ ଭାଗନେବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ୩ ଓଡ଼ିଆ ପ୍ରତିଭା ଅଂଶୁ କୁମାର ଭୂୟାଁ, ଅନମ ଅଲମାସ ଏବଂ ଋତୁପର୍ଣ୍ଣା ଚୌଧୁରୀ ସାମିଲ ରହିଛନ୍ତି।
ସବୁଠାରୁ ବଡ଼ କଥା ହେଲା ପୂର୍ବତନ ୱିମ୍ବଲଡନ୍ କନିଷ୍ଠ ଟ୍ରଫି ବିଜେତା ତଥା ଗ୍ରାଣ୍ଡସ୍ଲାମ୍ ଖେଳାଳି ସୁମିତ ନାଗଲ ଏବଂ ଓଲିଉଡ୍ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଓପିଟିଏଲ୍ ଏଥର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଗ୍ରହଣ କରିଛି। ‘ଓଡ଼ିଶା ଟେନିସ୍ ପାଇଁ କିଛି କରିବାର ଅଭିଳାଷ ନେଇ ୨ ବର୍ଷ ତଳେ ଏହି ଲିଗ୍ ଆରମ୍ଭ କରାଯାଇଥିଲା। ଜାତୀୟ ସ୍ତରରେ ଅନ୍ୟ ଦୁଇଟି ରାଜ୍ୟରେ ଏହାକୁ ଅନୁସରଣ କରି ଲିଗ୍ ଆରମ୍ଭ ହେବା ଆମ ପାଇଁ ବଡ଼ ଉପଲବ୍ଧି’ ବୋଲି ପ୍ରକାଶ କରିଛନ୍ତି ଆୟୋଜକ ନୀଳାଚଳ ସ୍ପୋର୍ଟସ ଫାଉଣ୍ଡେସନ୍ର ପରିଚାଳନା ଟ୍ରଷ୍ଟି ଦିଲୀପ ମହାନ୍ତି। ଖେଳାଳି ଏବଂ ପ୍ରଶିକ୍ଷକ ଭାବେ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ରଖିଥିବା ଦିଲୀପ ମହାନ୍ତି ଓଡ଼ିଶା ଟେନିସ୍କୁ ନୂଆ ସ୍ତରକୁ ନେବାକୁ ନିଜ ନିରଂତର ଯାତ୍ରା ଜାରି ରଖିଛନ୍ତି। ଟେନିସ୍କୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବା ଲାଗି ଏହି ଲିଗ୍ ସହିତ ମୁଁ ଯୋଡ଼ି ହୋଇଛି ବୋଲି କହିଥିଲେ ବ୍ରାଣ୍ଡ ଆମ୍ବାସାଡର୍ ସବ୍ୟସାଚୀ ମିଶ୍ର। ଶନିବାରର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସିନେମା ନିର୍ମାତା ଅକ୍ଷୟ ପରିଜାଙ୍କ ସହିତ ବିଭିନ୍ନ ଦଳର ମାଲିକ ପ୍ରବୀଣ କୁମାର ମହାନ୍ତି, ଆଲେକଜାଣ୍ଡର୍ ଦାସ, ପ୍ରଦୀପ ଖଣ୍ଡେଲୱାଲ, ବଳଦେବ ଦାସ, ସୁମନ୍ତ ବିଶ୍ବାଳ, ସନ୍ତୋଷ ରାଉତ, ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।