ଓଟିପିିଏଲ୍‌: କେନ୍ଦ୍ରାପଡ଼ାକୁ ପ୍ରଥମ ମୁକୁଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ସଂସ୍କରଣ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍‌ (ଓଟିପିଏଲ୍‌) ଗୁରୁବାର ଶେଷ ହୋଇଛି। ଫାଇନାଲ୍‌ରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ଦଳ ୩-୧ରେ ସମ୍ବଲପୁର ସୁଟର୍ସକୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛି। ବ୍ୟକ୍ତିଗତ ମୁକାବିଲାରେ ସିଦ୍ଧାନ୍ତ ଶେଖର ମହାନ୍ତି ୬-୦, ୬-୩ରେ ବିଶ୍ୱଜିତ୍‌ ଦାସଙ୍କୁ, ଋତୁପର୍ଣ୍ଣା ଚୌଧୁରୀ ୭-୬ (୫), ୬-୩ରେ ଅମିକ୍‌ କିରଣ ଭଟ୍ଟଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ାକୁ ଆଗୁଆ କରାଇଥିଲେ। ସମ୍ବଲପୁର ପାଇଁ ଲଲାଟେନ୍ଦୁ ବର୍ମା ଓ ସତୀର୍ଥ ପଟ୍ଟନାୟକ ଯୁଗଳ ଯୋଡ଼ି ୬-୧, ୬-୩ରେ ଚନ୍ଦ୍ର ଶେଖର ମହାନ୍ତି ଓ ରାହୁଲ କୁମାର ମହାନ୍ତିଙ୍କୁ ହରାଇ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ନିର୍ଣ୍ଣାୟକ ମିଶ୍ରିତ ଯୁଗଳ ମୁକାବିଲାରେ ଋତୁପର୍ଣ୍ଣା ଚୌଧୁରୀ ଓ ଚନ୍ଦ୍ରଶେଖର ମହାନ୍ତିଙ୍କ ଯୋଡ଼ି ୬-୧, ୬-୩ରେ ଅମିକ୍‌ କିରଣ ବଟ୍ଟ ଓ ସତୀର୍ଥ ପଟ୍ଟନାୟକଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ାକୁ ଟ୍ରଫି ବିଜେତା କରାଇଥିଲେ। ବିଜେତା ଦଳକୁ ୧,୦୦,୦୦୦ ଟଙ୍କା ଓ ଉପ ବିଜେତା ସମ୍ବଲପୁରକୁ ୫୦,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଭାରତ ରକ୍ଷା ମଞ୍ଚର ଜାତୀୟ ଆବାହକ ମୁରଲୀ ଶର୍ମା, ଅବସରପ୍ରାପ୍ତ ଆଇଏଏସ୍‌ ପ୍ରମୋଦ କୁମାର ମହାନ୍ତି, ଶିଳ୍ପପତି ତ୍ରୈଲୋକ୍ୟନାଥ ମିଶ୍ର, ଆୟୋଜକ ଦିଲୀପ କୁମାର ମହାନ୍ତି ଏବଂ ରେଫରି ପ୍ରବୀଣ କୁମାର ନାୟକ ଉପସ୍ଥିତ ଥିଲେ। ପୂର୍ବଦିନ ବିବାଦୀୟ ଭାବେ ଶେଷ ହୋଇଥିବା ସେମିଫାଇନାଲ୍‌ରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡର୍ସ ୩-୨ରେ ଅନୁଗୁଳ ଏସର୍ସକୁ ଏବଂ ସମ୍ବଲପୁର ସୁଟର୍ସ ୩-୧ରେ ଖୋର୍ଧା ଓ୍ଵାରିୟର୍ସକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର