ଭୁବନେଶ୍ୱର: ଓଡ଼ିଶାର ସମସ୍ତ ୩୧୪ଟି ବ୍ଲକ୍ରେ ଷ୍ଟାଡିୟମ୍ ନିର୍ମାଣ କରାଯିବା। ଏଥିଲାଗି ୪୧୨୪ କୋଟି ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି। ଷ୍ଟାଡିୟମ୍ଗୁଡ଼ିକ ୮ ରୁ ୧୦ ଏକର ଜମିରେ ନିର୍ମାଣ କରାଯିବ। ଏହାଦ୍ବାରା ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହ ରାଜ୍ୟର କ୍ରୀଡ଼ା ପ୍ରତିଭାଙ୍କର ସମଗ୍ର ବିକାଶରେ ଏହା ନିଶ୍ଚିତ ଭାବେ ସହାୟକ ହେବ। ଏହି ଷ୍ଟାଡିୟମ୍ଗୁଡ଼ିକର ନିର୍ମାଣ ଦ୍ବାରା ବିଶ୍ବସ୍ତରୀୟ ଭିତ୍ତିଭୂମି ବ୍ଲକ୍ ସ୍ତରରେ ପହଞ୍ଚି ପାରିବ ଏବଂ ପ୍ରତିଟି ଗାଁରେ କ୍ରୀଡ଼ା ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ସୋମବାର କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୂରଜ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପ୍ରସ୍ତାବିତ ହୋଇଥିବା ମାଷ୍ଟର ପ୍ଲାନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଷ୍ଟାଡ଼ିୟମର ମାଷ୍ଟର୍ ପ୍ଲାନ୍ ଏବଂ ରୂପରେଖକୁ ଏକ ପ୍ରେସେଣ୍ଟେସନ୍ ଓ ପ୍ରତିକାତ୍ମକ ଭିଡ଼ିଓ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସୂରଜ ଉପସ୍ଥାପିତ କରିଥିଲେ। ତଦନୁଯାୟୀ ବ୍ଲକ୍ସ୍ତରୀୟ ଷ୍ଟାଡିୟମ୍ଗୁଡ଼ିକରେ ବିଭିନ୍ନ କ୍ରୀଡ଼ା ନିମନ୍ତେ ବ୍ୟବସ୍ଥା ଉପଲବ୍ଧ ହେବ। କ୍ରୀଡ଼ା ପ୍ରତିଭାମାନଙ୍କ ପାଇଁ ଏହା କ୍ରୀଡ଼ା ନର୍ସରୀ ଭାବେ କାର୍ଯ୍ୟ କରିବ।
ଏଥିରେ ଫୁଟ୍ବଲ୍/କ୍ରିକେଟ୍ ପଡିଆ, ଆଥଲେଟିକ୍ସ ଟ୍ରାକ୍, ଥ୍ରୋ ଏରିଆ, ଜମ୍ପ୍ ଏରିଆ, ଭଲିବଲ୍ କୋର୍ଟ ଆଦିର ନିର୍ମାଣ କରାଯିବ। ତା’ ସହିତ ଦେଶୀୟ ବା ଆଞ୍ଚଳିକ କ୍ରୀଡ଼ା ଯଥା ଖୋଖୋ, କବାଡ଼ି ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଷ୍ଟାଡିୟମ୍ର ଇନ୍ଡୋର୍ ହଲ୍ରେ ବ୍ୟାଡ୍ମିଣ୍ଟନ୍ କୋର୍ଟ, ଟେବୁ୍ଲ ଟେନିସ୍, ଜିମ୍ନାଷ୍ଟିକ୍ସ, ଭାରୋତ୍ତୋଳନ ଆଦି ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିବ। ଏଥିସହ ପ୍ରତିଟି ଷ୍ଟାଡିୟମ୍ରେ ସାଧାରଣ ସୁବିଧା କେନ୍ଦ୍ର ରହିବା ସହ ଷ୍ଟାଡିୟମ୍ର ବାହ୍ୟ ବିକାଶ, ବିଭିନ୍ନ ବ୍ୟବସ୍ଥା ଯଥା ଜଳ ଯୋଗାଣ, ନିଷ୍କାସନ ବା ସ୍ବେରେଜ, ଆଲୋକୀକରଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇ ତୃଣମୂଳ ସ୍ତରରୁ କ୍ରୀଡ଼ା ପ୍ରତିଭାର ମଧ୍ୟ ଚୟନ କରାଯିବ।