ବାୟୋପିକ୍ ପାଇଁ ସୌରଭଙ୍କୁ ଭେଟି ଆଲୋଚନା କଲେ ଚଳଚ୍ଚିତ୍ର ନିର୍ମାତା, ପରଦାରେ କିଏ ବନିବେ ଦାଦା ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପାଇଁ ସମସ୍ତ କ୍ରିକେଟ ପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସେ ଭାରତୀୟ କ୍ରିକେଟ ଇତିହାସର ସଫଳ ଅଧିନାୟକ ଭାବେ ମଧ୍ୟ ସୁପରିଚିତ।

ସୌରଭ ଗାଙ୍ଗୁଲିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି। ଚଳିତବର୍ଷ ଶେଷରେ ‘ଦାଦା’ ଭାବେ ବେଶ୍ ଜଣାଶୁଣା ସୌରଭଙ୍କ ବାୟୋପିକ ବନିବାକୁ ଯାଉଥିବାର ଆଶା ରଖାଯାଇଛି। ଏହି ବାୟୋପିକକୁ ନେଇ ଦୁଇ ଚଳଚ୍ଚିତ୍ର ନିର୍ମାତା ଲଭ୍ ରଞ୍ଜନ୍ ଓ ଅଙ୍କୁର ଗର୍ଗ  ପୂର୍ବତନ ଭାରତୀୟ ଅଧିନାୟକଙ୍କୁ କୋଲକାତାସ୍ଥିତତାଙ୍କ ବାସଭବନରେ ଭେଟିଛନ୍ତି।

ସୂତ୍ରରୁ ପ୍ରକାଶ ଯେ,ସୌରଭଙ୍କୁ ଦୁଇ ନିର୍ଦ୍ଦେଶକ ଏବଂ ନିର୍ମାତା ଅଙ୍କୁର ଗର୍ଗ ଏବଂ ଲଭ ରଞ୍ଜନ ଗତଶୁକ୍ରବାର ଦିନ ତାଙ୍କ ବେହାଲା ଘରେ ଭେଟିଛନ୍ତି। ଏହି ଅବସରରେ ଦୁହେଁ ଫିଲ୍ମକୁ ନେଇ ବିସ୍ତୃତ ଆଲୋଚନା କରିଥିବା  ଶୁଣିବାକୁ ମିଳୁଛି । ଦୁଇ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲିଙ୍କ ଜୀବନର ବିଭିନ୍ନ ଘଟଣାକୁ ଟିକିନିଖି କରି ରେକର୍ଡ କରିଛନ୍ତି।

‌ସୌରଭଙ୍କ ବାୟୋପିକର ସ୍କ୍ରିପ୍ଟ ଲେଖା ସମାପ୍ତ ହୋଇସାରିଛି । ଏହି ସ୍କ୍ରିପ୍ଟ‌ରେ ଅନେକ ଅଜ୍ଞାତ କାହାଣୀ ସହିତ ଅନେକ ମଜାଦାର ଘଟଣା ବି ରହିଛି, ଯାହା ଦର୍ଶକଙ୍କୁ ବେଶ ଖୋରାକ ଯୋଗାଇବ ବୋଲି ଆଶା ରଖାଯାଇଛି।

ତେବେ ନିର୍ଦ୍ଦେଶକ କେବଳ ବିସିସିଆଇ ସଭାପତି ଭାବେ ଚରିତ୍ରକୁ ଚିତ୍ରଣ କରି ନାହାନ୍ତି। ସୌରଭଙ୍କ ଜୀବନକୁ ନେଇ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ମନୋରଞ୍ଜନର ମସଲାକୁ ମଧ୍ୟ ଖଞ୍ଜିବାକୁ ଚେଷ୍ଟା କରାଯାଉଛି।

ସୌରଭଙ୍କ ଧର୍ମପତ୍ନୀଙ୍କ ସମେତ ତାଙ୍କର ଘନିଷ୍ଠ ସହଯୋଗୀମାନଙ୍କ ଠାରୁ ବି ମଧ୍ୟ ଅନେକ କିଛି ରେକର୍ଡ କରାଯାଇଛି। ତେବେ ସୌରଭଙ୍କ ଚରିତ୍ରରେ କିଏ ମୁଖ୍ୟ ଅଭିନେତା ଭାବେ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ, କିନ୍ତୁ ଅନେକ ତାଲିକାରେ ଅଛନ୍ତି ବୋଲି ଜଣାପଡ଼ିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଓ ହ୍ରିତିକ ରୋଶନଙ୍କ ନାମ ବି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର