ଦୁଷ୍କର୍ମ ଅଭିଯୋଗ ପରେ ସୌମ୍ୟଜିତ ନିଲମ୍ବିତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ

କୋଲକାତା: ଗୁରୁବାର ଅର୍ଜୁନ ପୁରସ୍କାର ବିଜେତା ଟେବୁଲ ଟେନିସ୍‌ ଖେଳାଳି ସୌମ୍ୟଜିତ ଘୋଷଙ୍କ ବିରୋଧରେ ଜଣେ ୧୮ ବର୍ଷୀୟା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଭିତ୍ତିିରେ ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ (ଟିଟିଏଫ୍‌ଆଇ) ଶୁକ୍ରବାର ସୌମଜିତଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରୁ ବାଦ୍‌ ଦେବା ସହ ସାମୟିକ ଭାବେ ନିଲମ୍ବିତ କରିଛି। ଶୁକ୍ରବାର ମହାସଂଘର କାର୍ଯ୍ୟକାରୀ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏହି ନିଲମ୍ବନ ସମୟ ମଧ୍ୟରେ ସେ କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପାରିବେ ନାହିଁ ବୋଲି ଟିଟିଏଫ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସୌମଜିତଙ୍କୁ ନିଜ ପକ୍ଷ ରଖିବାକୁ ମଧ୍ୟ ନୋଟିସ ଦିଆଯିବ ବୋଲି ବୋର୍ଡ କହିଛି। ସୂଚନାଯୋଗ୍ୟ ଯେ ଗୁରୁବାର ସଂପୃକ୍ତ ମହିଳା ସୌମ୍ୟଜିତଙ୍କ ବିରୋଧରେ ଦୁଷ୍କର୍ମ, ଅପରାଧିକ ଷଡ଼ଯନ୍ତ୍ର, ଜୋର ଜବରଦସ୍ତ ଗର୍ଭପାତ କରାଇବା ଏବଂ ଠକାମିରେ ସଂପୃକ୍ତ ଥିବା ନେଇ କୋଲକାତାର ବାରାସାତ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ଫଳରେ ବାରାସାତ ପୁଲିସ ତାଙ୍କ ବିରୋଧରେ ଆଇପିସି ଧାରା ୩୭୬, ୪୧୭, ୫୧୩, ୧୨୦(ବି) ଏବଂ ପୋକ୍‌ସୋ ଆଇନ୍‌ର ଧାରା ୪ରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର