ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଆଥ୍‌ଲେଟ୍‌ଙ୍କ ପ୍ରଶିକ୍ଷଣକୁ ପର୍ଯ୍ୟାୟକ୍ରମେ ପୁନଃଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରାଳୟ ଯୋ‌ଜନା ପ୍ରସ୍ତୁତ କରିଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ( ସାଇ)ର ଉଭୟ ପାତିଆଲା ଓ ବେଙ୍ଗାଲୁରୁ କେନ୍ଦ୍ରରେ ଚଳିତ ମାସ ଶେଷ ଆଡ଼କୁ ଏଲିଟ୍‌ ଆଥ୍‌ଲେଟଙ୍କ ପ୍ରଶିକ୍ଷଣ ଚାଲୁ କରିବା ପାଇଁ ନଜର ରଖିଛି କ୍ରୀଡ଼ା ମନ୍ତ୍ରାଳୟ। ଚଳିତ ମେ' ଶେଷ ସୁଦ୍ଧା ଆଉଟ୍‌ଡୋର୍‌ ପ୍ରଶିକ୍ଷଣ ପାଇଁ ଉଭୟ କେନ୍ଦ୍ରକୁ ସବୁଜ ସଂକେତ ମିଳିଯିବାର ସମ୍ଭା‌ବନା ରହିଛି ‌ବୋଲି ରବିବାର କହିଛନ୍ତି ନିଜେ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। ଦଫା ଦଫା କରି ପ୍ରଶିକ୍ଷଣ ଆରମ୍ଭ କରିବା ନିମନ୍ତେ ମାନଦଣ୍ଡ ତିଆରି ଉପରେ ମନ୍ତ୍ରାଳୟ ମଧ୍ୟ ପ୍ରସ୍ତୁତି ଚଳାଇଛି। ତେବେ ଅନ୍ୟ ଆଥ୍‌ଲେଟ୍‌ଙ୍କ ପାଇଁ ବରିଷ୍ଠ ଜାତୀୟ ଶିବିର ଅଗଷ୍ଟ କିମ୍ବା ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହେବାର ଆଶା କମ୍‌ ବୋଲି ରିଜିଜୁ କହିଛନ୍ତି। ଏପରିକି କୌଣସି ବି କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ନିକଟ ଭବିଷ୍ୟତରେ ହେବାର ସମ୍ଭାବନା ନାହିଁ ବୋଲି ସେ ଆଭାସ ଦେଇଛନ୍ତି।

Advertisment

ଆମେ ଏକ ଆଲୋଚନା କରିବା ପରେ ପ୍ରାଥମିକସ୍ତରରେ ମେ' ୩ ତାରିଖରୁ ଏନ୍‌ଆଇଏସ୍‌ ପାତିଆଲା ଓ ବେଙ୍ଗାଲୁରୁ ସାଇ ସେଣ୍ଟରରେ ଅଭ୍ୟାସ ପାଇଁ ଅନୁମତି ଆରମ୍ଭ କରିବୁ ବୋଲି ମୁଁ ଚିନ୍ତା କରିଛି। କାରଣ ଉଭୟ ସେଣ୍ଟରରେ ଏବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ଅନ୍ୟାନ୍ୟ ଆଥ୍‌ଲେଟ୍‌ ରହୁଛନ୍ତି। ଏହି ଦୁଇଟି ବ୍ୟତୀତ ସାରା ଦେଶରେ ଆମ ପାଖରେ ଆଉ କେ‌ତୋଟି ଗୁରୁତ୍ବପୂର୍ଣ୍ଣ ସେଣ୍ଟର ରହିଛି। ତେଣୁ ଆମେ ପର୍ଯ୍ୟାୟକ୍ରମେ ଆଥ୍‌ଲେଟ୍‌ଙ୍କ ପାଇଁ ପ୍ରଶିକ୍ଷଣ ପୁନଃଆରମ୍ଭ କରିବାର ମନସ୍ଥ କରିଛୁ ବୋଲି ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଓ ଇଣ୍ଡଷ୍ଟ୍ରି ଫେଡେରେସନ୍‌ (ଫିକି) ଦ୍ବାରା 'କରୋନା ଓ କ୍ରୀଡ଼ା' ଉପରେ ଆୟୋଜିତ ଏକ ୱେବିନାର୍‌କୁ ସମ୍ବୋଧନ କରିବା ଅବସରରେ ରିଜିଜୁ ଏହା କହିଛନ୍ତି। ବିଶେଷକରି ଅଲିମ୍ପିକ୍‌କୁ ଦୃଷ୍ଟିରେ ରଖି ଆମେ କିଛିଟା କୋହଳ କରିବା କଥା ଭାବୁଛୁ। ହେଲେ ଲକ୍‌ଡାଉନ୍‌ ସ୍ଥିତି କେତେଦୂର ଆମକୁ ସୁଯୋଗ ଦେଇପାରିବ ତାହା ଜାଣିନୁ। ଏପର୍ଯ୍ୟନ୍ତ ଆମକୁ ଅନୁମତି ମିଳୁନି। କାରଣ ସରକାରଙ୍କ ଦ୍ବାରା ପ୍ରକାଶିତ ଅତ୍ୟାବଶ୍ୟକ ତାଲିକାରେ କ୍ରୀଡ଼ା ଶୃଙ୍ଖଳକୁ ସାମିଲ କରାଯାଇନାହିଁ। ସାଂପ୍ରତିକ ସମୟରେ କ୍ରୀଡ଼ାର ଗୁରୁତ୍ବକୁ ଅଗ୍ରାଧିକାର ଦିଆଯାଉନଥିବାରୁ କୋହଳ ପାଇବା ଆମ ପାଇଁ ସମ୍ଭବ ହେବନି ବୋଲି ରିଜିଜୁ କହିଛନ୍ତି। ତଥାପି ପରବର୍ତୀ ଦୁଇ ସପ୍ତାହ ସମୟରେ ଆମେ ପୂରା ପ୍ରସ୍ତୁତ ହୋଇଯାଇପାରିବା ‌ବୋଲି ମୁଁ ଭାବୁଛି। ମହିଳା ହକି ଦଳର ଅଧିନାୟିକା ରାଣୀ ରାମ୍‌ପଲ୍‌ ଓ ଅନ୍ୟ ଖେଳାଳିମାନେ ମନ୍ତ୍ରାଳୟ ପକ୍ଷରୁ ନିଶ୍ଚିତ କିଛି କୋଳହ ପାଇବେ ବୋଲି ମୁଁ ନିଶ୍ଚିତ ଅଛି। ଆଉ କୋହଳ ମିଳିଗଲେ ଆମେ ସେମାନଙ୍କୁ ଚଳିତ ମାସ ଶେ‌ଷ ଆଡକୁ ଅଭ୍ୟାସ କରିବାକୁ ଅନୁମତି ଦେଇଦେବୁ ବୋଲି ରିଜିଜୁ କହିଛନ୍ତି। ଏକ ଲାଇଭ୍‌ ଭିଡିଓ ସମ୍ମିଳନୀରେ ରିଜିଜୁ ଓ ରାଣୀ ରାମ୍‌ପଲ୍‌ଙ୍କ ବ୍ୟତୀତ ମୁଖ୍ୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ଥିଲେ। ତେବେ କୌଣସି ପ୍ରତିଯୋଗିତାରେ ଭାଗ ନେବାର ନିଷ୍ପତ୍ତି ନେବା ପୂର୍ବରୁ ଆଥ୍‌ଲେଟ୍‌ମାନଙ୍କୁ ଆହୁରି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଏବେ କୌଣସି ପ୍ରତିଯୋଗିତା କଥା ଭାବନାହିଁ, କାରଣ ଏହା ନିକଟ ଭବିଷ୍ୟତରେ ସମ୍ଭବ ନୁହେଁ। ବରଂ ଏବର ସମୟରେ ସ୍ବାସ୍ଥ୍ୟ ହିଁ ଜାତୀୟ ଅଗ୍ରାଧିକାର ବୋଲି ବୁଝିବାକୁ ପଡ଼ିବ ଏବଂ ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରତି କୌଣସି ସାଲିସ କରାଯାଇପାରିବ ନାହିଁ। ଫଳରେ ଏସବୁକୁ ଦୃଷ୍ଟି‌ରେ ରଖି ଆମେ ଗୋଟିଏ ପରେ ଗୋଟିଏକୁ କୋହଳ କରିବା ଆରମ୍ଭ କରିବାର ମାନସିକତା ରଖିଛୁ ବୋଲି ରିଜିଜୁ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଜାଭ୍‌ଲିନ୍‌ ଫିଙ୍ଗାଳି ନିରୋଜ ଚୋପ୍ରା ଓ ଜାତୀୟ ୪ ଗୁଣା ୪୦୦ ରିଲେ ଦଳର ସଦସ୍ୟମାନେ ପାତିଆଲା ତିନିପର୍ଯ୍ୟାୟ ଲକ୍‌ଡାଉନ୍‌ର ଆରମ୍ଭରୁ ଅର୍ଥାତ୍‌ ମାର୍ଚ୍ଚ ୨୪ ତାରିଖରୁ ରହିଥିଲା ବେଳେ ଜାତୀୟ ପୁରୁଷ ଓ ମହିଳା ହକି ଦଳ, ଟ୍ରାକ୍‌ ଆଣ୍ଡ ଫିଲ୍‌ଡ ଆଥ୍‌ଲେଟ୍‌ (ଏସୀୟ କ୍ରୀଡ଼ା ୧୫୦୦ ମିଟର ବିଜେତା ଜିନ୍‌ସନ୍‌ ଜନ୍‌ସନ୍‌ ଓ ଜାତୀୟ ଚାଲି ରେସର୍‌ କେଟି ଇର୍ଫାନ୍‌) ବେଙ୍ଗାଲୁରୁରେ ଅବସ୍ଥାନ କରୁଛନ୍ତି।