ଲଣ୍ଡନ୍‌: ମାତ୍ର ଗୋଟିଏ ଦିନ ପରେ ଓଭାଲ୍‌ରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍ ଖେଳାଯିବାକୁ ରହିଛି। ଏହା ପୂର୍ବରୁ କିନ୍ତୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମଙ୍ଗଳବାର କିଆ ଓଭାଲରେ ଭାରତୀୟ ଦଳ ଇଛାଧୀନ ଅଭ୍ୟାସ କରିବା ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଗ୍ରାଉଣ୍ଡ୍‌ର ମୁଖ୍ୟ କ୍ୟୁରେଟର୍‌ ଲି ଫର୍ଟିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ବାକ୍ୟ ବିନିମୟ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ଗମ୍ଭୀର ତାଙ୍କୁ କହିଥିଲେ ‘ଆମକୁ କ’ଣ କରିବାକୁ ହେବ ତୁମକୁ କହିବାର ଆବଶ୍ୟକତା ନାହିଁ’। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଫର୍ଟିସଙ୍କୁ ଉତ୍ତେଜିତ ଗମ୍ଭୀର ଅଙ୍ଗୁଳି ନିର୍ଦ୍ଦେଶ କରି କହୁଥିବାର ଫଟୋ ବି ବୁଲୁଛି। ଫର୍ଟିସ କହିଥିଲେ ‘ମୁଁ ଏହାକୁ ରିପୋର୍ଟ କରିବି’। ଗମ୍ଭୀର ବି ଛାଡ଼ି ନଥିଲେ ‘ତୁମେ ଯାଅ ଯାହାକୁ ରିପୋର୍ଟ କରିବ କର’। ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ହସ୍ତକ୍ଷେପ କରିବା ପରେ ଏହା କିଛି ମାତ୍ରାରେ ଶାନ୍ତ ପଡ଼ିଥିଲା। ଆମେ କିଛି କ୍ଷତି କରିନାହୁଁ ବୋଲି କୋଟାକ ସଫେଇ ଦେଇଥିଲେ। 

Advertisment

ଭାରତୀୟ ଦଳ ପାଇଁ ଦିଆଯାଇଥିବା ଅଭ୍ୟାସ ପିଚ୍‌କୁ ନେଇ ଉଭୟଙ୍କ ମଧ୍ୟରେ ଏହି ବାକ୍ୟବିନିମୟ ଘଟିଥିବା ବିଶ୍ବାସ କରାଯାଉଛି। ଘଟଣା ସମୟରେ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମର୍କେଲ ଓ ସହକାରୀ ରୢାନ୍ ଟେନ୍‌ ‌ଡଶ୍ଚେଟ୍‌ ବି ସବୁକିଛି ଶୁଣୁଥିଲେ। ଗମ୍ଭୀର କେଉଁଠି ଫର୍ଟିସଙ୍କୁ କହିଥିଲେ ‘ତୁମେ ଆଉ ଜଣେ ଗ୍ରାଉଣ୍ଡ୍‌ସମ୍ୟାନ୍‌, ଏହାଠାରୁ ଅଧିକ କିଛି ନୁହଁ’। ଏହା ପରେ ଉଭୟ ଭିନ୍ନ ଦିଶାରେ ଚାଲିଯାଇଥିଲେ। ଗମ୍ଭୀର ଭାରତୀୟ ଦଳ ଅଭ୍ୟାସ ଶିବିର ଉପରେ ନଜର ରଖିଥିଲେ। ଯିବା ବାଟରେ କିନ୍ତୁ ଫର୍ଟିସ କହିଥିଲେ ‘ଏହା ଏକ ବଡ଼ ମ୍ୟାଚ୍‌ ହୋଇଥିବାରୁ ଗମ୍ଭୀର ଟିକେ ଉତ୍ତେଜିତ ହୋଇପଡ଼ୁଛନ୍ତି’। ଅଭ୍ୟାସ ଶିବିରରେ ସାଇ ସୁଦର୍ଶନ ପ୍ରଥମେ ବ୍ୟାଟିଂ କରିଥିଲେ। କୁଲଦୀପ ୟାଦବ ଓ ଅର୍ଶଦୀପ ସିଂହ ମଧ୍ୟ ବୋଲିଂ ପ୍ରଶିକ୍ଷକ ମର୍ନି ‌ମର୍କେଲଙ୍କ ତୀକ୍ଷ୍‌ଣ ନଜରରେ ବଲ୍ ପକାଉଥିଲେ।

ଉତ୍ତେଜନାର କାରଣ କ’ଣ
କେଉଁ କାରଣରୁ ଗମ୍ଭୀର ଓ ଫର୍ଟିସଙ୍କ ମଧ୍ୟରେ ଉତ୍ତେଜକ ପରିସ୍ଥିତି ଉପୁଜିଲା ବୋଲି ପରେ ଭାରତୀୟ ଦଳ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ସ୍ପଷ୍ଟ କରିଛନ୍ତି। ଗମ୍ଭୀରଙ୍କ ସହ ତାଙ୍କ ସହକାରୀମାନେ ଓଭାଲ୍ ପିଚ୍‌ ନିରୀକ୍ଷଣ ପାଇଁ ଯିବା ବେଳେ କେଉଁଠି ଜଣେ ଗ୍ରାଉଣ୍ଡ୍‌ସମ୍ୟାନ୍‌ କହିଥିଲେ ‘ୱିକେଟ୍‌ଠାରୁ ଅଢ଼େଇ ମିଟର୍ ଦୂରରେ ରୁହନ୍ତୁ। ରଶି ବାହାରେ ରହି ପିଚ୍‌ ଦେଖନ୍ତୁ।’ ମୁଁ ପୂର୍ବରୁ ଏଭଳି କେବେ ଦେଖି ନଥିଲି। ଏହା ଅପ୍ରୀତିକର ପରିସ୍ଥିତି ଆଣିଥିଲା। କିନ୍ତୁ ଭାରତୀୟ ଦଳ ଏହି ପ୍ରସଙ୍ଗକୁ ଆଉ ଆଗକୁ ନେବ ନାହିଁ ବୋଲି କୋଟାକ ପ୍ରକାଶ କରିଛନ୍ତି। ଭାରତୀୟ ଖେଳାଳିମାନେ କେହି ବି ସ୍ପାଇକ୍ ପିନ୍ଧି ନଥିଲେ ଯେ ପିଚ୍‌ ଖରାପ ହୋଇଯାଇଥାନ୍ତା। କ୍ୟୁରେଟର୍ ମାନେ ମାତ୍ରାଧିକ ସୁରକ୍ଷିତ ସୁଯୋଗ ଆଶା କରୁଥିଲେ। ଫର୍ଟିସ ବି କହିଥ‌ିଲେ ‘ଗମ୍ଭୀରଙ୍କୁ ଖୁସି କରିବା ମୋ କାମ ନୁହେଁ, ଏହା ପୂର୍ବରୁ ବି ମୁଁ ତାଙ୍କୁ‌ କେବେ ଭେଟିନାହିଁ’।

ଅର୍ଶଦୀପଙ୍କ ପଦାର୍ପଣ ନିଶ୍ଚିତ

ଲଣ୍ଡନ୍‌: କେନିଙ୍ଗଟନ୍‌ ଓଭାଲ୍‌ରେ ଗୁରୁବାରଠାରୁ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ୍‌ରେ ବାମହାତୀ ପେସ୍‌ ବୋଲର ଅର୍ଶଦୀପ ସିଂହ ପଦାର୍ପଣ କରିବା ପ୍ରାୟ ନିଶ୍ଚିତ ହୋଇଛି। ତେନ୍ଦୁଲକର-ଆଣ୍ଡରସନ୍‌ ଟ୍ରଫି ଶୃଙ୍ଖଳାରେ ଇଂଲଣ୍ଡ ଏବେ ୨-୧ରେ ଆଗୁଆ ରହିଥିବାବେଳେ ଭାରତକୁ ବରାବର କରିବା ସୁଯୋଗ ରହିଛି। ମଙ୍ଗଳବାରର ଇଛାଧୀନ ଅଭ୍ୟାସରେ ଅର୍ଶଦୀପ ପୂରା ଦମ୍‌ରେ ବୋଲିଂ କରିଛନ୍ତି। ଦଳୀୟ ପରିଚାଳକ ଅର୍ଶଦୀପଙ୍କୁ ଶେଷ ଦ‌ୁଇ ଟେଷ୍ଟ୍ ଖେଳାଇବା ଯୋଜନା ରଖିଥିଲେ ମଧ୍ୟ ସେ ଆହତ ହୋଇପଡ଼ିବାରୁ ଚତୁର୍ଥ ଟେଷ୍ଟ୍‌ରେ ଖେଳିପାରି ନଥିଲେ। ଏପରିକି ଆକାଶ ଦୀପ ଆହତ ହୋଇପଡ଼ିବାରୁ ଅଂଶୁଲ କମ୍ବୋଜଙ୍କୁ ସ୍ବତନ୍ତ୍ର ଡାକରା ସହ ମାଞ୍ଚେଷ୍ଟର୍‌ ଟେଷ୍ଟ୍‌ରେ ପଦାର୍ପଣ ସୁଯୋଗ ଦିଆଯାଇଥିଲା। ଅର୍ଶଦୀପ ତାଙ୍କ ହାତରେ ଲାଗିଥିବା ଆହତ ସମସ୍ୟାରୁ ମୁକ୍ତ ହୋଇସାରିଛନ୍ତି। ଅର୍ଶଦୀପଙ୍କ ଖେଳିବା ଏକ ପ୍ରକାର ନିଶ୍ଚିତ ବୋଲି ତାଙ୍କ ବାଲ୍ୟ ପ୍ରଶିକ୍ଷକ ଯଶୱନ୍ତ ରାଏ ପ୍ରକାଶ କରିଛନ୍ତି। ଏହା ଫଳରେ ଲାଲ୍‌ ବଲ୍‌ କ୍ରିକେଟ୍‌ରେ ଭାରତ ଯେଉଁ ସନ୍ତୁଳନ ସନ୍ଧାନରେ ରହିଛି ତାହା

ମିଳିଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି। ତେବେ ଅନ୍ୟ କେଉଁ ଦ୍ରୁତ ବୋଲରମାନେ ଓଭାଲ୍ ଟେଷ୍ଟ୍‌ରେ ଖେଳିବେ ତାହା ଝୁଲି ରହିଛି। ବୁମ୍‌ରାଙ୍କ ଖେଳିବା ନେଇ କିଛି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ। ତିନିଟି ଟେଷ୍ଟ୍ ପାଇଁ ତାଙ୍କୁ ଯୋଜନା ରହିଥିଲେ ମଧ୍ୟ ଶୃଙ୍ଖଳା ସ୍ଥିତି ଦୃଷ୍ଟିରୁ ସେ ଖେଳିପାରନ୍ତି। କିନ୍ତୁ ସେ କ୍ଲାନ୍ତ ଅନୁଭବ କରୁଥିବାରୁ ଭାରତ ରିସ୍କ ନେଇ ନପାରେ। ଶାର୍ଦୁଳ ଠାକୁର ଓ ଅଂଶୁଲ କମ୍ବୋଜଙ୍କୁ କିନ୍ତୁ ଶେଷ ଟେଷ୍ଟ୍‌ରେ ସୁଯୋଗ ନ ମିଳିବା ସମ୍ଭାବନା ରହିଛି। ସେହି ଦୃଷ୍ଟିରୁ ଓଭାଲରେ ମହମ୍ମଦ ସିରାଜ, ଆକାଶ୍ ଦୀପ, ଅର୍ଶଦୀପ ସିଂହ ଖେଳିବା ଏକ ପ୍ରକାର ନିଶ୍ଚିତ ରହିଛି। କେବଳ ବୁମ୍‌ରାଙ୍କ ନିଷ୍ପତ୍ତି ବିଳମ୍ବରେ ହେବ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆହତ ତାଲିକାରେ ରହିଥିଲେ ମଧ୍ୟ ପଞ୍ଚମ ଟେଷ୍ଟ୍ ଖେଳିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଅର୍ଶଦୀପ ସୁଯୋଗ ପାଇଲେ ଜାହିର ଖାନ୍‌ଙ୍କ ବିକଳ୍ପ ଭାବେ ଉଭା ହୋଇପାରିବେ ବୋଲି ବିଶ୍ବାସ କରାଯାଉଛି। ଭାରତ ପାଇଁ ଅର୍ଶଦୀପ ୬୩ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଏବଂ ୯ ଦିନିକିଆ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି। ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ସେ ନିର୍ଣ୍ଣାୟକ ୧୯ତମ ଓଭରରେ ମାତ୍ର ୪ ରନ୍ ବ୍ୟୟ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।