ଲଣ୍ଡନ: ଟିମ୍ ଇଣ୍ଡିଆର ଓପନର୍ କେଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରି ବ୍ୟାଟିଂ ଜାରି ରଖିଛନ୍ତି। ୫ ଟେଷ୍ଟ ମ୍ୟାଚ୍ର ଶେଷ ମୁକାବିଲାରେ ରାହୁଲ ମଙ୍ଗଳବାର ଶେଷ ଦିନ ଓଭାଲ ଷ୍ଟାଡିୟମ୍ରେ ଏହା ହାସଲ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୩୪ ଓଭରରେ ୩ଟି ଓ୍ଵିକେଟ୍ ହରାଇ ୧୦୯ ରନ୍ ସଂଗ୍ରହ କରିଛି। କେଏଲ୍ ରାହୁଲ(୬୬) ଓ ଆଜିଙ୍କ୍ୟ ରାହାଣେ(୨୯) କ୍ରିଜ୍ରେ ଅଛନ୍ତି। ମ୍ୟାଚ୍ ଜିତିବା କଷ୍ଟ ହୋଇ ପଡ଼ିଥିବାରୁ ବର୍ତ୍ତମାନ ଭାରତ ମ୍ୟାଚକୁ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛି।
ଓଭାଲ ଟେଷ୍ଟ୍ରେ ଭାରତ ଶୋଚନୀୟ ପରାଜୟ ଦ୍ୱାର ଦେଶରେ ରହିଛି। ଆଲିଷ୍ଟର କୁକ୍ (୧୪୭) ଓ ଜୋ ରୁଟ୍ (୧୨୫)ଙ୍କ ଯୁଗଳ ଶତକ ବଳରେ ଇଂଲଣ୍ଡ ୪୬୪ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଫଳରେ ବିରାଟ ବାହିନୀର ଶେଷ ଟେଷ୍ଟ୍କୁ ଜିତି ସମ୍ମାନର ସହ ଗସ୍ତ ଶେଷ କରିବାର ଆଶା ମଉଳିଯିବାର ଆଶଙ୍କା ବଢ଼ି ଯାଇଛି।
ସୋମବାର ଜେମ୍ସ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍ଙ୍କ ଅଗ୍ନିବର୍ଷୀ ବୋଲିଂରେ ଭାରତର ଦ୍ୱିତୀୟ ପାଳି ଆରମ୍ଭରୁ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ଆଣ୍ଡରସନ୍ ତୃତୀୟ ଓଭରର ତୃତୀୟ ଏବଂ ଶେଷ ବଲ୍ରେ ଶିଖର ଧାଓ୍ଵନ ଓ ଚେତେଶ୍ୱର ପୂଜାରାଙ୍କୁ ଧରାଶାୟୀ କରିଥିଲେ। ସେହିଭଳି ଚତୁର୍ଥ ଓଭରର ଦ୍ୱିତୀୟ ବଲ୍ରେ ଷ୍ଟୁଆର୍ଟ ବ୍ରଡ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍ କରାଇ ଭାରତକୁ ସବୁଠାରୁ ବଡ଼ ଝଟ୍କା ଦେଇଥିଲେ। କୋହଲି ଓ ପୂଜାରା ଖାତା ଖୋଲି ପାରି ନଥିଲେ। କିଛି ବୁଝିବା ପୂର୍ବରୁ ନିଜ ନିଜ ଓ୍ଵିକେଟ୍ ହରାଇ ବସିଥିଲେ। ସେପଟେ ଆଣ୍ଡରସନଙ୍କ ଆଗରେ ପୁଣି ଥରେ ଆତ୍ମସମର୍ପଣ କରି ଧାଓ୍ଵନ ୧ ରନ୍ ଆଗକୁ ବଢ଼ି ପାରି ନଥିଲେ। ପଞ୍ଚମ ଓଭରର ତୃତୀୟ ବଲ୍ରେ ଲୋକେଶ ରାହୁଲ ନିଜ ଓ୍ଵିକେଟ୍ ହରାଉ ହରାଉ ଅଳ୍ପକେ ବର୍ତି ଯାଇଥିଲେ। ଇଂଲଣ୍ଡ ରିଭ୍ୟୁ ନାକଚ ହେବା ପରେ ସେ ଶାନ୍ତିର ନିଶ୍ୱାସ ମାରିଥିଲେ। ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୪୬ ଏବଂ ରାହାଣେ ୧୦ ରନ୍ରେ ଅପରାଜିତ ରହିଥିଲେ।