ଆଜିଠୁ ଓଡବ୍ଲ୍ୟୁଏଲ୍ ରୋମାଞ୍ଚ: ମହିଳା ଫୁଟ୍‌ବଲ୍ ମେଳାରେ ୬ ଦଳ, ୨୮ ଦିନିଆ ପ୍ରତିଯୋଗିତାରେ ୩୦ ମ୍ୟାଚ୍

ଓଡ଼ିଶା ହେବ ବିଶ୍ବକପ୍ ଓ ଏଏଫ୍‌ସି କପ୍ ଆୟୋଜକ

ଭୁବନେଶ୍ବର: କରୋନା କଟକଣା ପାଇଁ ଓଡ଼ିଶା କ୍ରୀଡ଼ାର ପ୍ରମୁଖ ପେଣ୍ଠସ୍ଥଳୀ ‘କଳିଙ୍ଗ ଷ୍ଟାଡିୟମ୍’ ଏକପ୍ରକାର ଖାଖାଁ ହୋଇଯାଇଥିଲା। ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାର ନିୟମିତ ଆୟୋଜନ ପାଇଁ ସଦାସର୍ବଦା ଚଳଚଞ୍ଚଳ ରହୁଥିବା ପୂର୍ବଭାରତର ଏହି ଲୋକପ୍ରିୟ କ୍ରୀଡ଼ାକେନ୍ଦ୍ର ଯେମିତି କ୍ରୀଡ଼ାବିତ୍‌ଙ୍କୁ କୋହଭରା ହୃଦୟରେ ଝୁରୁଥିଲା। କଟକଣା କୋହଳ ହେବା ପରେ ଅବଶ୍ୟ ଏଠାରେ ରାଜ୍ୟର କିଛି ସଫଳ ଖେଳ ତାରକାଙ୍କ ସହ କ୍ରୀଡ଼ା ଛାତ୍ରାବାସ ଏବଂ ହାଇପର୍ଫମାନ୍ସ କେନ୍ଦ୍ରର ଅନ୍ତେଃବାସୀ ଅଭ୍ୟାସ ଆରମ୍ଭ କରିଥିଲେ। ହାତଗଣତି ଦୌଡ଼କୁଦ ପ୍ରତିଯୋଗିତା ବି ଏଠାରେ ଖେଳାଯାଇଥିଲା। ହେଲେ ବଡ଼ ପ୍ରତିଯୋଗିତାର ଆୟୋଜନ ଏକ ପ୍ରକାର ବନ୍ଦ ରହିଥିଲା। ତେବେ କଳିଙ୍ଗ ଏବେ ପୁଣି ଥରେ ହସିବାକୁ ଯାଉଛି। କାରଣ ରବିବାରଠାରୁ ଏଠାରେ ଓଡ଼ିଶା ଓମେନ୍ସ ଲିଗ୍ ମହିଳା ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହେବ। ଏହି ୬ ଦଳିଆ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମ୍ ସହ କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ସମାନ୍ତରାଳ ଭାବେ ଖେଳାଯିବ। ୨୮ ଦିନ ଧରି ରାଜଧାନୀ ଭୁବନେଶ୍ବରରେ ଏକ ପ୍ରକାର ମହିଳା ଫୁଟବଲ୍‌ର ମେଳା ଚାଲିବ। ମୋଟ ୩୦ ମ୍ୟାଚ୍ ଖେଳାଯାଇ ବିଜେତା ବଛାଯିବ।

ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ, ସାଇ-ଏସ୍‌ଟିସି କଟକ, ଓଜିପି (ଓଡ଼ିଶା ସରକାରୀ ପ୍ରେସ୍), ରାଇଜିଂ ଷ୍ଟୁଜେଣ୍ଟ କ୍ଲବ୍, ପୂର୍ବତଟ ରେଳବାଇ ଓ ଓଡ଼ିଶା ପୁଲିସ ଅଂଶଗ୍ରହଣ କରିବେ। ଲିଗ୍‌ର ବିଜେତା ଦଳ ସର୍ବଭାରତୀୟ ଫୁଟବଲ୍ ମହାସଂଘ ଦ୍ବାରା ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁ) ଲାଗି ଯୋଗ୍ୟତା ଅର୍ଜନ କରିବ। ପୂର୍ବରୁ ରାଇଜିଂ ଷ୍ଟୁଡେଣ୍ଟ ଦଳ ୨୦୧୭-୧୮ ମସିହାରେ ଆଇଡବ୍ଲ୍ୟୁ ବିଜେତା ହୋଇଥିଲା ବେଳେ ୨୦୧୬-୧୭ରେ ଉପବିଜେତା ହୋଇଥିଲା। ଓଡ଼ିଶା ପୁଲିସ ମଧ୍ୟ ଆଇଡବ୍ଲ୍ୟୁଏଲ୍‌ର ପ୍ରତିନିଧିତ୍ବ କରି ସାରିଛି।
ଶନିବାର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏଥିନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫାଓ ସଂପାଦକ ଆଶୀର୍ବାଦ ବେହେରା ଏବଂ ଯୁଗ୍ମସଂପାଦକ ଅଭିଜିତ ପାଲ ଯୋଗଦେଇ ପ୍ରତିଯୋଗିତା ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ଆଜି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସଂପ୍ରତି ଆମେ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ଲାଗି ଯୋଜନା ପ୍ରସ୍ତୁତ କରିବା ଏବଂ ଏହାର ସଫଳ ରୂପାୟନ କରି ଅଧିକରୁ ଅଧିକ ସଫଳ କ୍ରୀଡ଼ାବିତ୍ ସୃଷ୍ଟି କରିବା ଉପରେ ଜୋର ଦେଉଛୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ବିଭାଗ ଉପସଚିବ ଶୈଳେନ୍ଦ୍ର ଜେନା, ମ୍ୟାଚ୍ କମିସନର ଦୁର୍ଗା ମିଶ୍ର ଏବଂ ୬ଟି ଦଳର ଅଧିନାୟିକା ଈଭା ପାନ୍ନା (ସାଇ-ଏସ୍‌ଟିସି), ବନ୍ୟା କବିରାଜ (କ୍ରୀଡ଼ା ଛାତ୍ରାବାସ), ମନୀଷା ପାନ୍ନା (ରେଳବାଇ), କରିସ୍ମା ଓରାମ (ଓଡ଼ିଶା ପୁଲିସ୍), ସତ୍ୟବତୀ ଖଡ଼ିଆ (ରାଇଜିଂ ଷ୍ଟୁଭେଣ୍ଟ୍) ଓ ସସ୍ମିତା ପରିଡ଼ା (ଓଜିପି) ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ଅତିଥିଙ୍କ ଉପସ୍ଥିତିରେ ୬ଟି ଯାକ ଦଳର ଜର୍ସି ମଧ୍ୟ ଶନିବାର ଉନ୍ମୋଚିତ ହୋଇଥିଲା। କରୋନା ସଙ୍କଟ ପାଇଁ ଦଳ ଏକାଠି ହୋଇ ଅଭ୍ୟାସ କରିବାର ସୁଯୋଗ ପାଇ ନଥିଲେ ମଧ୍ୟ ଆମେ ପୁଣି ଥରେ ବିଜେତା ହୋଇ ଆଇଡବ୍ଲ୍ୟୁଏଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବୁ ବୋଲି ରାଇଜିଂ ଷ୍ଟୁଡେଣ୍ଟ୍ ଅଧିନାୟିକା ସତ୍ୟବତୀ ଖଡ଼ିଆ କହିଥିଲେ।

ଦର୍ଶକଙ୍କୁ ସର୍ତ୍ତମୂଳକ ଅନୁମତି
ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ସକାଳ ୭ଟା ଏବଂ ଅପରାହ୍ନ ୩ଟାରୁ ଆରମ୍ଭ ହେବ। କଳିଙ୍ଗ ଷ୍ଟାଡିୟମ୍ ମ୍ୟାଚ୍‌ ମୁଖ୍ୟ ଫୁଟବଲ୍ ପଡ଼ିଆରେ ଖେଳାଯିବ। ଦର୍ଶକମାନେ କେବଳ ପୂର୍ବ ଷ୍ଟାଣ୍ଡରେ ବସି ମ୍ୟାଚ୍ ଦେଖିପାରିବେ। ସେମାନେ ୪ ନମ୍ବର ଗେଟ୍ ଦେଇ ଭିତରେ ପ୍ରବେଶ କରିବା ସହ ଏହାର ବାମପଟେ ଥିବା ପଡ଼ିଆରେ ଗାଡ଼ି ପାର୍କିଂ କରି ପରିବେ। ଏହା ପରେ ସ୍କାଏୱାକ୍ ୫ ଦେଇ ପୂର୍ବ ଷ୍ଟାଣ୍ଡରେ ପ୍ରବେଶ କରିପାରିବେ। ଅନ୍ୟ କୌଣସି ପ୍ରବେଶ ଗେଟ୍ କିମ୍ବା ସ୍କାଏୱାକ୍ ଉପଯୋଗ କରିବାକୁ ଅନୁମତି ମିଳିବ ନାର୍ହି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ସାଧାରଣ ଶରୀର ତାପମାତ୍ରାଠାରୁ ଅଧିକ ଥିଲେ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଅନୁମତି ମିଳିବନାର୍ହି। କୋଭିଡ୍ ନିୟମକୁ ବି କଡ଼ାକଡ଼ି ପାଳନ କରାଯିବ। କ୍ୟାପିଟାଲ୍ ହାଇସ୍କୁଲ୍ ପଡ଼ିଆରେ ମଧ୍ୟ କୋଭିଡ୍ ନିୟମ ଅନୁସାରେ ମ୍ୟାଚ୍ ହେବ।

ଓଡ଼ିଶା ହେବ ବିଶ୍ବକପ୍ ଓ ଏଏଫ୍‌ସି କପ୍ ଆୟୋଜକ

ଓଡ଼ିଶା ପାଇଁ ହକି ଓ ଫୁଟବଲ୍ ହେଉଛି ଦୁଇଟି ପ୍ରମୁଖ ଖେଳ। ଏଥିଲାଗି ଏହି ଦୁଇଟି ଖେଳ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ରାଜ୍ୟରୁ ଅଧିକରୁ ଅଧିକ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟ ଆଡ଼କୁ ଆମେ ଦ୍ରୁତଗତିରେ ଅଗ୍ରସର ହେଉଛୁ। ସେହିଭଳି ଓଡ଼ିଶାରେ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି ତୃଣମୂଳସ୍ତରରୁ ଖେଳ ସଂସ୍କୃତି ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏହିକ୍ରମରେ ଓଡ଼ିଶା‌ରେ, ବିଶେଷକରି କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୨୨ ମସିହାରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ସହ ଏଏଫ୍‌ସି ମହିଳା ଫୁଟବଲ୍ କପ୍ ଆୟୋଜିତ ମଧ୍ୟ ହେବ। ଏହି ସୂଚନା ଶନିବାର କ୍ରୀଡ଼ା ସଚିବ ବିଶାଲ ଦେବ ଦେଇଛନ୍ତି। ସେହିଭଳି ଦୁଇଟି ପ୍ରତିଯୋଗିତା ରାଜ୍ୟ ଫୁଟବଲ୍‌ରେ ନିଶ୍ଚିତ ନୂଆ ମୋଡ଼ ଆଣିବ ବୋଲି ଶ୍ରୀ ଦେବ ଦୃଢ଼ ଆଶା ପୋଷଣ କରିଛନ୍ତି।

ରବିବାରରୁ ଆରମ୍ଭ ହେଉଥିବା ଓଡ଼ିଶା ଓମେନ୍ସ ଲିଗ୍‌ର ପ୍ରାକ୍ ସାମ୍ବାଦିକ ସମ୍ମିଳନୀରେ ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ସଂପାଦକ ଆଶୀର୍ବାଦ ବେହେରା ରାଜ୍ୟରେ ଇଣ୍ଡିଆନ୍ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍) ଆୟୋଜନ କରିବା ଲାଗି ଶ୍ରୀ ଦେବଙ୍କୁ ଅନୁରୋଧ କରିଥିଲେ। ଏହି ଦିଗରେ ସେ ନିଶ୍ଚିତ ପ୍ରୟାସ କରିବେ ବୋଲି ମଧ୍ୟ ଶ୍ରୀ ଦେବ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ୧୭ ବର୍ଷରୁ କମ୍ ମହିଳ‌ା ବିଶ୍ବକପ୍ ୨୦୨୦ ମସିହାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାର ଥିଲା। ତେବେ କରୋନା ସଙ୍କଟ ପାଇଁ ଏହାକୁ ବାତିଲ କରିଦିଆଯାଇଥିଲା। ଏହା ପୁନର୍ବାର ୨୦୨୨ରେ ଭାରତରେ ଆୟୋଜିତ ହେବାର ଥିଲା ବେଳେ କଳିଙ୍ଗ ଷ୍ଟାଡିୟମ୍ ଅନ୍ୟତମ ଆୟୋଜକ ହେବ।

ସମ୍ବନ୍ଧିତ ଖବର