ମେଲ୍‌ବର୍ଣ୍ଣ: ଚଳିତ ବର୍ଡର ଗାଭାସ୍କର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ୍‌ରେ ଭାରତ ଫଲୋଅନ୍‌ ଏଡ଼ାଇବା ମାତ୍ରେ ଜେଲ୍‌ରୁ ମୁକୁଳିଲା ଭଳି ଉତ୍ସବ ପାଳିଥିଲା। ୫ ମ୍ୟାଚ୍‌ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଥିବାବେଳେ ଚତୁର୍ଥ ଟେଷ୍ଟ୍ ବକ୍ସିଂ ଡେ’ (ଡିସେମ୍ବର ୨୬)ରୁ ମେଲ୍‌ବର୍ଣ୍ଣରେ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଦଳର ତାରକା ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ମେଲବର୍ଣ୍ଣରେ ଦଳଠାରୁ ଉନ୍ନତ ପ୍ରଦର୍ଶନ ଆଶା କରିଛନ୍ତି। ଶୀର୍ଷକ୍ରମ ବ୍ୟାଟରଙ୍କଠାରୁ ରନ୍ ମିଳୁନଥିବାରୁ ଏହା ନିମ୍ନକ୍ରମ ଉପରେ ଚାପ ପକାଉଛି। ଦେଶ ବାହାରେ ବିଶେଷ କରି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଖେଳୁଥିବାବେଳେ ଶୀର୍ଷକ୍ରମଙ୍କଠାରୁ ରନ୍‌ ମିଳିବା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଆଶା କରୁଛି ମେଲବର୍ଣ୍ଣରେ ଦଳର ପ୍ରମୁଖ ଖେଳାଳିମାନେ ଭଲ କରିବେ। ଯଦି ବ୍ୟାଟିଂ ୟୁନିଟ୍‌ରେ ସଭିଏଁ ଅବଦାନ ରଖିବେ, ଦଳ ନିଶ୍ଚିତ ଭଲ କରିବ ବୋଲି ପ୍ରକାଶ କରିଛନ୍ତି। 

Advertisment

ଗାବାରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ କେଏଲ୍ ରାହୁଲ୍ (୮୪) ଓ ରବୀନ୍ଦ୍ର ଜାଡ଼େଜା (୭୭)ଙ୍କ ଭାଗୀଦାରି ପରେ ଯଶପ୍ରୀତ୍ ବୁମରା ଓ ଆକାଶଦୀପ ଅନ୍ତିମ ୱିକେଟ୍ ପାଇଁ ୪୭ ରନ୍‌‌ ଯୋଡ଼ିବା ଦଳକୁ ଫଲୋଅନ୍‌ରୁ ବଞ୍ଚାଇଥିଲା। ପ୍ରଥମ ଦୁଇ ଟେଷ୍ଟ୍‌ରେ ଖେଳିନଥିବା ଜା‌ଡ଼େଜା କହିଛନ୍ତି ଏହା ମୋତେ ପରିବେଶ ସହ ଖାପ ଖୁଆଇବାକୁ ସୁଯୋଗ ଦେଇଥିଲା।‌ ନେଟ୍ସରେ କଠିନ ପରିଶ୍ରମ କରିବାରୁ ମୁଁ ଗାବାରେ ନିଜ ଯୋଜନା ମୁତାବକ ବ୍ୟାଟିଂ କରିପାରିଥିଲି। ପର୍ଥରେ ୱାସିଂଟନ୍ ସୁନ୍ଦର, ଆଡି‌ଲେଡ୍‌ରେ ଆର୍ ଅଶ୍ବିନ୍ ଖେଳିଥିବାବେଳେ ଜାଡ଼େଜାଙ୍କୁ ଗାବାରେ ସୁଯୋଗ ମିଳିଥିଲା। ପରବର୍ତ୍ତୀ ଦୁଇ ଟେଷ୍ଟ୍‌ ମଜାଦାର ହେବ ବୋଲି ମଧ୍ୟ ଜାଡ଼େଜା କହିଛନ୍ତି। ଅଶ୍ବିନଙ୍କ ଅବସର ସମ୍ପର୍କରେ ଜାଡ଼େଜା ଶେଷ ପର୍ଯ୍ୟନ୍ତ ଜାଣିନଥିଲେ ବୋଲି ସ୍ବୀକାର କରିଛନ୍ତି। ଅଶ୍ବିନ ପଡ଼ିଆ ଭିତରେ ମୋ ମାର୍ଗଦର୍ଶକ ଥିଲେ। ତାଙ୍କ ବୋଲିଂ ପାର୍ଟନର୍ ଭାବେ ମୁଁ ଅନେକ ବର୍ଷ ଖେଳିଛି। ତାଙ୍କ ବିକଳ୍ପ ମିଳିବେ ନାହିଁ, ଆଗକୁ ବଢ଼ିବାକୁ ହେବ ଏବଂ ତାଙ୍କ ସ୍ଥାନ ପୂରଣ ପାଇଁ ଜଣେ ଉପଯୁକ୍ତ ଖେଳାଳି ମିଳିବେ ବୋଲି ଜାଡ଼େଜା ଆଶା ପ୍ରକଟ କରିଛନ୍ତି।

ଭାରତ ଜାଗିଲେ, ଅଷ୍ଟ୍ରେଲିଆ ଅଡୁଆ ବଢ଼ିବ
ବ୍ରିସବେନ୍‌ରେ ଫଲୋଅନ୍ ଏଡ଼ାଇବା ପରେ ଭାରତର ଉତ୍ସବକୁ ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସକାରାତ୍ମକ ନଜରରେ ଦେଖିଛନ୍ତି। ଏବେ ଭାରତୀୟ ବରିଷ୍ଠ ଖେଳାଳି ଯଦି ଭଲ କରିବେ ତେବେ ଅଷ୍ଟ୍ରେଲିଆର ଆଡୁଆ ବଢ଼ିଯିବ। ବ୍ରିସବେନ୍ ଫଳାଫଳ ଏହି ଶୃଙ୍ଖଳାର ନିର୍ଣ୍ଣାୟକ ମୁହୂର୍ତ୍ତ ହେବାକୁ ଯାଉଛି। ଯଶପ୍ରୀତ୍ ବୁମରା ଓ ଆକାଶଦୀପ ଅନ୍ତିମ ୱିକେଟ୍ ପାଇଁ ଆବଶ୍ୟକ ରନ୍‌ ଯୋଡ଼ିବା କେବଳ ଫଲୋଅନ୍ ଏଡ଼ାଇନଥିଲା, ଏହା ଦଳର ଚରିତ୍ର ପ୍ରମାଣିତ କରିଥିଲା। ପ୍ରତିଦ୍ବନ୍ଦ୍ବିତାକୁ ନୂଆ ପର୍ଯ୍ୟାୟରେ ପହଞ୍ଚାଇଛି ବୋଲି ଶାସ୍ତ୍ରୀ ପ୍ରକାଶ କରିଥିଲେ। ୨୦୨୧ ଇଂଲଣ୍ଡ ଗସ୍ତରେ ଲର୍ଡସରେ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମିଙ୍କ ମଧ୍ୟରେ ହୋଇଥିବା ୮୯* ରନ୍ ଭାଗୀଦାରି (ନବମ ୱିକେଟ୍‌) କଥାକୁ ଏହା ମନେ ପକାଇ ଦେଇଥିଲା ବୋଲି ଶାସ୍ତ୍ରୀ କହିଥିଲେ। ଶେଷ ଦିନରେ ଇଂଲଣ୍ଡ ବିଜୟ ସ୍ଥିତିରେ ଥିଲେ ମଧ୍ୟ ଭାରତ ବିଜୟୀ ହୋଇଥିଲା।

ରାହୁଲଙ୍କ ଅଙ୍ଗୁଳିରେ ଆଘାତ
ଗୁରୁବାରର ଏକ ଘଟଣା ଭାରତୀୟ କ୍ରିକେଟ୍ ଦଳକୁ ଚିନ୍ତାରେ ପକାଇଛି। ଓପନର୍ କେଏଲ୍ ରାହୁଲଙ୍କ ଅଙ୍ଗୁଳିରେ ଆଘାତ ଲାଗିବାରୁ ସେ ଅଧିକ ସମୟ ଅଭ୍ୟାସ କରିପାରି ନାହାନ୍ତି। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ରାହୁଲ ଭଲ କରୁଥିବାରୁ ସେ ଯଦି ଆହତ ହୁଅନ୍ତି, ତାହେ‌ଲେ ଏହା ଭାରତୀୟ ଦଳ ପାଇଁ ବହୁତ ବଡ଼ ଝଟ୍‌କା ହେବ। ଅତୀତରେ ରାହୁଲ ଆହତ ହେବାର ଲମ୍ବା ଇତିହାସ ଥିବାରୁ ଏହା ମଧ୍ୟ ଭାରତୀୟ ଦଳ ସହ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି।