ସର୍ବୋଚ୍ଚ ଆୟକାରୀ ମହିଳା ଆଥ୍‌ଲେଟ୍‌ଙ୍କ ମଧ୍ୟରେ ସିନ୍ଧୁ

ନୂଆଦିଲ୍ଲୀ : ଫୋର୍ବସ୍‌ ଦ୍ବାରା ପ୍ରକାଶିତ ୨୦୧୯ ସର୍ବୋଚ୍ଚ ଆୟକାରୀ ମହିଳା ଆଥ୍‌ଲେଟ୍‌ଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ ସ୍ଥାନ ପାଇଛନ୍ତି। ମଙ୍ଗଳବାର ପ୍ରକାଶିତ ଏହି ତାଲିକାରେ ସିନ୍ଧୁ ତ୍ରୟୋଦଶ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ଆୟ ୫.୫ ମିଲିୟନ୍‌ ଆମେରିକୀୟ ଡଲାର ରହିଛି। ସିନ୍ଧୁ ମଧ୍ୟ ଏହି ସ୍ଥାନରେ ଆମେରିକା ଟେନିସ୍‌ ତାରକା ମାଡିସନ୍‌ କେୟସ୍‌ଙ୍କ ସହ ମିଳିତ ଭାବେ ରହିଛନ୍ତି। ସିନ୍ଧୁ ଏବେ ଭାରତର ସର୍ବାଧିକ ବଜାର ଚାହିଦା ଥିବା ମହିଳା ଆଥ୍‌ଲେଟ୍‌ ରହିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ୨୦୧୮ ଋତୁ ଶେଷ ବିଡବ୍ଲୁଏଫ୍‌ ବିଶ୍ବ ଟୁର୍‌ ଫାଇନାଲ୍‌ସ ଜିତିବାର ଗୌରବ ବହନ କରିଥିଲେ ବୋଲି ଫୋର୍ବସ୍‌ ପକ୍ଷରୁ କୁହାଯାଇଛି। ଏହି ତାଲିକାର ଶୀର୍ଷରେ ରହିଛନ୍ତି ଆମେରିକୀୟ ମହାନ୍‌ ଟେନିସ୍‌ ତାରକା ସେରେନା ୱିଲିୟମ୍‌ସ। ସେରେନାଙ୍କ ମୋଟ ଆୟ ରହିଛି ୨୯.୨ ମିଲିୟନ୍‌ ଆମେରିକୀୟ ଡଲାର। ଶୀର୍ଷ ୧୫ ଆଥ୍‌ଲେଟ୍‌ ମିଳିତ ଭାବେ ମୋଟ ୧୪୬ ମିଲିୟନ୍‌ ଡଲାର ଆୟ କରିଥିଲା ବେଳେ ତୁଳନାତ୍ମକ ଭାବେ ଗତବର୍ଷ ୧୩୦ ମିଲିୟନ୍‌ ଡଲାର ରହିଥିଲା। ସେମାନଙ୍କ ମଧ୍ୟରୁ ସେରେନା ଓ ଜାପାନର ନାଓମି ଓସାକା (୨୪.୩ ମିଲିୟନ୍‌ ଡଲାର) ଦୁଇରୁ ଅଧିକ ଥର ବିଶ୍ବର ସର୍ବୋଚ୍ଚ ଆୟକାରୀ ମହିଳା ଆଥ୍‌ଲେଟ୍‌ ତାଲିକାରେ ରହିଥିଲା ବେଳେ ତୃ୍ତୀୟ ସ୍ଥାନରେ ଥିବା ଆଞ୍ଜେଲିକ୍‌ କର୍ବରଙ୍କ ଆୟ ୧୧.୮ ମିଲିୟନ୍‌ ଡଲାର ରହିଛି। ବିଶେଷକରି ୨୦୧୯ ତାଲିକାରେ ମହିଳା ଟେନିସ୍‌ ଖେଳାଳିଙ୍କ ଆଧିପତ୍ୟ ଦେଖାଦେଇଛି। ଟେନିସ୍‌ ଖେଳାଳିମାନେ ହିଁ ଶୀର୍ଷ-୧୦ ସ୍ଥାନ ମାଡ଼ି ବସିଛନ୍ତି। ସେମାନଙ୍କ ମଧ୍ୟରେ ସେରେନା (୨୯.୨ ମିଲିୟନ୍‌), ଓସାକା (୨୪.୩ ମିଲିୟନ୍‌), ଜର୍ମାନି ତାରକା କର୍ବର (୧୧.୮ ମିଲିୟନ୍‌), ରୋମାନିଆର ସିମୋନା ହାଲେପ (୧୦.୨ ମିଲିୟନ୍‌), ଆମେରିକାର ସ୍ଲୋଆନେ ଷ୍ଟିଫେନ୍‌ସ (୯.୬ ମିଲିୟନ୍‌), ଡେନ୍‌ମାର୍କର କାରୋଲିନେ ୱଜ୍‌ନିଆକି (୭.୫ ମିଲିୟନ୍‌), ରୁଷିଆର ମାରିଆ ସାରାପୋଭା (୭ ମିଲିୟନ୍‌), ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭା (୬.୩ ମିଲିୟନ୍‌), ୟୁକ୍ରେନ୍‌ର ଇଲିନା ସ୍ବିତୋଲିନା (୬.୧ ମିଲିୟନ୍‌) ଏବଂ ସେରେନାଙ୍କ ବଡ଼ ଭଉଣୀ ଭେନସ୍‌ ୱିଲିୟମ୍‌ସ ଓ ସ୍ପେନ୍‌ର ଗାର୍ବିନେ ମୁଗୁରୁଜା (ପ୍ରତ୍ୟେକ ୬.୧ ମିଲିୟନ୍‌) ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ଆମେରିକା ମହିଳା ଫୁଟ୍‌ବଲ୍‌ ତାରକା ଆଲେକ୍ସ ମୋର୍ଗାନ୍‌ ଅଣ ଟେନିସ୍‌ ଖେଳାଳି ଭାବେ ସର୍ବୋଚ୍ଚ ଆୟକାରୀ ଆଥ୍‌ଲେଟ୍‌ ତାଲିକାର ଦ୍ବାଦଶ ସ୍ଥାନ ପାଇଛନ୍ତି। ତାଙ୍କ ଆୟ ୫.୮ ମିଲିୟନ୍‌ ଡଲାର ରହିଛି। ତାଙ୍କ ତଳକୁ ତ୍ରୟୋଦଶ ସ୍ଥାନରେ ରହିଛନ୍ତି ଭାରତୀୟ ଟେନିସ୍‌ ଲଳନା ସିନ୍ଧୁ। ଯାହାକି ଭାରତ ପାଇଁ ଗୌରବର ବିଷୟ।

୨୦୧୮ ଜୁନ୍‌ ୧ ତାରିଖରୁ ୨୦୧୯ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ଏଥିରେ ପ୍ରତ୍ୟେକ ଆଥ୍‌ଲେଟ୍‌ଙ୍କ ପୁରସ୍କାର ରାଶି, ଦରମା/ଭତ୍ତା, ବୋନସ୍‌, ବିଜ୍ଞାପନ ଚୁକ୍ତି ଓ ପଦାର୍ପଣରୁ ଆୟ ସାମିଲ ରହିଛି। ଏହି ଦୃଷ୍ଟିରୁ ୧୫ ଜଣ ମହିଳା ଆଥ୍‌ଲେଟ୍‌ ଏହି ସମୟ ମଧ୍ୟରେ ଅତି କମ୍‌ରେ ୫ ମିଲିୟନ୍‌ ଡଲାର ଆୟ କରିଥିବା ଫୋର୍ବେସ୍‌ ପକ୍ଷରୁ ପ୍ରକାଶିତ ତାଲିକାରୁ ସ୍ପଷ୍ଟ ହୋଇଛି। ତୁଳନାତ୍ମକ ଭାବେ ଚଳିତ ବର୍ଷ ୧୩୦୦ ପୁରୁଷ ଆଥ୍‌ଲେଟ୍‌ ଅତି କମ୍‌ରେ ୫ ମିଲିୟନ୍‌ ଡଲାର ଆୟ କରିଥିବା ଫୋର୍ବେସ୍‌ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର