ମୁଷ୍ଟିଯୁଦ୍ଧ କ୍ୱାର୍ଟରରେ ପବିତ୍ରା

ଜାକର୍ତା: ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ପବିତ୍ରା ୬୦ କେଜି ବର୍ଗରେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ଶନିବାର ଲଢ଼େଇରେ ପବିତ୍ରା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ରୁକ୍‌ସାନା ପର୍ଭିନ୍‌ଙ୍କୁ ପରାସ୍ତ କରିଦେଇଥିଲେ। ପୂର୍ବତନ ଜାତୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜୟିନୀ ପବିତ୍ରା ଅତ୍ୟଧିକ ଆକ୍ରମଣାତ୍ମକ ଭଙ୍ଗୀରେ ଲଢ଼ିଥିଲେ। ଏପରିକି ସେ ପ୍ରଥମ ରାଉଣ୍ଡ୍‌ରେ ରୁକ୍‌ସାନାଙ୍କୁ ଦୁଇ ଥର ଧରାଶାୟୀ କରିଦେଇଥିଲେ। ଏହାପରେ ରେଫରି କାଳବିଳମ୍ବ କନରି ଲଢ଼େଇକୁ ରୋକିବା ସହିତ ପବିତ୍ରାଙ୍କୁ ବିଜୟୀ ଘୋଷିତ କରିଥିଲେ। ସେତେବେଳକୁ ଫଳାଫଳ ପବିତ୍ରାଙ୍କ ସପକ୍ଷରେ ୧୦-୮ ରହିଥିଲା। ଏଠାରେ ସୂଚନାଯୋଗ୍ୟ, ୩୧ ବର୍ଷ ବୟସ୍କା ପବିତ୍ରା ଚଳିତ ଏସୀୟ କ୍ରୀଡ଼ାରେ ପଦାର୍ପଣ କରିଛନ୍ତି। ଲାଇଟ୍‌େଓ୍ଵଟ୍‌ ବର୍ଗରେ ସେ ପୂର୍ବତନ ବିଶ୍ୱ ତଥା ଏସୀୟ ବିଜୟିନୀ ଏଲ୍‌ ସରିତା ଦେବୀଙ୍କ ବଦଳରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ପବିତ୍ରା ମଧ୍ୟ ନିଜ ନାମରେ ପୂର୍ବରୁ ଏସୀୟ ପ୍ରତିଯୋଗିତାର କାଂସ୍ୟ ପଦକ ରଖିଛନ୍ତି। ଯାହାକି ୫୭ କେଜିରେ ସେ ପାଇଥିଲେ। ସେ ମଧ୍ୟ ଚଳିତ ବର୍ଷ ଆୟୋଜିତ ଏସୀୟ କ୍ରୀଡ଼ା ଟେଷ୍ଟ ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର