ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍‌: ପାରାମାଉଣ୍ଟ୍ ବିଜେତା

ଭୁବନେଶ୍ବର: ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ପକ୍ଷରୁ ଚାଲିଥିବା ୧୬ ବର୍ଷରୁ କମ୍‌ ଦ୍ବିତୀୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ ପାରାମାଉଣ୍ଟ୍‌ ୨୮ ରନ୍‌ରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାରାମାଉଣ୍ଟ୍ ସ୍ପୋର୍ଟିଂ ୩୫ ଓଭରରେ ୬ ୱିକେଟ୍ ହରାଇ ୧୩୪ ରନ୍‌ କରିଥିଲା। ସିଦ୍ଧାର୍ଥ ବେହେରା (୫୦) ଓ ସ୍ବାଗତ ମିଶ୍ର (୩୩) ଭଲ ବ୍ୟାଟିଂ କରିଥିଲେ। ପ୍ରତିପକ୍ଷର ସୌମ୍ୟରଂଜନ ମହାରଣା ଓ କୁବେର ସାହୁ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୧୦୬ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଅମନ ଦାଶ ପାଳିର ସର୍ବାଧିକ ୩୦ ରନ୍ କରିଥିଲେ।

ପାରାମାଉଣ୍ଟ୍ ପକ୍ଷରୁ ଦୁର୍ଗାପ୍ରସାଦ ମଲ୍ଲିକ (୩/୧୫) ଓ ସେକ୍ ନକିବ୍ ‌ସାର୍ବେର (୨/୧୬) ମିଳିତ ଭାବେ ୫ ୱିକେଟ୍ ଅକ୍ତିଆର କରିଥିଲେ। ଦୁର୍ଗାଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପ୍ରଗତିର ଅସିମ ବରାଡ଼ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ପାରମାଉଣ୍ଟ୍‌ର ସେକ୍ ନକିବ୍ ସାର୍ବେର୍‌ ଶ୍ରେଷ୍ଠ ବୋଲର, ବିବିସିଏର ଅଶ୍ନିଲ ରାଉତରାୟ ଶ୍ରେଷ୍ଠ ୱିକେଟରକ୍ଷକ, ମୁକ୍ତେଶ୍ବରର ଅଭିଳାଷ କାନୁନ୍‌ଗୋ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଶ୍ରେଷ୍ଠ ଅମ୍ପାୟାର ଭାବେ ନିର୍ମଳ ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଫାଇନାଲ୍ ମ୍ୟାଚ୍‌କୁ ଶୁକ୍ରବାର ସକାଳେ ମେୟର ସୁଲୋଚନା ଦାସ ଏବଂ କର୍ପୋରେଟର୍ କେ ଶାନ୍ତି ଉଦ୍‌ଘାଟନ କରିଥିବାବେଳେ ଉଦ୍‌ଯାପନୀ ଉତ୍ସବରେ କ୍ରିକେଟର୍ ସଂଜୟ ଶତପଥୀ, ବସନ୍ତ ମହାନ୍ତି, ଗୋବିନ୍ଦ ପୋଦ୍ଦାର, ଗୁରଜିତ ସିଂହ ଚୌହାନ, ପ୍ରଦୋଷ ମହାନ୍ତି, ପ୍ରକାଶ ଦାଶ, ଅସିତ ମଲ୍ଲିକ, ଅଜିତ ବିଶ୍ବାଳ, ଗୌରବ ପ୍ରସାଦ ନନ୍ଦ, ଶରଣଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର