ମୁମ୍ବାଇ: ଚଳିତ ମାସ ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଆଙ୍ଗୁଠି ଭାଙ୍ଗିବା ଯୋଗୁଁ ନମ୍ବର ୩ ବ୍ୟାଟର ଶୁବମନ ଗିଲ୍ ଖେଳି ପାରିବେନି। ତେଣୁ ଭାରତ ‘ଏ’ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଶୀର୍ଷକ୍ରମ ବ୍ୟାଟର୍ ଦେବଦତ୍ତ ପଡ଼ିକଲଙ୍କୁ ବ୍ୟାଟିଂ ବ୍ୟାକ୍ଅପ୍ ଲାଗି ରବିବାର ବିସିସିଆଇ ସେଠାରେ ରହିବାକୁ କହିଛି। ନେତୃତ୍ବଭାର ଦ୍ରୁତବୋଲର ଯଶ୍ପ୍ରୀତ ବୁମ୍ରାଙ୍କୁ ମିଳିବ। ବୁମ୍ରା ପୂର୍ବରୁ ୨୦୨୨ରେ ଇଂଲଣ୍ଡ ବିପକ୍ଷ ଏଜ୍ବେଷ୍ଟାନ ଟେଷ୍ଟ୍ରେ ଦଳର ନେତୃତ୍ବ ନେଇଥିଲେ। ପଡ଼ିକଲ ପ୍ରଥମ ଟେଷ୍ଟ୍ ଲାଗି ୧୮ ଜଣିଆ ଦଳରେ ସାମିଲ ହୋଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ସେତେଟା ଭଲ ନୁହେଁ। କିନ୍ତୁ ତାଙ୍କ ଅଭିଜ୍ଞତା ଓ ଅଷ୍ଟ୍ରେଲିଆ ପରିବେଶ ଜଡ଼ିତ ଥିବାରୁ ବ୍ୟାକ୍ଅପ୍ ଲାଗି ବିସିସିଆଇର ପ୍ରଥମ ପସନ୍ଦରେ ସେ ଅଛନ୍ତି। ଅଉ ଏକ ବଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି ଯେ ଦିଲ୍ଲୀ ଓ କୋଲ୍କାତା ନାଇଟ୍ ରାଇଡର୍ସ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ପର୍ଥ ଟେଷ୍ଟ୍ରେ ପଦାର୍ପଣ ସୁଯୋଗ ମିଳିପାରେ। ହର୍ଷିତ ଭଲ ବାଉନ୍ସ ପାଉଥିବାରୁ ସେ ଦଳରେ ସାମିଲ ହୋଇପାରନ୍ତି। ସେ ୧୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୪ ହାରରେ ୪୩ ୱିକେଟ୍ ଅକ୍ତିଆର କରିଛନ୍ତି।
ଆଡିଲେଡ୍ରେ ଖେଳିବେ ରୋହିତ
ପୁତ୍ର ସନ୍ତାନର ଜନ୍ମ ପାଇଁ ପର୍ଥରେ ଖେଳାଯିବାକୁ ଥିବା ବର୍ଡର-ଗାଭାସ୍କର୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ରୁ ଓହରି ଯାଇଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଆଡିଲେଡ୍ରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍ ଖେଳିବେ। ଏପରିକି ଏହି ମ୍ୟାଚ୍ ପୂର୍ବରୁ ଖେଳାଯିବାକୁ ଥିବା ଗୋଲାପି ବଲ୍ ଅଭ୍ୟାସ ମୁକାବିଲାରେ ବି ଅଂଶଗ୍ରହଣ କରିବେ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ଓ ଭାରତ ମଧ୍ୟରେ ଖେଳାଯିବ। ବିସିସିଆଇ ସୂତ୍ରରୁ ଏହା ଜଣାପଡ଼ିଛି। ଆଡିଲେଡ୍ ଟେଷ୍ଟ ଦିବା-ରାତ୍ର ଭିତ୍ତିରେ ଏବଂ ଗୋଲାପି ବଲ୍ରେ ଖେଳାଯିବାକୁ ଥିବାରୁ ଏହି ଅଭ୍ୟାସ ମ୍ୟାଚ୍କୁ ମଧ୍ୟ ଗୋଲାପି ବଲ୍ରେ ଖେଳିବାକୁ ଭାରତୀୟ ଦଳ ଯୋଜନା କରିଛି।