ଭାରତୀୟ ଚେସ୍ ଅଲିମ୍ପିଆଡ୍ ଦଳରେ ପଦ୍ମିନୀ

ଭୁବନେଶ୍ବର: ଚେନ୍ନାଇରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୪୪ତମ ଚେସ୍ ଅଲିମ୍ପିଆଡ୍ ଲାଗି ସର୍ବଭାରତୀୟ ଚେସ ମହାସଂଘ (ଏଆଇସିଏଫ୍) ୨୦ ଜଣିଆ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ପଦ୍ମିନୀ ରାଉତ ସ୍ଥାନ ପାଇଛନ୍ତି। ଆୟୋଜକ ଭାବେ ଭାରତ ଏହି ପ୍ରତିଯୋଗିତାକୁ ଦୁଇଟି ଗ୍ରୁପ୍‌ ପଠାଇବାକୁ ହକଦାର। ଏଣୁ ପ୍ରଥମ ଥର ଲାଗି ଭାରତ ଏଥର ଓପନ୍ ଏବଂ ମହିଳା ବର୍ଗରେ ଖେଳାଳି ପଠାଇଛି। ଫଳରେ ୧୪ ଦିନ ଧରି ଚାଲିବାକୁ ଥିବା ଏବଂ ୧୫୦ ଦେଶରୁ ଖେଳାଳି ଭାଗନେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ପଦକ ଜିତିବା ସମ୍ଭାବନା ଢେର ବଢ଼ିଯାଇଛି। ଭାରତୀୟ ମହିଳା ଦଳରେ ଆଇଏମ୍ ପଦ୍ମିନୀଙ୍କ ସହ ଜିଏମ୍ କୋନେରୁ ହମ୍ପି, ଦ୍ରୋଣାବଳୀ ହାରିକା, ଆର ବୈଶାଳୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣି, ଡବ୍ଲ୍ୟୁଜିଏମ୍ ବନ୍ତିକା ଅଗ୍ରୱାଲ, ଆଇଏମ୍ ସୌମ୍ୟା ସ୍ବା‌ମୀନାଥନ, ଡବ୍ଲ୍ୟୁଜିଏମ୍ ମାରିଆନ୍ ଗୋମ୍ସ ଏବଂ ଡବ୍ଲ୍ୟୁଜିଏମ୍ ଦିବ୍ୟା ଦେଶମୁଖ ମଧ୍ୟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଓପନ୍ ବର୍ଗରେ ୧୦ ଜଣ ଜିଏମ୍ ରହିଛନ୍ତି। ସେମାନେ ହେଲେ ଭିଦିତ ସନ୍ତୋଷ ଗୁଜରାଠୀ, ପି ହରିକ୍ରିଷ୍ଣା, ଏରିଗାଏସି ଅର୍ଜୁନ, ଏସ୍‌ଏଲ୍ ନାରାୟଣନ୍, ଶଶିକିରଣ କ୍ରିଷ୍ଣନ୍, ନିହାଲ ସରିଣ, ଡି ଗୁକେଶ, ବି ଅଧିବନ, ଆର ପ୍ରଜ୍ଞାନନ୍ଦ ଓ ରୌନକ ସଧୱାନୀ।

ସମ୍ବନ୍ଧିତ ଖବର