ଭୁବନେଶ୍ବର‌: ଓଡ଼ିଶାର ଚେସ୍‌ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍‌ କ୍ବିନ୍ସ ଅନ୍‌ଲାଇନ୍‌ ବ୍ଲିଜ୍‌ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍‌ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ‌ବାଦେଲ୍‌କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ ରହିଥିଲେ। କିନ୍ତୁ ଟାଇବ୍ରେକର୍‌ରେ ପଦ୍ମିନୀ ବିଜେତା ଘୋଷିତ ହୋଇଥିଲେ। ପଦ୍ମିନୀ ୯ ମ୍ୟାଚ୍‌ ଜିତିଥିଲା ବେଳେ ଦୁଇଟିରେ ପରାଜିତ ହୋଇଥିଲେ।

Advertisment

ଆଜରବାଇଜାନ୍‌ର ସାଦତ ବସିର୍ଲି, ମମାଡୋଭା, ଫ୍ରାନ୍ସର ସେସିଲେ ହାଉସେର୍ନୋଟ୍‌, ଭାରତର ଭୋନ୍ତି ତ୍ରିପୁରାମ୍ବିକା, ଜର୍ଜିଆର ମେରି ଅରାବିଦ୍‌ଜେ, ପୋଲାଣ୍ଡର ଆଲେକଜାଣ୍ଡ୍ରା ମା‌ଲ୍‌‌ତସେଭ୍‌ସକ୍ୟ, ରୁଷିଆର ଆନାସ୍ତାସିଆ ବୋଦ୍‌ନାରୁକ୍‌, ୟୁକ୍ରେନ୍‌ର ଇଭ୍‌ଜେନିଆ ଦେଲଉହାନୋଭା, ଭିଏତ୍‌ନାମ୍‌ର ହୋଆଙ୍ଗ ବାଓ ଆଲ୍‌ ତ୍ରାନ୍‌ଙ୍କୁ ପଦ୍ମିନୀ ହରାଇଥିଲା ବେଳେ ଭାରତର ସବିତା ଶ୍ରୀ ବି ଓ ବେଲାରୁଷର ଓଲ୍‌ଗା ବାଦେଲ୍‌କାଙ୍କଠୁ ସେ ପରାଜିତ ହୋଇଥିଲେ। ଏଥିସହ ପଦ୍ମିନୀ ବିବାହପରେ ପ୍ରଥମ ବଡ ପ୍ରତିଯୋଗିତା ଜିତି ଆତ୍ମବିଶ୍ବାସ ଫେରିପାଇଛନ୍ତି। ଆଗକୁ ତାମିଲନାଡୁରେ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ମହିଳା ଚେସ୍‌ ଚାମ୍ପିଅନ୍‌ସିପ୍‌ ଉପରେ ପଦ୍ମିନୀଙ୍କ ନଜର ରହିଛି।