ପୁଣି ଏକାଠି ହେ‌ବେ ପେସ୍-ଭୂପତି

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ଦୁନିଆର ଶ୍ରେଷ୍ଠ ଯୁଗଳ ଯୋଡ଼ି, ବିବିଧ ଗ୍ରାଣ୍ଡ ସ୍ଲାମ୍ ବିଜେତା ଲିଆଣ୍ଡର୍‌ ପେସ୍‌ ଏବଂ ମହେଶ ଭୂପତିଙ୍କୁ ପୁଣି ଥରେ ଏକାଠି ହେବେ। କିନ୍ତୁ‌ ଟେନିସ୍‌ କୋର୍ଟରେ ନୁହେଁ ଏକ ୱେବ୍‌ ସିରିଜ୍‌ରେ। ଉଭୟଙ୍କ ଖେଳ ଜୀବନର ମଜାଦାର କାହାଣୀ, ତଥ୍ୟ ଏବଂ ତାରକା ପାଲଟିବା ଯାତ୍ରାର ପ୍ରତିଟି ମୁହୂର୍ତକୁ ଏଥିରେ ବର୍ଣ୍ଣନା କରାଯାଇଛି। ଉଭୟଙ୍କ ସମ୍ପର୍କର ଯାତ୍ରାକୁ ପୁରସ୍କାର ବିଜୟୀ ସଫଳ ଦମ୍ପତି ତଥା ନିର୍ଦେଶକ ଅଶ୍ବିନୀ ଆୟର ଓ ନୀତେଶ ତିୱାରୀ ରଚନା କରିଛନ୍ତି।

ପ୍ରଥମ ଭାରତୀୟ ଯୋଡ଼ି ଭାବେ ପେସ୍‌ ଏବଂ ଭୂପତି ୧୯୯୯ରେ ୱିମ୍ବଲଡନ୍ ପୁରୁଷ ଯୁଗଳ ଟ୍ରଫି ବିଜେତା ହୋଇଥିଲେ। ରବିବାର ଏହି ବିଜୟର ୨୨ତମ ବାର୍ଷିକୀ ଅବସରରେ ଲିଆଣ୍ଡର୍ ପେସ୍‌ ଏକ ଫଟୋ ସହ ଟ୍ବିଟ୍‌ କରି ପ୍ରଥମେ ସୂଚନା ଦେଇଥିଲେ। ‘ଦୁଇ ଯୁବ ଖେଳାଳି ସ୍ବପ୍ନ ସାକାର କରିବା ସହ ଦେଶକୁ ଗୌରବାନ୍ବିତ କରିଥିଲେ’ ବୋଲି ଲିଆଣ୍ଡର୍‌ ଉଲ୍ଲେଖ କରିଥିଲେ। ଜବାବରେ ଭୂପତି ଲେଖିଥିଲେ ‘ଏହା ସ୍ବତନ୍ତ୍ର ଥିଲା। ଏବେ ଆଉ ଏକ ଅଧ୍ୟାୟ ରଚିବା ଚାହୁଁଛ କି?’। ଇଣ୍ଡିଆନ୍ ଏକ୍ସପ୍ରେସ୍‌ ଭାବେ ପରିଚିତ ଏହି ଭାରତୀୟ ଯୋଡ଼ି ୧୯୯୪ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଏକାଠି ଖେଳିବା ପରେ ଅଲଗା ‌ହୋଇଯାଇଥିଲେ। ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ପୁଣି ଏକାଠି ଖେଳିଥିଲେ। ଉଭୟଙ୍କ ମତଭେଦ ଓ ବିଚ୍ଛେଦ ଅନେକ ସମୟରେ ଶିରୋନାମାରେ ରହୁଥିଲା।

ସମ୍ବନ୍ଧିତ ଖବର