ବିଶ୍ବକପ୍ : ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ହରାଇଲା ପାକିସ୍ତାନ

ସିଡନି : ସିଡନିଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ପରାସ୍ତ କରିଛି ପାକିସ୍ତାନ । ବର୍ଷା ପ୍ରଭାବିତ ଏହି ମ୍ୟାଚ ମଝିରେ କିଛି ସମୟ ପାଇଁ ଅଟକିବା ପରେ ଡିଏଲ ମେଥଡ୍ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ୩୦ଟି ବଲରେ ୭୩ର ଟାର୍ଗେଟ ଦିଆଯାଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଦଳ ୧୪ ଓଭରରେ  ୯ ଓ୍ବିକେଟ ହରାଇ ୧୦୮ ରନ ହିଁ କରିପାରିଥିଲା ।

ଦଳ ପକ୍ଷରୁ ଟେମ୍ବା ବାଭୁମା ସର୍ବାଧିକ ୩୬ରନ କରିଥିବାବେଳେ ଆଇଡେନ ମାର୍କରାମ ୨୦ରନ କରିଥିଲେ । ତେବେ ଦକ୍ଷିଣ ଆଫ୍ରିକା ଦଳ ଆଜି ଡେଭିଡ ମିଲରଙ୍କ ଅଭାବକୁ ଅନୁଭବ କରିଥିଲା ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଆରମ୍ଭରୁ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ବାବର ଆଜମ, ମହମ୍ମଦ ରିଜଓ୍ବାନଙ୍କ ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ୪୩ ରନରେ ୪ଟି ଓ୍ବିକେଟ୍ ହରାଇ ଏକ ବଡ଼ ସଂକଟରେ ପଡ଼ିଯାଇଥିଲା । ମାତ୍ର ଇଫତିଖାର ମହମ୍ମଦ, ସଦାବା ଖାଁ ଓ ମହମ୍ମଦ ନଓ୍ବାଜ୍ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସହ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ତେବେ ଶେଷ ବେଳକୁ ଦଳ ପୁଣି କେତୋଟି ଓ୍ବିକେଟ୍ ଅଳ୍ପରନ ବ୍ୟବଧାନରେ ହରାଇଥିଲା । ଶେଷକୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୫ ରନ କରିଥିଲା ।

ଏହି ବିଜୟ ସହ ପାକିସ୍ତାନ ୪ ପଏଣ୍ଟ ସହ ଗ୍ରୁପ-୨ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚିଛି । ୬ ପଏଣ୍ଟ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇ ୨ୟ ସ୍ଥାନରେ ରହିଛି ।

 

 

ସମ୍ବନ୍ଧିତ ଖବର