ଭୁବନେଶ୍ୱର ଆସୁଛି ପାକିସ୍ତାନ ହକି ଦଳ, ଗତଥର ପରି ବିରୋଧ ହେବ ନାହିଁ ତ ?

ଭୁବନେଶ୍ୱର : ଭୁବନେଶ୍ୱରେ ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେଉଛି ବିଶ୍ୱ କପ ହକି । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ ଟ୍ରଫିର ଉନ୍ମୋଚନ କରିଛନ୍ତି । ସେପଟେ ଏହି ବିଶ୍ୱ କପରେ ପାକିସ୍ତାନ ଦଳର ଯୋଗଦେବାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଦୂର ହୋଇଛି । ଗୁରୁତର ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନ ହକି ଫେଡେରେସନ ପାଖରେ ନିଜ ଟିମକୁ ଭୁବନେଶ୍ୱର ପଠାଇବା ନେଇ ଅର୍ଥ ନଥିଲା । ଟିମ ପାଇଁ ପ୍ରଯୋଜକ ମଧ୍ୟ ମିଳୁନଥିଲେ । କିନ୍ତୁ ଏବେ ଟିମକୁ ଜଣେ ପ୍ରଯୋଜକ ମିଳିଯାଇଛି । ପେଶାବର ଜାଲମି ଓ ହାୟର ଇଲେକ୍ଟ୍ରୋନିକ୍ସ ପାକିସ୍ତାନର ଅଧ୍ୟକ୍ଷ ଜାଭେଦ ଆଫ୍ରିଦି ହକି ଟିମକୁ ଆସନ୍ତା ୨୦୨୦ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜି ହୋଇଛନ୍ତି । ଏହା ଫଳରେ ପାକିସ୍ତାନ ହକି ଦଳ ଯଥା ସମୟରେ ଭୁବନେଶ୍ୱରରେ ପହଞ୍ଚିବା ସମ୍ଭାବନା ଉଜ୍ଜଳ ହୋଇଛି । ଭିସା ଲାଗି ପାକିସ୍ତାନ ହକି ଫେଡେରେସନ ପକ୍ଷରୁ ଏବେ ଭାରତୀୟ ଦୂତାବାସ ନିକଟରେ ଆବେଦନ କରାଯାଇଛି ।

ଅନ୍ୟପକ୍ଷରେ ପାକିସ୍ତାନ ହକିଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ମଧ୍ୟ ଆଉ ଏକ ବିବାଦର ସମ୍ଭାବନା ରହିିଛି । ସୀମାରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଅବ୍ୟାହତ ରହିଥିବାବେଳେ ପାକିସ୍ତାନ ହକି ଦଳକୁ ରାଜ୍ୟରେ କେତେକ ଗୋଷ୍ଠୀଙ୍କ ପକ୍ଷରୁ ବିରୋଧ କରାଯିବାର ଆଶଙ୍କା କରାଯାଉଛି । ଗତ ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି ବେଳେ ପାକିସ୍ତାନଦଳକୁ ବିରୋଧ କରାଯାଇଥିଲା । ପୁଣି ଭାରତ ବିପକ୍ଷ ମ୍ୟାଚ ଜିତିବା ପରେ ପାକିସ୍ତାନ ଖେଳାଳିମାନେ ଯେପରି ବିଶ୍‌ୃଙ୍ଖଳିତ ଆଚରଣ କରିଥିଲେ ତାହା ମଧ୍ୟ ଭାରତୀୟ ଦର୍ଶକ ଭୁଲି ନଥିବେ । ଏସବୁ ଦେଖିଲେ ପାକିସ୍ତାନ ଦଳକୁ ନେଇ ପୁଣି ଥରେ ବିବାଦ ଉଠିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର