ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପର ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନର ସ୍କୋର ୧୦୦ ରନ ଟପିବା କଷ୍ଟକର ମନେହେଉଛି । ସର୍ବଶେଷ ସୂଚନା ଅନୁସାରେ ପାକିସ୍ତାନ ୮୩ ରନରେ ୭ ଟି ଓ୍ବିକେଟ ହରାଇ ସଂଘର୍ଷ କରୁଛି ।
ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ । ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ଓ୍ବିକେଟ ହରାଇଥିଲା । ଏହି ଦୁଇ ବୋଲରଙ୍କ ପରେ ଅକ୍ଷର ପଟେଲ ୨ଟି ଓ କୂଳଦୀପ ଯାଦବ ୩ଟି ଓ୍ବିକେଟ ନେଇ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ।