ଅବୈଧ ବୋଲିଂ ଶୈଳୀ ପାଇଁ ପାକ୍‌ ପେସର୍‌ ହାସ୍‌ନେନ୍‌ ବାସନ୍ଦ

ଲାହୋର : ଅବୈଧ ବୋଲିଂ ଶୈଳୀ ପାଇଁ ଦ୍ରୁତ ବୋଲର ମହମ୍ମଦ ହାସନେନ୍‌ଙ୍କୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଶୁକ୍ରବାର ବାସନ୍ଦ କରିଛି। ଏଥିସହ ପିସିବି ତାଙ୍କୁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରୁ ମଧ୍ୟ ବାଦ୍‌ ଦେଇଛି। ହାସନେନ୍‌ ମଧ୍ୟ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିବା ପ୍ରାୟ ନିଶ୍ଚିତ ରହିଛି। ବାଇଓମେକାନିକାଲ୍‌ ପରୀକ୍ଷା ବେଳେ ୨୧ ବର୍ଷୀୟ ହାସନେନ୍‌ ଗୁଡ୍‌ ଲେନ୍ଥ, ଫୁଲ ଲେନ୍ଥ, ସ୍ଲୋ ବାଉନସର ଓ ବାଉନସର ପକାଇଲା ବେଳେ ତାଙ୍କ କହୁଣୀ ୧୫ ଡିଗ୍ରୀ ବୁଲାଇବା ନିୟମ ଭଙ୍ଗ କରୁଛି। ତେଣୁ ତାଙ୍କ ଭବିଷ୍ୟତକୁ ନଜରରେ ରଖି ପିଏସ୍‌ଏଲ୍‌ରୁ ବାରଣ କରାଯାଇଛି। ବୋଲିଂ ଶୈଳୀ ଠିକ୍‌ ନ ହେବା ପର୍ଯ୍ୟନ୍ତ ହାସନେନ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ ବାସନ୍ଦ ରହିବେ ବୋଲି ଏକ ବିଜ୍ଞପ୍ତିରେ ପିସିବି କହିଛି। ପାକିସ୍ତାନ ଟି-୨୦ ଦଳରେ ସର୍ବଦା ନିଜ ସ୍ଥାନ ସୁରକ୍ଷିତ ରଖିଥିବା ଏହି ଡାହାଣହାତୀ ଦ୍ରୁତ ବୋଲର ଗତ ମାସରେ ବିଗ୍‌ ବାସ୍‌ ଲିଗ୍‌ରେ ସିଡ୍‌ନି ଥଣ୍ଡର ପାଇଁ ଖେଳୁଥିବା ବେଳେ ବୋଲିଂ ଶୈଳୀ ଅବୈଧ୍‌ ବୋଲି ପ୍ରଥମେ ଜଣା ପଡ଼ିଥିଲା। ସେ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ।

ସମ୍ବନ୍ଧିତ ଖବର