ନୂଆଦିଲ୍ଲୀ: ଭାରତରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ରହିଥିବା ପ୍ରତିବଂଧକ ଦୂର ହୋଇଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି)କୁ ଭାରତ ସରକାର ଏକ ଲିଖିତ ପ୍ରତିଶ୍ରୁତି ଜରିଆରେ ସମସ୍ତ ଭ୍ରମଣକାରୀ ଦେଶର ଖେଳାଳି ଓ ଅଧିକାରୀଙ୍କୁ ଭାରତ ଆସିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ପାକିସ୍ତାନ ଖେଳାଳିଙ୍କ ଭାରତ ଆଗମନକୁ ନେଇ ଲାଗି ରହିଥିବା ବାସନ୍ଦ ଉଠିଯାଇଛି। କୌଣସି ପ୍ରକାର ରାଜନୈତିକ କାରଣରୁ ଖେଳ ଓ ଖେଳାଳିଙ୍କୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ। ବିନା ସର୍ତରେ ବିଭିନ୍ନ ଦେଶର ଖେଳାଳି ଏବଂ ଅଧିକାରୀମାନେ ଭାରତ ଆସିପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ନରିନ୍ଦର ବାତ୍ରା ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ ସଭାପତି ଥମାସ୍ ବାକ୍ଙ୍କୁ ପତ୍ର ଲେଖି କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିୟା ଏହା ସ୍ପଷ୍ଟ କରିଛନ୍ତି। ଦେଶରେ ଅଲିମ୍ପିକ୍ସ ଆନ୍ଦୋଳନକୁ ଉତ୍ସାହିତ କରାଯିବ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ଗୁରୁତ୍ବ ପ୍ରଦାନ କରାଯିବ। ଆଇଓସି ଅନୁବଂଧିତ ଯେ କୌଣସି ଦେଶର ଖେଳାଳି ଭାରତ ଆସିପାରିବେ। ଏଥିରେ ଆମ ଦେଶର କୌଣସି ନୀତିଗତ କିମ୍ବା ରାଜନୈତିକ ପ୍ରସଙ୍ଗକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ବିଶ୍ବବାସୀଙ୍କ ସମ୍ପର୍କରେ ଭାରତ ସରକାରଙ୍କ ଆଭିମୁଖ୍ୟକୁ ‘ବଶୁଧୈବ କୁଟୁମ୍ବକମ୍’ (ସମଗ୍ର ବିଶ୍ବ ଗୋଟିଏ ପରିବାର) ତୁଳନା କରି ଏହା ଅନ୍ତର୍ଜାତୟ ଅଲିମ୍ପିକ୍ସ ଆନ୍ଦୋଳନର ଉତ୍ସାହ ସହିତ ମସାନ ବୋଲି କୁହାଯାଇଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭାରତରେ ତୁରନ୍ତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ବଂଧୁକଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଗତ ଫେବ୍ରୁଆରି ମାସରେ ଭାରତରେ ଖେଳାଯିବାର ଥିଲା, କିନ୍ତୁ ପାକିସ୍ତାନର ଦୁଇ ଖେଳାଳିଙ୍କୁ କେନ୍ଦ୍ର ସରକାର ଭିସା ପ୍ରଦାନ କରିବାକୁ ମନା କରିଦେବାରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘ କ୍ଷୁବ୍ଧ ହୋଇଥିଲା। ଭାରତରେ ସମସ୍ତ ପ୍ରକାର ଅନ୍ତର୍ଜାତୀୟ ପ୍ରତିଯୋଗିତା ଉପରେ ନିଲମ୍ବନ ଲାଗୁ କରିଥିଲା ଆଇଓସି। ଭାରତ ନିକଟରୁ ସବୁଜ ସଙ୍କେତ ମିଳିବା ପରେ ଏବେ ଆଇଓସିର କାର୍ଯ୍ୟନିର୍ବାହୀ ବୋର୍ଡ ଏହି ବାସନ୍ଦକୁ ଉଠାଇଦେବା ନିଷ୍ପତ୍ତି ନେବ। ଏହା ଦ୍ବାରା ପାକିସ୍ତାନ ଏବଂ କୋସୋଭାର ଖେଳାଳିମାନେ ଭାରତରେ ଆୟୋଜିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗଦେବାର ସୁଯୋଗ ପାଇବେ। ଏଥି ସହିତ ପାକିସ୍ତାନ ମହିଳା କ୍ରିକେଟ୍ ଦଳ ମଧ୍ୟ ଭାରତ ଗସ୍ତରେ ଆସି ଜୁଲାଇ ମାସରେ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଖେଳିବା ସମ୍ଭାବନା ବଢ଼ିଯାଇଛି। ୨୦୨୧ ମହିଳା ବିଶ୍ବକପ୍ ଲାଗି ଏହା ଯୋଗ୍ୟତା ପର୍ଯ୍ୟାୟ ଭାବେ ରହିଛି। ସେହିଭଳି ଆସନ୍ତା ମାସରେ କଟକରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ପ୍ରତିଯୋଗିତା ଲାଗି ମଧ୍ୟ ପାକିସ୍ତାନୀ ଖେଳାଳିଙ୍କୁ ଅନୁମତି ମିଳିଯିବା ସମ୍ଭାବନା ରହିଛି।
ପୁଲାୱାମା ଆକ୍ରମଣ ଘଟଣାରେ ୪୪ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ ପାକିସ୍ତାନ ଉପରେ ବାସନ୍ଦ କାରଣରୁ ଭାରତ ଏକାଧିକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ହରାଇଥିଲା। ନୂଆଦିଲ୍ଲୀରେ ଫେବ୍ରୁଆରିରେ ଆୟୋଜିତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ବଂଧୁକଚାଳନା ପ୍ରତିଯୋଗିତା ସହିତ ଏପ୍ରିଲ୍ ମାସର କନିଷ୍ଠ ଡେଭିସ୍ କପ୍, ଫେଡ୍ କପ୍ ଟେନିସ୍ ପ୍ରତିଯୋଗିତା, ଜୁଲାଇ ମାସର କନିଷ୍ଠ ଏସୀୟ କୁସ୍ତି ଏବଂ ମେଡେଲିନ୍ ତୀରନ୍ଦାଜୀ ବିଶ୍ବକପ୍ର ପ୍ରଥମ ପର୍ଯ୍ୟାୟକୁ ବାତିଲ କରିବାକୁ ପଡ଼ିଥିଲା। ଗତବର୍ଷ ନଭେମ୍ବରରେ ଗୌହାଟୀରେ ଅନୁଷ୍ଠିତ ବିଶ୍ବ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଲାଗି ଜଣେ କସୋଭୋ ଖେଳାଳିଙ୍କୁ ଭିସା ପ୍ରଦାନ ଲାଗି ସରକାର ମନା କରିଦେଇଥିଲେ। କାରଣ କଶୋଭୋ ଭାରତ ସରକାରଙ୍କ ସ୍ବୀକୃତିପ୍ରାପ୍ତେ ଦେଶ ତାଲିକାରେ ନଥିଲା।
ଏବେ ସରକାରଙ୍କ ଆଭିମୁଖ୍ୟ ବଦଳାଇ ଥିବାରୁ ଆସନ୍ତା ମାସରେ କଟକରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ପ୍ରତିଯୋଗିତା (କଟକ), ୨୦୨୦ ମସିହାର ବଂଧୁକଚାଳନା ବିଶ୍ବକପ୍ (ନୂଆଦିଲ୍ଲୀ), ଏସିଆ ଓସେନିଆ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମୁଷ୍ଟିଯୁଦ୍ଧ, ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ସହିତ ଭାରତ ଦାବି କରିଥିବା ୨୦୨୬ର ଯୁବ ଅଲିମ୍ପିକ୍ସ, ୨୦୩୦ର ଏସୀୟ କ୍ରୀଡ଼ା ଏବଂ ୨୦୩୨ ଅଲିମ୍ପିକ୍ସ ମଧ୍ୟ ସୁରକ୍ଷିତ ରହିବ ବୋଲି ଆଶା କରାଯାଉଛି।
ପାକ୍ ଖେଳାଳିଙ୍କ ଭାରତ ଆଗମନ ବାଟ ଫିଟିଲା
ଭାରତରେ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଦ୍ବାର ଉନ୍ମୁକ୍ତ କଟକ ଆସିପାରନ୍ତି ପାକିସ୍ତାନୀ ଟିଟି ଖେଳାଳି
/sambad/media/post_attachments/wp-content/uploads/2019/06/ttplayers-of-pakistan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)