ବର୍ଷା ବାଧା, ବିପର୍ଯ୍ୟୟ: ପାକିସ୍ତାନ ୫/୧୨୬

ବିରାଟ ମାଇଲଖୁଣ୍ଟ ଅପେକ୍ଷାରେ ଆଣ୍ଡରସନ

ସାଉଥମ୍ପଟନ୍: ଗୁରୁବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ଠାରେ ଆରମ୍ଭ ହୋଇଛି ଇଂଲଣ୍ଡ-ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍‌। ଗତ ସପ୍ତାହରେ ପ୍ରଥମ ଟେ‌ଷ୍ଟକୁ ୩ ୱିକେଟ୍‌ରେ ଜିତି ୧-୦ର ଅଗ୍ରଣୀ ହାସଲ କରିନେଇଥିବା ଜୋ ରୁଟ୍‌ଙ୍କ ଘରୋଇ ଇଂଲଣ୍ଡ ଦଳ ଏହି ଟେଷ୍ଟ୍‌ ଜିତି ଶୃଙ୍ଖଳା କବ୍‌ଜା କରିବାର ଲକ୍ଷ୍ୟ ରଖିଥିଲା ବେଳେ ଆଝାର ଅଲ୍ଲୀଙ୍କ ପାକିସ୍ତାନ ସ୍ଥିତି ବରାବର କରିବା ଲକ୍ଷ୍ୟ ରଖିଛି। ତେବେ ଗୁରୁବାର ବାରମ୍ବାର ବର୍ଷା ପ୍ରଥମ ଦିବସରେ ବାଧକ ସାଜିଛି। ବର୍ଷାର ଖେଳ ମଧ୍ୟରେ ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବର୍ଷା ଯୋଗୁଁ ଚତୁର୍ଥ ଥର ପାଇଁ ମ୍ୟାଚ୍‌ ବନ୍ଦ ରହିଥିବା ବେଳକୁ ଭ୍ରମଣକାରୀ ପାକିସ୍ତାନ ୪୫.୪ ଓଭରରେ ୧୨୬/୫ କରିଥିଲା।

ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ସନ୍‌ ମାସୁଦ୍‌ (୧)ଙ୍କୁ ମ୍ୟାଚ୍‌ର ପଞ୍ଚମ ବଲ୍‌ରେ ହିଁ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଆଉଟ୍‌ କରିଦେଇଥିଲେ। ଏହାପରେ ଆବିଦ୍‌ ଅଲ୍ଲୀ ଏବଂ ଅଧିକାୟକ ଆଝାର ଅଲ୍ଲୀ ଦ୍ବିତୀୟ ୱିକେଟ୍‌ରେ ୭୨ ରନ୍ ଯୋଡ଼ି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ। ହେଲେ ଆଝାର (୨୦)ଙ୍କୁ ଆଣ୍ଡରସନ୍‌ ନିଜର ଦ୍ବିତୀୟ ଶିକାର କରି ପାକିସ୍ତାନକୁ ଝଟ୍‌କା ଦେଇଥିଲେ। ୬୨/୧ରେ ଆଗୁଆ ମଧ୍ୟାହ୍ନ ବିରତିକୁ ଯାଇଥିବା ପାକିସ୍ତାନ ଚା’ ପାନ ବିରତି ବେଳକୁ ୮୫/୨ କରିଥିଲା। ଏହାପରେ ବର୍ଷା ଯୋଗୁଁ ବାରମ୍ବାର ମ୍ୟାଚ୍‌ ବାଧାପ୍ରାପ୍ତ ହେଉଥିଲା ବେଳେ ଇଂଲଣ୍ଡ ବୋଲରମାନେ ମଧ୍ୟ ୱିକେଟ୍‌ ଝଡ଼ାଇ ଚାଲିଥିଲେ। ସାମ୍‌ କରନ୍‌, କ୍ରିସ୍‌ ୱକ୍ସ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିନେବାରୁ ପାକିସ୍ତାନ ୧୨୬/୫ରେ ସଂଘର୍ଷ କରିଥିଲା। ଏକମାତ୍ର ଆବିଦ୍‌ ଅଲ୍ଲୀ (୬୦) ଅର୍ଧଶତକ ପୂରଣ କରି କିଛି ସମୟ ଲଢ଼ିଥିଲେ ମଧ୍ୟ କରନ୍‌ ତାଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ଆସାଦ୍‌ ସଫିକ୍‌ (୫) ଓ ଫୱାଦ୍‌ ଆଲାମ୍‌ (୦) ଆଉଟ୍‌ ହୋଇଥିଲେ। ବାବର ଆଜମ୍‌ ୨୫ ଓ ମହମ୍ମଦ ରିଜ୍‌ୱାନ (୪) କ୍ରିଜ୍‌ରେ ରହିଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୪୫.୪ ଓଭରରେ ୧୨୬/୫ (ଆବିଦ୍‌ ଅଲ୍ଲୀ-୬୦, ଆଝାର ଅଲ୍ଲୀ-୨୦, ବାବର ଆଜମ୍‌-୨୫*, ଜେମ୍‌ସ ଆଣ୍ଡରସନ୍‌-୨/୩୫, ଷ୍ଟୁଆର୍ଟ ବ୍ରଡ୍‌-୧/୩୧, ସାମ୍‌ କରନ୍-୧/୨୩, କ୍ରିସ୍‌ ୱକ୍ସ-୧/୨୬।)

ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ଗୁରୁବାରଠୁ ସାଉଥମ୍ପଟନରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ ଅବସରରେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ବିରାଟ ମାଇଲଖୁଣ୍ଟରେ ପହଞ୍ଚିବାକୁ ଅପେକ୍ଷା କରିଛନ୍ତି। ଯଦି ସେ ଏହି ମ୍ୟାଚ୍‌ରେ ୧୦ ୱିକେଟ୍‌ ନିଅନ୍ତି ତେବେ ୬୦୦ ୱିକେଟ୍‌ ଅକ୍ତିଆର କରିବାରେ ଦୁନିଆର ପ୍ରଥମ ଦ୍ରୁତ ବୋଲର ଏବଂ ମୋଟ ଉପରେ ଚତୁର୍ଥ ବୋଲର ଭାବେ ଏହି କ୍ଲବ୍‌ରେ ସାମିଲ ହେବେ। ରୋଜ୍‌ ବାଉଲରେ ଆଣ୍ଡରସନ୍‌ଙ୍କ ପ୍ରଦର୍ଶନ ସେତେ‌ଟା ଭଲ ନାହିଁ। ସେ ଏଠାରେ ୪ ମ୍ୟାଚ୍‌ ଖେଳି ୧୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ୨୦୧୪ରେ ଭାରତ ବିପକ୍ଷରେ ୫/୫୩ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସାଉଥମ୍ପଟନ୍‌ରେ ଖେଳିଥିବା ଶେଷ ଦୁଇ‌ ଟେଷ୍ଟ୍‌ (ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ)ରେ ଆଣ୍ଡରସନ୍‌ଙ୍କ ପ୍ରଦର୍ଶନ ୩/୬୨, ୨/୪୯ ଓ ୦/୪୨ ରହିଛି। ତଥାପି ୩୮ ବର୍ଷୀୟ ଆଣ୍ଡରସନ୍‌ ପାକିସ୍ତାନ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନ ୨ ୱିକେଟ୍‌‌ ଅକ୍ତିଆର କରିସାରିଲେଣି। ଯାହାଫଳରେ ତାଙ୍କ ୱିକେଟ୍‌ ସଂଖ୍ୟା ୫୯୨ରେ ପହଞ୍ଚିଯାଇଛି। ଫଳରେ ସେ ଏବେ ୬୦୦ ୱିକେଟ୍‌ଠୁ ମାତ୍ର ୮ ଦୂରରେ ରହିଛନ୍ତି।

୧୧ ବର୍ଷ ପରେ ଟେଷ୍ଟ୍‌ ଖେଳିଲେ ଆଲାମ; ହେଲେ ଖାତା ଖୋଲିପାରିଲେନି
ପାକିସ୍ତାନର ଫୱାଦ ଆଲାମ ୮୮ ମ୍ୟାଚ୍ ଏବଂ ୧୦ ବର୍ଷ ୨୫୯ ଦିନ (ପ୍ରାୟ ୧୧ ବର୍ଷ) ବ୍ୟବଧାନ ପରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳିଲେ। ପାକିସ୍ତାନୀ ଖେଳାଳିଙ୍କ ପାଇଁ ଦୁଇଟି ଟେଷ୍ଟ୍‌ ମ୍ୟାଚ୍ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଦୀର୍ଘତମ ବ୍ୟବଧାନ। ଗୁରୁବାରଠୁ ସାଉଥମ୍ପଟନରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ଲାଗି ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ ଆଲାମ ସାମିଲ ହେବା ପରେ ଏହି ଦୀର୍ଘତମ ଫର୍ମାଟରେ ଖେଳିବା ଲାଗି ତାଙ୍କର ପ୍ରାୟ ୧୧ ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା। ହେଲେ ଏତେ ବର୍ଷ ବ୍ୟବଧାନରେ ପ୍ରତ୍ୟାବର୍ତନ ସୁଯୋଗ ପାଇଥିଲେ ମଧ୍ୟ ଆଲାମ ପାକିସ୍ତାନ ପ୍ରଥମ ପାଳିରେ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ସେ ୪ ବଲ୍‌ର ସାମ୍‌ନା କରି କ୍ରିସ୍‌ ୱକ୍ସଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ।

ଆଲାମ ଜୁଲାଇ ୨୦୦୯ରେ ଆଲାମ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍‌ ପଦାର୍ପଣ କରିଥିଲେ। ନଭେମ୍ବର ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଥର ଲାଗି ଟେଷ୍ଟ୍‌ ମ୍ୟାଚ୍ ଖେଳିଥିଲେ। ତାଙ୍କ ପୂର୍ବରୁ ୟୁନିସ୍ ଅହମ୍ମଦ ୧୭ ବର୍ଷ ୧୧ ଦିନ ଏବଂ ୧୦୪ ମ୍ୟାଚ୍‌ ବ୍ୟବଧାନ ପରେ ପୁଣି ଏକ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ଯାହା ପାକିସ୍ତାନୀ କ୍ରିକେଟର୍‌ଙ୍କ ପାଇଁ ଦୁଇଟି ଟେଷ୍ଟ୍‌ ମଧ୍ୟରେ ଦୀର୍ଘତମ ବ୍ୟବଧାନ ହୋଇ ରହିଛି। ଆଲାମ ଜଣେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଏବଂ ବାମହାତୀ ସ୍ପିନର୍‌। ସେ ଦେଶ ପକ୍ଷରୁ ୩୮ ଦିନିକିଆ ଓ ୨୪ ଟି-୨୦ ମ୍ୟାଚ୍‌‌ ଖେଳିଛନ୍ତି। ସେ ୧୬୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୬.୭୮ ହାରରେ ୧୨,୨୬୫ ରନ୍‌ କରିଛନ୍ତି। ଘରୋଇ କ୍ରିକେଟ୍‌ରେ ଏହି ସଫଳତା ତାଙ୍କୁ ଗୋଟିଏ ଦଶନ୍ଧି ପରେ ପୁଣି ଥରେ ଅନ୍ତର୍ଜାତୀୟ ଟେଷ୍ଟ୍‌କୁ ଫେରିବାର ସହଯୋଗ ଦେଇଛି।

ସମ୍ବନ୍ଧିତ ଖବର