ପାକିସ୍ତାନ-ଆଫଗାନିସ୍ତାନ ଲଢ଼େଇ ଆଜି

ବାଂଲାଦେଶ ଓ ଇଣ୍ଡିଜ୍‌ ପାଇଁ କର ବା ମର ମ୍ୟାଚ୍‌

ଦୁବାଇ: ଚଳିତ ଟି-୨୦ ବିଶ୍ବକପ୍‌ ସୁପର-୧୨ରେ ଶୁକ୍ରବାର ଦୁବାଇରେ ଦୁଇ ପ‌ଡ଼ୋଶୀ ଦେଶ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହେବେ। ପାକିସ୍ତାନ ନିଜର ଦୁଇଟି ଯାକ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ସ୍ଥିତିରେ ରହିଛି। ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ବଡ଼ ବ୍ୟାବଧାନରେ ସ୍କଟଲାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍‌ରେ ଏହି ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ଦେଖାଇଛି। ତେଣୁ ଦୁଇ ଟ୍ରଫି ଦାବିଦାର ଭାରତ ଓ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଥିବା ବାବର ଆଜମଙ୍କ ନେତୃତ୍ବାଧୀନ ପାକିସ୍ତାନ ଶୁକ୍ରବାର ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ହାଲ୍‌କା ଭାବେ ନେବନି। ସ୍କଟଲାଣ୍ଡ ବିପକ୍ଷରେ ଆଫ୍‌ଗାନିସ୍ତାନ ବ୍ୟାଟର୍‌ମାନେ ଯେପରି ବିସ୍ଫୋରକ ଖେଳିଲେ ତାହା ପାକିସ୍ତାନ ବିପକ୍ଷରେ ସମ୍ଭବ ହେବନି। ହଜରାତୁଲ୍ଲା ଜଜାଇ, ରହମାନୁଲ୍ଲା ଗୁର୍ବାଜ ଓ ନଜିବୁଲ୍ଲା ଜଦ୍ରାନଙ୍କ ଭଳି ବିସ୍ଫୋରକ ବ୍ୟାଟର୍ ଏବଂ ରସିଦ ଖାନ୍‌ ଓ ମୁଜୀବ-ଉର-ରହମାନଙ୍କ ଭଳି ବିଶ୍ବସ୍ତରୀୟ ସ୍ପିନରଙ୍କୁ ନେଇ ଆଫଗାନିସ୍ତାନ ଦଳ ସନ୍ତୁଳିତ ରହିଛି। ‌‌ଟସ୍‌ ଜିତିଲେ ଏହି ଦଳର ବୋଲିଂ ନିଷ୍ପତ୍ତି ପ୍ରଥମ ପସନ୍ଦ ରହିବ। ରସିଦ ଓ ମୁଜୀବଙ୍କ ପ୍ରଦର୍ଶନ ଶ୍ରେଷ୍ଠ ‌ରହିଲେ ବିଶ୍ବର ଯେ କୌଣସି ଦଳକୁ ଅଟକାଇବାକୁ ସକ୍ଷମ। ବ୍ୟାଟର୍‌ମାନେ ଭଲ ପ୍ରଦର୍ଶନ କରୁଛନ୍ତି ହେଲେ ବଡ଼ ମ୍ୟାଚ୍‌ରେ ଚାପ ନେବାର ଅଭିଜ୍ଞତା ହାସଲ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ପାକିସ୍ତାନର ୩ ଦ୍ରୁତ ବୋଲର ସାହିନ ଶାହ ଆଫ୍ରିଦି, ହାସନ ଅଲୀ ଓ ହାରିସ ‌ର‌ୌଫ ଏପର୍ଯ୍ୟନ୍ତ ବ୍ୟାଟର୍‌ଙ୍କୁ ବାନ୍ଧି ରଖିପାରିଛନ୍ତି। ତେବେ ଏହି ତ୍ରିମୂର୍ତ୍ତି ଆଫ୍‌ଗାନିସ୍ତାନକୁ ଅଟକାଇ ପାରିବେ କି? ଏମାନଙ୍କ ସହ ଅଭିଜ୍ଞ ସ୍ପିନର ମହମ୍ମଦ ହାଫିଜ ଏବଂ ଇମାନ ୱାସିକ ଓ ସଦାବ ଖାନଙ୍କ ପାଇଁ ମଧ୍ୟ ଆଫଗାନିସ୍ତାନ ଉପରେ ଭାରି ପଡ଼ିପାରନ୍ତି। ପାକିସ୍ତାନ ବ୍ୟାଟର୍‌ ଯଦି ଶୁକ୍ରବାର ସଫଳ ହୁଅନ୍ତି ତେବେ ଆଫଗାନିସ୍ତାନ ଉପରେ ଚାପ ରହିବ। ଏପର୍ଯ୍ୟନ୍ତ ପାକିସ୍ତାନର ଟପ୍‌ ଅର୍ଡର ବ୍ୟାଟର୍‌ ଅଧିନାୟକ ବାବର ଆଜମ ଓ ମହମ୍ମଦ ରିଜୱାନ ପୂରା ଫର୍ମରେ ଥିବା ପ୍ରମାଣ କରିସାରିଛନ୍ତି। ଦୁଇ ଓପନର୍‌ ବିଫଳ ହେଲେ ଫକର ଜାମନ ଓ ମହମ୍ମଦ ହାଫିଜଙ୍କୁ ଦାୟିତ୍ବ ତୁଲାଇବେ। ଫଳରେ ପାକିସ୍ତାନ ଚଳିତ ବିଶ୍ବକପ୍‌ରେ ହ୍ୟାଟ୍ରିକ ବିଜୟ ସହ ନାମିବ୍ୟା ଓ ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ପୂର୍ବରୁ ପ୍ରାୟତଃ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବାକୁ ଚାହିଁବ।

ବାଂଲାଦେଶ ଓ ଇଣ୍ଡିଜ୍‌ ପାଇଁ କର ବା ମର ମ୍ୟାଚ୍‌
ସାର୍‌ଜା: ଚଳିତ ଟି-୨୦ ବିଶ୍ବକପ୍‌ରେ ଦୁଇଟି ଲେଖାଏଁ ପରାଜୟ ବରଣ କରିଥିବା ‌ବାଂଲାଦେଶ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଶୁକ୍ରବାର ସାର୍‌ଜାରେ ମୁହାଁମୁହିଁ ହେବେ। ୨ରୁ ୨ଟି ଯାକ ହାରିଥିବାରୁ ଉଭୟ ଦଳ ପାଇଁ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବାକୁ ଶୁକ୍ରବାର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ତେଣୁ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ କର ବା ମର ସଦୃଶ। ସୁପର-୧୨ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାଠୁ ୱେଷ୍ଟଇଣ୍ଡିଜ୍‌ ହାରିଥିଲା ବେଳେ ଶ୍ରୀଲଙ୍କା ଓ ମୋର୍ଗାନଙ୍କ ଦଳଠୁ ବାଂଲାଦେଶ ପରାସ୍ତ ହୋଇଥିଲା।

ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଇଣ୍ଡିଜ୍‌ ବ୍ୟାଟର୍‌ ବିଫଳ ହୋଇଥିଲେ। ଦଳ ମାତ୍ର ୫୫ ରନ୍‌ କରିବାକୁ ସମର୍ଥ ହୋଇଥିଲା ଦ୍ବିତୀୟ ମ୍ୟାଚ୍‌ରେ ଏଭିନ ଲୁଇସଙ୍କ ଅର୍ଦ୍ଧଶତକ କରିଥିଲା ବେଳେ ଅନ୍ୟ ବ୍ୟାଟର୍‌ମାନେ ବିଫଳ ହୋଇଥିଲେ। ଫଳରେ ଦଳ ୧୪୩‌/୮ କରିଥିଲା। ସେହିପରି ବୋଲରମାନେ ଆଖିଦୃଶିଆ ପ୍ରଦର୍ଶନ କରି ନପାରିବାରୁ ଦକ୍ଷିଣ ଆଫ୍ରିକା ୨ ୱିକେଟ୍‌ ହରାଇ ୧୦ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଅନ୍ୟପକ୍ଷରେ ବାଂଲାଦେଶ ନିକଟରେ ମହମ୍ମଦ ନଇମ, ଲିଟନ ଦାସ, ସକିବ ଅଲ୍‌ ହାସନ, ମହମୁଦୁଲ୍ଲା ଓ ମୁସଫିକର ରହିମଙ୍କ ପରି ବ୍ୟାଟର୍‌ ଥିଲା ବେଳେ ଏମାନେ ବିଫଳ ହେଉଛନ୍ତି। ହେଲେ ଏହାର ସ୍ପିନ୍‌ ବୋଲିଂ ବାହିନୀ ଚମତ୍କାର କରୁଥିବାରୁ ଇଣ୍ଡିଜ୍‌ ବ୍ୟାଟର୍‌ଙ୍କୁ ଅଡ଼ୁ‌ଆରେ ପକାଇ ପାରିବେ। ତେବେ ୱେଷ୍ଟ୍‌ଇଣ୍ଡିଜ୍‌ ବୋଲରଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଯାହା ରହିଛି ଦେଖିଲେ ଏମା‌ନେ ବାଂଲାଦେଶ ବ୍ୟାଟର୍‌ଙ୍କୁ ଅଟକାଇବାକୁ ସମର୍ଥ ହୋଇନପାରନ୍ତି। ତଥାପି ଦୁଇ ଥରର ବିଜେତା ଇଣ୍ଡିଜ୍‌ ସହଜରେ ବାଟ ଛାଡ଼ିବନି।

ସମ୍ବନ୍ଧିତ ଖବର