ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ଵାର୍ନର ୧୫୧*, ଅଷ୍ଟ୍ରେଲିଆ ୩୧୨/୧

ବ୍ରିସବନ୍: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଅଷ୍ଟ୍ରେଲିଆ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଛି। ଦ୍ବିତୀୟ ଦିନ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ କେବଳ ଜୋ ବର୍ନ୍ସଙ୍କ ଵିକେଟ୍ ହରାଇ ୩୧୨ ରନ୍‌ ସଂଗ୍ରହ କରିଛି। ବର୍ନ୍ସ ମାତ୍ର ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ଡେଭିଡ ଵାର୍ନର (୧୫୧*, ୨୬୫ ବଲ୍‌, ୧୦ ଚୌକା) ଶତକ ହାସଲ କରିଥିଲେ। ୨୦୧୭ ପରେ ଟେଷ୍ଟ୍‌ କ୍ରିକେଟରେ ଏହା ଥିଲା ତାଙ୍କର ପ୍ରଥମ ଶତକ। ବଲ୍‌ ବିକୃତ ବିବାଦ‌ ପାଇଁ ବର୍ଷକର ନିଲମ୍ବନ ପରେ ଟେଷ୍ଟ୍‌ କ୍ରିକେଟ୍‌କୁ ଫେରିଥିବା ୱାର୍ନର ଗତ ଆସେସ୍‌ ଶୃଙ୍ଖଳାରେ ବିଫଳ ହୋଇଥିଲେ। ଏବେ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର ହୋଇଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ୍‌। ଶୁକ୍ରବାର ଵାର୍ନର ଓ ବର୍ନ୍ସ ପ୍ରଥମ ଵିକେଟ ପାଇଁ ୨୨୨ ରନ୍‌ର ଭାଗୀଦାରି କରିଥିଲେ। ବର୍ନ୍ସ ୧୬୬ ବଲରୁ ୧୦ ଚୌକା ସହାୟତାରେ ୯୭ ରନ କରି ୟାସିର୍ ଶାହାଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ପରେ ଆସିଥିବା ମାର୍ନସ୍ ଲବୁସାନ୍‌ (୫୫*, ୯୪ ବଲ୍‌, ୬ ଚୌକା) ମଧ୍ୟ ଅର୍ଧଶତକ ପୂରଣ କରି ବ୍ୟାଟିଂ କରୁଛନ୍ତି। ପ୍ରଥମ ଦିନି ଟସ୍ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ୨୪୦ ରନ୍‌ କରି ଅଲଆଉଟ୍ ହୋଇଥିଲା। ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭୨ ରନ୍‌ରେ ଆଗୁଆ ରହିଛି।

ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୨୪୦ (ଅସଦ୍ ସଫିକ-୭୬, ମିଚେଲ୍ ଷ୍ଟାର୍କ-୪/୫୨, ପ୍ୟାଟ୍ କମିନ୍ସ-୩/୬୦, ଜୋସ୍ ହାଜେଲ୍‌ଉଡ୍‌-୨/୪୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୮୭ ଓଭରରେ ୩୧୨/୧ (ଡେଭିଡ୍‌ ୱାର୍ନର-୧୫୧*, ମାର୍ନସ ଲାବୁସାନ୍‌-୫୫*, ୟାସିର୍ ସାହା-୧/୧୦୧)।

ନୋ ବଲ୍‌ ଓ ଟେଷ୍ଟ୍‌ ଶତକ
ବଲ୍ ବିକୃତ ପାଇଁ ଏକ ବର୍ଷ ବାସନ୍ଦ ହେବା ପରେ ଦଳକୁ ଫେରିଥିବା ଵାର୍ନରଙ୍କର ଏହା ହେଉଛି ପ୍ରଥମ ଟେଷ୍ଟ ଶତକ। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଶତକ ହାସଲ କରିଥିଲେ ଵାର୍ଣ୍ଣର। ଏହା ସହିତ ଅଷ୍ଟ୍ରେଲିଆ ପକ୍ଷରୁ ପାକିସ୍ତାନ ବିପକ୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିବାର କୀର୍ତ୍ତିମାନ ମଧ୍ୟ ହାସଲ କରିଛନ୍ତି ଵାର୍ନର (୭ ଶତକ)। ତାଙ୍କ ପୂର୍ବରୁ ଆଲାନ୍ ବର୍ଡର ଓ ରିକି ପଣ୍ଟିଂ ୬ ଲେଖାଏଁ ଶତକ ମାରିଥିଲେ। ଶୁକ୍ରବାର ନସିମ୍ ଶାହା ବୋଲିଂ କରୁଥିବା ପାଳିର ୨୭ତମ ଓଭରର ଶେଷ ବଲ୍‌ରେ ଵିକେଟରକ୍ଷକଙ୍କ ଦ୍ବାରା କ୍ୟାଚ ହୋଇ ଵାର୍ନର ଆଉଟ୍ ହୋଇଥିଲେ। ମାତ୍ର ଶାହାଙ୍କ ଏହି ବଲଟି ନୋ ବଲ୍ (ଓଭର୍‌ ଷ୍ଟେପ୍) ଥିବାରୁ ଵାର୍ନରଙ୍କୁ ଜୀବନଦାନ ମିଳିଥିଲା। ଏହାର ଫାଇଦା ଉଠାଇ ନିଜର ୨୨ତମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିଥିଲେ। ପାକିସ୍ତାନ ବିପକ୍ଷରେ ଏହା ୱାର୍ନରଙ୍କ ଚତୁର୍ଥ ଶତକ। ଚତୁର୍ଥ ଥର ପାଇଁ ମଧ୍ୟ ସେ ୧୫୦ ଟପିଛନ୍ତି।

ସମ୍ବନ୍ଧିତ ଖବର