ଖେଳାଳି ପଠାଇବାକୁ ପାକିସ୍ତାନ ରାଜି

ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ପ୍ରସ୍ତୁତି କ୍ରୀଡ଼ା ସଚିବଙ୍କ ଚୂଡ଼ାନ୍ତ ସମୀକ୍ଷା

କଟକ: ଆସନ୍ତା ୧୭ ତାରିଖରୁ ଜବାହରଲାଲ ନେ‌େହରୁ ଇଣ୍ତୋର ଷ୍ଟାଡିୟମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟର ପହଞ୍ଚିଛି। ମଙ୍ଗଳବାର କ୍ରୀଡ଼ା ସଚିବ ବିଶାଲ ଦେବ ଷ୍ଟାଡିୟମ୍‌ ଆସି ସମୀକ୍ଷା କରିଛନ୍ତି। ଆସନ୍ତା ୧୫ ଓ ୧୬ ତାରିଖରେ ବିଭିନ୍ନ ଦେଶର ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ। ୧୬ ତାରିଖରେ ଖେଳାଳିମାନେ ସଚିନ ତେନ୍ଦୁଲକର ଇଣ୍ତୋର ହଲ୍‌ରେ ଅଭ୍ୟାସ କରିବେ ଏବଂ ମ୍ୟାଚ୍‌ ଦେଖିବା ପାଇଁ ଟିକଟ୍‌ର ମୂଲ୍ୟ ଶହେରୁ ଦେଢ଼ଶହ ଟଙ୍କା ମଧ୍ୟରେ ରହିବ ବୋଲି ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ସୂଚନା ଦେଇଛି। ଅନ୍ୟପକ୍ଷରେ ଆଜି ସଂଧ୍ୟାରେ ପ୍ରତିଯୋଗିତାରେ ଭାଗ ନେବାକୁ ପାକିସ୍ତାନ ଦଳ ସହମତି ପ୍ରକାଶ କରିବା ସହିତ ଖେଳାଳିଙ୍କ ନାମ ଘୋଷଣା କରିଛି। ଅନ୍ୟପଟେ ଜର୍ସି ଦଳର ସହମତିକୁ ଅପେକ୍ଷା କରାଯାଇଛି। ପାକିସ୍ତାନ ଦଳର ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ପ୍ରତିଯୋଗିତାର ପ୍ରଚାର ପ୍ରସାର ପାଇଁ ଦେଶର ବଡ଼ ବଡ଼ ବିମାନବନ୍ଦରରେ ବିଜ୍ଞାପନ ମରାଯିବ ବୋଲି ସଚିବ ଶ୍ରୀ ଦେବ ସୂଚନା ଦେଇଛନ୍ତି।
ଆଜି ଅପରାହ୍ନରେ କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦେଶକ ଭିନ୍‌ଲି କ୍ରୀଷ୍ଣା, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ସିଏମ୍‌ସି କମିସନର ଅନନ୍ୟା ଦାସଙ୍କ ସମେତ ଇଡ୍‌କୋ, ପୂର୍ତ୍ତ ବିଭାଗର ଅଧିକାରୀ ଖେଳାଳିଙ୍କ ବିଶ୍ରାମ ଗୃହ, ଗଣମାଧ୍ୟମ ପ୍ରତିନିଧିଙ୍କ ବସିବା ସ୍ଥାନ, ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କ ସ୍ଥାନଗୁଡିକ ବୁଲି ଦେଖିଥିଲେ। ଷ୍ଟାଡିୟମର ସମସ୍ତ ମରାମତି ଓ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଷ୍ଟାଡିୟମ ଚାରିପଟେ ଘାସ ବଗିଚାରେ ସୌନ୍ଦର୍ଯ୍ୟକରଣ ଫୁଲଗଛ ଓ ଅନ୍ୟାନ୍ୟ ଗଛ ଲଗାଇବା କାମ ଆରମ୍ଭ ହୋଇଛି। ଖେଳାଳି ମାନେ ଭୁବନେଶ୍ବରରୁ ଷ୍ଟାଡିୟମକୁ ଆସିବା ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ସିଏମ୍‌ସି ପକ୍ଷରୁ କାମ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନରେ ହୋର୍ଡି˚ ଲଗାଯିବ। ଖେଳାଳିମାନେ ଯିବାକୁ ଥିବା ରାସ୍ତାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ସହ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ସହଯୋଗରେ ସିଏମ୍‌ସି ପକ୍ଷରୁ କଟକର ବିଭିନ୍ନ ସ୍ଥାନରେ ହୋର୍ଡି˚ ଲଗାଯିବ। କଟକରେ ଖେଳ ହେଉଥିବା ବେଳେ ସହରର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ଖେଳ ଦେଖିବାକୁ ଓ ଖେଳାଳିଙ୍କ ସହିତ ସାକ୍ଷାତ କରିବାକୁ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚଇନି କହିଛିନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦଳଗତ ଓ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଖେଳାଳିମାନଙ୍କ ରହିବା ପାଇଁ ସ୍ବସ୍ତି ପ୍ରିମିୟମ ଓ ସ୍ୟାଣ୍ତିସ୍‌ ଟାଵାରରେ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତ ସମେତ ଅଷ୍ଟ୍ରେଲିଆ, ଇ˚ଲଣ୍ତ, ସିଙ୍ଗାପୁର, ମାଲେସିଆ, ବା˚ଲାଦେଶ, ଶ୍ରୀଲଙ୍କା, ସ୍କଟ୍‌ଲାଣ୍ଡ, ୱେଲ୍‌ସ, ସାଇପ୍ରସ, ଦକ୍ଷିଣ ଆଫ୍ରିକା, ନାଇଜେରିଆ ସେମାନଙ୍କ ଦଳ ପଠାଇବାକୁ ସହମତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର