ରାୱଲପିଣ୍ଡି: ପାକିସ୍ତାନ-ବାଂଲାଦେଶ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ବାତିଲ ହୋଇଯାଇଛି। ଲଗାଣ ବର୍ଷା ପାଇଁ ଚଳିତ ଚାମ୍ପିଅନ୍ସ ଟ୍ରଫିର କୌଣସି ମ୍ୟାଚ୍ ବାତିଲା ହେବା ଏହା ଦ୍ବିତୀୟ ଘଟଣା। ଏହା ପୂର୍ବରୁ ରାୱଲପିଣ୍ଡିର ଅଦିନିଆ ପାଗ ପାଇଁ ଏଠାରେ ଗତ ମଙ୍ଗଳବାର ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ମଧ୍ୟ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ବାତିଲ ହୋଇଯାଇଥିଲା। ଗୁରୁବାର ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇ ଆଉ ଛାଡ଼ିନଥିଲା। ଏହାର ମାତ୍ରା ଏତେ ଅଧିକ ଥିଲା ଯେ ଗ୍ରାଉଣ୍ଡ୍ସମ୍ୟାନ୍ ପିଚ୍ରେ ତମ୍ବୁ ଘୋଡ଼ାଇବାର ଟିକିଏ ହେଲେ ବି ସୁଯୋଗ ପାଇ ନଥିଲେ। ଏଣୁ ମ୍ୟାଚ୍ ଆରମ୍ଭ ହେବାର ନିର୍ଦ୍ଧାରିତ ସମୟର ମାତ୍ର ଦେଢ଼ ଘଣ୍ଟା ପରେ ଅର୍ଥାତ୍ ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୨୭ରେ ଏହାକୁ ବାତିଲ କରିଦିଆଯାଇଥିଲା। ତା’ ସହିତ ଚାମ୍ପିଅନ୍ସ ଟ୍ରଫିର ରାୱଲପିଣ୍ଡି ପର୍ଯ୍ୟାୟ ନୈରାଶ୍ୟର ସହ ଶେଷ ହୋଇଥିଲା। ଦୁଇଟି ବାତିଲ ମ୍ୟାଚ୍ ସହ ଏଠାରେ ଗତ ୨୪ ତାରିଖରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚ୍ ଖେଳାଯାଇଥିଲା। ଯାହାକୁ ନ୍ୟୁଜିଲାଣ୍ଡ ୫ ୱିକେଟ୍ରେ ଜିତି ନେଇଥିଲା। ଏବେ ଗ୍ରୁପ୍-ଏ’ର ଆଉ ମାତ୍ର ଗୋଟିଏ ଲିଗ୍ ମ୍ୟାଚ୍ ବାକି ରହିଛି। ଯାହା ଆସନ୍ତା ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ଉଭୟ ଦଳ ସେମିଫାଇନାଲ୍ ଟିକେଟ ହାସଲ କରିସାରିଥିବାରୁ ଅପରାଜେୟ ରହି ଏହି ପର୍ଯ୍ୟାୟକୁ ଯିବାକୁ ଏଥିରେ ଚେଷ୍ଟା କରିବେ। ଗୁରୁବାର ବାତିଲ ମ୍ୟାଚ୍ରୁ କିନ୍ତୁ ଉଭୟ ବାଂଲାଦେଶ ଓ ପାକିସ୍ତାନ ନିଜନିଜର ପଏଣ୍ଟ୍ ଖାତା ଖୋଲିଛନ୍ତି। ତେବେ ରନ୍ ରେଟ୍ରେ ପଛୁଆ ରହି ପାକିସ୍ତାନ ଆୟୋଜକ ହୋଇ ମଧ୍ୟ ଗ୍ରୁପ୍-ଏ’ର ସବାଶେଷ ସ୍ଥାନରେ ଅଭିଯାନ ଶେଷ କରିଛି।
ଆୟୋଜକ ଅଭିଯାନ ଅକାଳରେ ଶେଷ
ଆୟୋଜକ ପାକିସ୍ତାନ ତାର ପ୍ରଥମ ଦୁଇଟି ମ୍ୟାଚ୍କୁ ହାରିଥିଲା। ଗୁରୁବାରର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ଏହି ଦଳ ବିନା ବିଜୟରେ ନିଜ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଶେଷ କରିଛି। ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ଥିଲା ବେଳେ ଏହି ଦେଶକୁ କୌଣସି ଆଇସିସି ପ୍ରତିଯୋଗିତା ୨୯ବର୍ଷ ପରେ ଫେରିଥିଲା। ଏଣୁ ପାକିସ୍ତାନର ଏଭଳି ଦୁର୍ବଳ ଓ ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ବିସ୍ମିତ କରିଛି। ପୁଣି ଆୟୋଜକ ଦଳର ଦୟନୀୟ ପ୍ରଦର୍ଶନ ପାଇଁ ଚାମ୍ପିଅନ୍ସ ଟ୍ରଫି ଏକପ୍ରକାର ତା’ର ଚମକ ହରାଇଛି। ପାକିସ୍ତାନୀ କ୍ରିକେଟ୍ପ୍ରେମୀ ଆଶାଜନକ ଭାବେ ଷ୍ଟାଡିୟମ୍ ଆସୁ ଥିଲା ବେଳେ ପାକିସ୍ତାନର ବିଦାୟ ସ୍ଥିତିକୁ ଆହୁରି ସଙ୍ଗିନ କରିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ଏପରିକି ଏହି କାରଣରୁ ଆଇସିସି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ସେହିଭଳି ବାଂଲାଦେଶ ମଧ୍ୟ ତାର ତିନିଟି ଲିଗ୍ ମ୍ୟାଚ୍ରୁ ଦୁଇଟିରେ ହାରିଥିଲା ବେଳେ ତା’ର ଗୋଟିଏ ମ୍ୟାଚ୍ ବାତିଲ ହୋଇଛି। ଏଣୁ ଏହି ଦଳ ମଧ୍ୟ ପାକିସ୍ତାନ ଭଳି ବିନା ବିଜୟରେ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଶେଷ କରିଛି। ତିନିଟି ମ୍ୟାଚ୍ରୁ ଦୁଇଟି ପରାଜୟ ଏବଂ ଗୋଟିଏ ବାତିଲ ମ୍ୟାଚ୍ରୁ ମାତ୍ର ୧ ପଏଣ୍ଟ ସହ -୧.୦୮୭ ପାଇଁ ଏହା ମଧ୍ୟ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ସବୁଠାରୁ ଖରାପ ପ୍ରଦର୍ଶନ ହୋଇଛି।
ପ୍ରଶଂସକ ହତାଶ, ସର୍ବନିମ୍ନସ୍ତରରେ ପାକିସ୍ତାନ କ୍ରିକେଟ୍
ପାକିସ୍ତାନ କ୍ରିକେଟ୍ ଦଳର ଶୋଚନୀୟ ପ୍ରଦର୍ଶନ ସହ ରାୱଲପିଣ୍ଡିରେ ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍ କ୍ରମାଗତ ଭାବେ ବାତିଲ ହେବା ପରେ ପ୍ରଶଂସକମାନେ ରାଗି ନିଆଁବାଣ ହୋଇଛନ୍ତି। ସେମାନେ ମିଳିତ ଭାବେ ପାକିସ୍ତାନ କ୍ରିକେଟ୍ ଦଳ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଭର୍ତ୍ସନା କରିଛନ୍ତି। ନିଜ ଦେଶର କ୍ରିକେଟର୍ଙ୍କୁ ତାଚ୍ଛଲ୍ୟ କରି ସାମାଜିକ ଗଣମାଧ୍ୟମରେ ଲକ୍ଷାଧିକ ମିମ୍ ଛାଡ଼ିଛନ୍ତି। ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ମହମ୍ମଦ ରିଜୱାନ୍ ପ୍ରଶଂସକଙ୍କଠାରୁ କ୍ଷମା ମାଗି ନେଇଛନ୍ତି। ସେହିଭଳି ତାଙ୍କ ଦଳ ଅତ୍ୟନ୍ତ ଖରାପ କ୍ରିକେଟ୍ ଖେଳିଲା ବୋଲି ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଗତ କିଛି ମ୍ୟାଚ୍ରେ ଆମେ କିଛି ଗୁରୁତର ତ୍ରୁଟି କରିଛୁ। ଆଶା କରୁଛି ଆମେ ଏଥିରୁ ଶିକ୍ଷାଲାଭ କରିବୁ। ନ୍ୟୁଜିଲାଣ୍ଡରେ ଆମେ ଭଲ କରିବୁ ବୋଲି ଭାବିଛୁ। ସହକାରୀ ପ୍ରଶିକ୍ଷକ ଆଝାର ମେହମ୍ମୁଦ ଖେଳାଳିଙ୍କ ଆଘାତ ଜନିତ ସମସ୍ୟାକୁ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ ପାଇଁ ଦାୟୀ କରିଛନ୍ତି। ଆମେ ଭାରତ ବିପକ୍ଷ ମ୍ୟାଚ୍ରେ ଅଯଥାରେ ଅତିରିକ୍ତ ଚାପରେ ରହିଲୁ। ଅତୀତରେ ଏକଦିବସୀୟ କ୍ରିକେଟ୍ରେ ଭଲ କରିଥିଲେ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରେ ଏହାକୁ ଦୋହରାଇ ପାରିଲୁନି। ଏହାର ପ୍ରମୁଖ କାରଣ ହେଉଛି ଠିକଣା ସମୟରେ ଆମର କିଛି ଦକ୍ଷ ଖେଳାଳି ଆହତ ହେବା। ଏବେ ଆମେ ଭଲ ଭାବରେ ଜାଣିଛୁ, ଆମକୁ କେଉଁ କେଉଁ କ୍ଷେତ୍ରରେ ଉନ୍ନତି କରିବାକୁ ହେବ। ଏମିତି ଫଳାଫଳ ଆମକୁ ମଧ୍ୟ ବିସ୍ମିତ କରିଛି। ପ୍ରଶଂସକମାନେ ଆମ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ଆଶା କରୁଛି। ସୂଚନାଯୋଗ୍ୟ ଯେ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିବା ପରେ ପାକିସ୍ତାନର ପ୍ରମୁଖ ବ୍ୟାଟର୍ ଫକର ଜମାନ ଆହତ ହୋଇଥିଲେ। ସମାନ କାରଣ ପାଇଁ ସୈମ ଆୟୁବ ମଧ୍ୟ ଖେଳି ପାରି ନଥିଲେ।
ପାକିସ୍ତାନ ପାଇବ ମାତ୍ର ୨.୩ କୋଟି
ପାଖାପାଖି ତିନି ଦଶନ୍ଧି ପରେ କୌଣସି ଆଇସିସି ପ୍ରତିଯୋଗିତା ଖେଳାଯାଉଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଚାମ୍ପିଅନ୍ସ ଟ୍ରଫିରୁ ମୋଟା ଅଙ୍କ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲା। ତେବେ ଷ୍ଟାଡିୟମ୍ ସହ ବିଭିନ୍ନ କ୍ରିକେଟ୍ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ବିଳମ୍ବ, ମ୍ୟାଚ୍ ଆୟୋଜନରେ ଘୋର ଅବ୍ୟବସ୍ଥା, ଘରୋଇ ଦର୍ଶକଙ୍କ ଅସହଯୋଗ, ସୁରକ୍ଷା ଚିନ୍ତା ତଥା ପାକିସ୍ତାନ କ୍ରିକେଟ୍ ଦଳର ଶୋଚନୀୟ ପ୍ରଦର୍ଶନ ପାଇଁ ପିସିବିର ଏହି ଆଶା ଆଶାରେ ରହିଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଆଇସିସି ଆୟୋଜକଭାବେ ପିସିବିକୁ ଏକ ନିର୍ଦ୍ଧାରିତ ରାଶି ଦେବାକୁ ଚୁକ୍ତି କରିଛି, ତଥାପି ପିସିବି ଟିକେଟ୍ ବିକ୍ରି ସହ ଅନ୍ୟାନ୍ୟ ରାଜସ୍ବ ଏବଂ ପୁରସ୍କାର ରାଶିରୁ ଯେତିକି ରୋଜଗାର କରିବା କଥା ସେତିକି କରିପାରିନି। ପାକିସ୍ତାନ କ୍ରିକେଟ୍ ଦଳ ବିନା ବିଜୟରେ ଅଭିଯାନ ଶେଷ କରିବା ଏହି ସ୍ଥିତିକୁ ଆହୁରି ଖରାପ କରି ଦେଇଛି। ହିସାବ ଅନୁସାରେ ପାକିସ୍ତାନ କ୍ରିକେଟ୍ ଦଳ ଗ୍ରୁପ୍-ଏ’ର ଶେଷ ସ୍ଥାନରେ ରହି ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ଅଂଶଗ୍ରହଣ ପ୍ରାପ୍ୟ ଭାବେ ମାତ୍ର ୨.୩ କୋଟି ଟଙ୍କା ପାଇବ। ଯାହା ଏହି ଦଳର ଯାତାୟତ ଖର୍ଚ୍ଚ ଭରଣା କରିବା ଲାଗି ମଧ୍ୟ ସମ୍ଭବତଃ ପର୍ଯ୍ୟାପ୍ତ ହେବନି। ୮ବର୍ଷ ପରେ ଫେରିଥିବାରୁ ଆଇସିସି କିନ୍ତୁ ଏଥର ସଂସ୍କରଣର ପୁରସ୍କାର ରାଶିକୁ ୬.୯ ନିୟୁତ ଡଲାର ବା ପାଖାପାଖି ୬୧ କୋଟି ଟଙ୍କାକୁ ବଢ଼ାଇଛି। ଯାହା ଗତ ସଂସ୍କରଣରେ ଦିଆଯାଇଥିବା ପୁରସ୍କାର ରାଶିଠାରୁ ୫୩ ପ୍ରତିଶତ ଅଧିକ। ଏଥର ବିଜେତା ୧୯.୫ କୋଟି, ଉପବିଜେତା ୯.୭୫ କୋଟି ଏବଂ ସେମିଫାଇନାଲ୍ରେ ପରାଜିତ ଦଳ ୪.୮୭ କୋଟି ଟଙ୍କା ଲେଖାଏଁ ପାଇବେ। ସେହିଭଳି ସପ୍ତମ, ଅଷ୍ଟମ ସ୍ଥାନରେ ରହିବା ଦଳ ୧.୨୨ କୋଟି ଟଙ୍କା ଏବଂ ୧.୦୯ କୋଟି ଟଙ୍କା ପ୍ରତିଶ୍ରୁତି ରାଶି ଭାବେ ପାଇବେ।