ଏସିଆ କପ୍: ୧୦ ବର୍ଷ ପରେ ପାକିସ୍ତାନ ହାତରେ ବିଜୟର ସୁଯୋଗ, ୬ଷ୍ଠ ଥର ଚାମ୍ପିଅନ୍ ଲକ୍ଷ୍ୟରେ ଶ୍ରୀଲଙ୍କା

ଦୁବାଇ: ଏସିଆ କପ୍-୨୦୨୨ର ଫାଇନାଲ ମୁକାବିଲାରେ ଆଜି ଶ୍ରୀଲଙ୍କା ଓ ପାକିସ୍ତାନ ଟିମ୍ ମୁହାଁମୁହିଁ ହେବେ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ସାଢ଼େ ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଏହି ମୁକାବିଲା ପାଇଁ ବିଶ୍ବବ୍ୟାପୀ କ୍ରିକେଟ ପ୍ରଶଂସକ ଅପେକ୍ଷା କରିଛନ୍ତି। ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ କରିବ। ଶ୍ରୀଲଙ୍କା ଦୁଇ ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା।

ଶ୍ରୀଲଙ୍କାକୁ ଆଫଗାନିସ୍ତାନ ଓ ବାଂଲାଦେଶ ସହିତ ଗ୍ରୁପ-ବିରେ ରଖାଯାଇଥିଲା, ଯିଏକି ବାଂଲାଦେଶକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲା। ପୁଣି ସୁପର-୪ରେ ଆଫଗାନିସ୍ତାନ, ଭାରତ ଓ ପାକିସ୍ତାନକୁ ହରାଇ ଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପଟରେ ପାକିସ୍ତାନକୁ ଗ୍ରୁପ ଷ୍ଟେଜରେ ଭାରତ ବିପକ୍ଷରେ ହାରିବାକୁ ପଡ଼ିଥିଲା। କିନ୍ତୁ ପରେ ହଙ୍ଗକଙ୍ଗ୍କୁ ହରାଇ ପାକିସ୍ତାନ ସୁପର-୪ରେ ପ୍ରବେଶ କରିଥିଲା। ଏହା ପରେ ସୁପର-୪ରେ ଭାରତ ଓ ଆଫଗାନିସ୍ତାନକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା।

ପାକିସ୍ତାନ ଶେଷ ଥର ପାଇଁ ୨୦୧୨ ମସିହାରେ ଏସିଆ କପ୍ ଜିତିଥିଲା। ସେହି ସମୟରେ ବାଂଲାଦେଶକୁ ୨ ରନ୍ରେ ହରାଇ ଚମ୍ପିଅନ ହୋଇଥିଲା। ଏବେ ପାକିସ୍ତାନ ପାଖରେ ୧୦ ବର୍ଷ ପରେ ଟାଇଟଲ ଜିତିବାର ସୁଯୋଗ ଆସିଛି।

ସମ୍ବନ୍ଧିତ ଖବର